ପ୍ରସବର ଗୋଟିଏ ଦିନ ପରେ ପରୀକ୍ଷା ଦେଲେ ହର୍ଷିତା

ବେଙ୍ଗାଲୁରୁ: ଗୋଟିଏ ହାତରେ ବହି ଏବଂ ଅନ୍ୟ ହାତରେ ବ୍ଲାଙ୍କେଟ୍‌ରେ ଘୋଡ଼ା ହୋଇଥିବା ସଦ୍ୟ ଜନ୍ମିତ ପୁଅ। ଏଭଳି ଭାବେ ପରୀକ୍ଷା ଦେବାକୁ ଆସିଥିଲେ କର୍ଣ୍ଣାଟକା ଶଦାଶିବନଗର କଲେଜ୍‌ର ବିଏସ୍‌ସି ଛାତ୍ରୀ ହର୍ଷିତା ଏସ୍‌ଆର। ତାଙ୍କ ପୁଅ ଜନ୍ମ ହେବାକୁ ମାତ୍ର ଦିନଟିଏ ଯାଇନି ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ବୁଧବାର ଛୁଆ ଜନ୍ମ ହେବାପରେ ହସ୍ପିଟାଲରୁ ସେ ସିଧା ଆସି ପରୀକ୍ଷା ହଲ୍‌ରେ ପହଞ୍ଚିଥିଲେ। ଯଦିଓ ସାମାନ୍ୟ ଯନ୍ତ୍ରଣା ରହିଥିଲା ସେ ଏହାକୁ ଭୃକ୍ଷେପ […]

exam

Subrat Kumar Nayak
  • Published: Saturday, 07 December 2019
  • , Updated: 07 December 2019, 05:31 PM IST

ବେଙ୍ଗାଲୁରୁ: ଗୋଟିଏ ହାତରେ ବହି ଏବଂ ଅନ୍ୟ ହାତରେ ବ୍ଲାଙ୍କେଟ୍‌ରେ ଘୋଡ଼ା ହୋଇଥିବା ସଦ୍ୟ ଜନ୍ମିତ ପୁଅ। ଏଭଳି ଭାବେ ପରୀକ୍ଷା ଦେବାକୁ ଆସିଥିଲେ କର୍ଣ୍ଣାଟକା ଶଦାଶିବନଗର କଲେଜ୍‌ର ବିଏସ୍‌ସି ଛାତ୍ରୀ ହର୍ଷିତା ଏସ୍‌ଆର। ତାଙ୍କ ପୁଅ ଜନ୍ମ ହେବାକୁ ମାତ୍ର ଦିନଟିଏ ଯାଇନି ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ବୁଧବାର ଛୁଆ ଜନ୍ମ ହେବାପରେ ହସ୍ପିଟାଲରୁ ସେ ସିଧା ଆସି ପରୀକ୍ଷା ହଲ୍‌ରେ ପହଞ୍ଚିଥିଲେ।

ଯଦିଓ ସାମାନ୍ୟ ଯନ୍ତ୍ରଣା ରହିଥିଲା ସେ ଏହାକୁ ଭୃକ୍ଷେପ କରିନଥିଲେ। ବରଂ ସମସ୍ତଙ୍କୁ ଚମକାଇ ନିର୍ଦ୍ଧାରିତ ସମୟରେ ବୀରେନ୍ଦ୍ର ପାଟିଲ ଡିଗ୍ରୀ କଲେଜ୍‌ସ୍ଥିତ ପରୀକ୍ଷାକେନ୍ଦ୍ରରେ ପହଞ୍ଚିଥିଲେ। ତାଙ୍କ ପାଇଁ ସ୍ୱତନ୍ତ୍ର କକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ପ୍ରତି ୩୦ ମିନିଟ୍‌ରେ ଜଣେ ସହାୟକଙ୍କ ସାଥୀରେ ସେ ପରୀକ୍ଷା କେନ୍ଦ୍ର ବାହାରକୁ ଯିବା ସହ ପୁଅକୁ ଖାଦ୍ୟ ଖୁଆଇ ପୁଣି ଆସିଯାଉଥିଲେ।

ସେ ଏହି ପରୀକ୍ଷା ନେଇ କହିଛନ୍ତି, ମୁଁ ଯେମିତି ହେଲେ ଏହି ପରୀକ୍ଷା ସାରିବାକୁ ଚାହୁଁଥିଲି। ଏଥର ପରୀକ୍ଷା ନଦେଇଥିଲେ ଆରବର୍ଷକୁ ଅପେକ୍ଷା କରିବାକୁ ପଡ଼ିଥା’ନ୍ତା। ମୋ ପରିବାର ଏବଂ ଏହି କଲେଜ୍‌ ମୋତେ ଯଥେଷ୍ଟ ସମର୍ଥନ ଦେଇଥିଲେ। ସେ ପରୀକ୍ଷା ଦେବେ ବୋଲି ଗୁରୁବାର ମଧ୍ୟାହ୍ଣରେ ହିଁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।

ଏପରିକି ମଙ୍ଗଳବାର ଦିନ ସେ ପରୀକ୍ଷା ଦେବା ନେଇ କର୍ତ୍ତୃପକ୍ଷ ନିଶ୍ଚିତ ନଥିଲ। କଲେଜ୍‌ ପକ୍ଷରୁ କୁହାଯାଇଥିଲା, ଆମ ପାଖରେ ଜରୁରୀକାଳୀନ ବ୍ୟବସ୍ଥା ନାହିଁ। କିନ୍ତୁ ପାଠ ପଢ଼ିବା ପାଇଁ ଏହି ଛାତ୍ରୀଙ୍କ ଜିଦ୍‌ ଆଗରେ ସମସ୍ତେ ହାର ମାନିଥିଲେ। ଏପରିକି ଗୁରୁବାର ଦିନ ସମସ୍ତେ ଆଶା ଛାଡ଼ିଦେଇଥିଲେ ମଧ୍ୟ ସେ ନିର୍ଦ୍ଧାରିତ ସମୟରେ ପହଞ୍ଚିଯାଇଥିଲେ। କଲେଜ୍‌ର ପ୍ରିନ୍ସିପାଲ ମ୍ୟାକଲିନ୍‌ ସି ମୋଜେସ୍‌ କହିଛନ୍ତି, ଛୁଆ ଜନ୍ମ କରିବାର ଗୋଟିଏ ଦିନ ପରେ ଏମିତି କାଠ ବେଞ୍ଚରେ ବିନା ସପୋର୍ଟରେ ବସି ପରୀକ୍ଷା ଦେବା କଷ୍ଟସାଧ୍ୟ କାମ। ତାଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ସେ କହିଛନ୍ତି।

Related story