୧୧ ରାଜ୍ୟରେ ହୋଇପାରେ ଏକକାଳୀନ ନିର୍ବାଚନ

ନୂଆଦିଲ୍ଲୀ: ‘ଗୋଟିଏ ଦେଶ ଏକକ ନିର୍ବାଚନ’ ଆଭିମ୍ମୁଖ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୧୯ ଲୋକସଭା ନିର୍ବାଚନ ସହ ୧୧ଟି ରାଜ୍ୟର ବିଧାନସଭା ନିର୍ବାଚନ ଏକକାଳୀନ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ଏଥିପାଇଁ ସମ୍ବିଧାନରେ କୌଣସି ସଂଶୋଧନର ଆବଶ୍ୟକତା ନଥିବାରୁ ମୋଦି ସରକାରଙ୍କ ‘ଏକକ ନିର୍ବାଚନ’ ପ୍ରସ୍ତାବକୁ ବିରୋଧ କରୁଥିବା ବିରୋଧି ଦଳଙ୍କ ପାଖରେ ଆଉ କୌଣସି ବଳିଷ୍ଠ ଯୁକ୍ତି ରହିବ ନାହିଁ। ୧୧ଟି ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ […]

modi

Ordigital Desk
  • Published: Tuesday, 14 August 2018
  • , Updated: 14 August 2018, 01:46 PM IST

ନୂଆଦିଲ୍ଲୀ: ‘ଗୋଟିଏ ଦେଶ ଏକକ ନିର୍ବାଚନ’ ଆଭିମ୍ମୁଖ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୧୯ ଲୋକସଭା ନିର୍ବାଚନ ସହ ୧୧ଟି ରାଜ୍ୟର ବିଧାନସଭା ନିର୍ବାଚନ ଏକକାଳୀନ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ଏଥିପାଇଁ ସମ୍ବିଧାନରେ କୌଣସି ସଂଶୋଧନର ଆବଶ୍ୟକତା ନଥିବାରୁ ମୋଦି ସରକାରଙ୍କ 'ଏକକ ନିର୍ବାଚନ' ପ୍ରସ୍ତାବକୁ ବିରୋଧ କରୁଥିବା ବିରୋଧି ଦଳଙ୍କ ପାଖରେ ଆଉ କୌଣସି ବଳିଷ୍ଠ ଯୁକ୍ତି ରହିବ ନାହିଁ।

୧୧ଟି ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ହେଲେ, କେତୋଟି ରାଜ୍ୟର ବିଧାନସଭା ଭୋଟ୍ କିଛି ମାସ ଘୁଞ୍ଚାଇ ଦେବା ସହ ଅନ୍ୟ କିଛି ରାଜ୍ୟରେ ଅବଧି ସରିବା ପୂର୍ବରୁ ବିଧାନସଭାକୁ ଭଙ୍ଗ ଘୋଷଣା କରିବାକୁ ପଡ଼ିବ। ତେବେ ଏହି ରାଜ୍ୟମାନଙ୍କ ମଧ୍ୟରୁ ସଂଖ୍ୟାଧିକ ରାଜ୍ୟରେ ଏନ୍‌ଡିଏ ସରକାର ଥିବାକୁ କେନ୍ଦ୍ରର ମୋଦି ସରକାରଙ୍କ ପାଇଁ ଏକ୍ଷେତ୍ରରେ କୌଣସି ସମସ୍ୟା ଉପୁଜିବାର ନାହିଁ।

ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତାବିତ ୧୧ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବିଧାନସଭା ଅବଧି ଆସନ୍ତା ବର୍ଷ ମଧ୍ୟଭାଗରେ ସରିବ। ଏହି ତିନି ରାଜ୍ୟଙ୍କ ସମେତ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ହରିୟାଣା, ମହାରାଷ୍ଟ୍ର, ମିଜୋରାମ୍, ଝାର୍‌ଖଣ୍ଡ୍‌ ଓ ବିହାରରେ ମଧ୍ୟ ଏକସଂଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି।

ଲୋକସଭା ଭୋଟ୍ ସହ ୧୧ଟି ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ କରି 'ଗୋଟିଏ ଦେଶ ଏକକ ନିର୍ବାଚନ' ଅଭିଯାନରେ ଏକ ବଡ଼ ଧରଣର ଉଦାହରଣ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାର। ତେବେ ଏଥିପାଇଁ ଚଳିତ ବର୍ଷ ୪ଟି ରାଜ୍ୟରେ କାର୍ଯ୍ୟକାଳ ନଭେମ୍ବର-ଡିସେମ୍ବର ମାସରେ ସରୁଥିବାରୁ ଏହା ପରେ ଏହିସବୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରି  ବିଧାନସଭା ଭୋଟ୍‌କୁ ଆସନ୍ତା ବର୍ଷ ଏପ୍ରିଲ୍-ମେ'ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଯାଏ ଘୁଞ୍ଚାଇ ଦେବାକୁ ପଡ଼ିବ। ଏହି ୪ଟି ରାଜ୍ୟ ଭିତରେ ରହିଛି ବିଜେପି ଶାସିତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ସମେତ କଂଗ୍ରେସ ସରକାର ଥିବା ମିଜୋରାମ୍‌।

ହରିୟାଣା, ମହାରାଷ୍ଟ୍ର ଓ ଝାର୍‌ଖଣ୍ଡ୍‌ରେ ବିଧାନସଭା ଅବଧି ଆସନ୍ତା ବର୍ଷ ନଭେମ୍ବର-ଡିସେମ୍ବରରେ ସରୁଛି। ଏହା ସହ ୨୦୨୦ରେ କାର୍ଯ୍ୟକାଳ ସରୁଥିବା ବିହାର ବିଧାନସଭାକୁ ଭଙ୍ଗ ଘୋଷଣା କରି ଲୋକସଭା ସହ ଏକକାଳୀନ ଭୋଟ୍ ଗ୍ରହଣ ଯୋଜନାରେ ଅଛନ୍ତି କେନ୍ଦ୍ର ସରକାର। ଏହିସବୁ ରାଜ୍ୟରେ ମଧ୍ୟ ଏନ୍‌ଡିଏ ସରକାର ରହିଛି।

ମୋଦିଙ୍କ ବିଜେପିର 'ଗୋଟିଏ ଦେଶ ଏକକ ନିର୍ବାଚନ' ଆଭିମ୍ମୁଖ୍ୟକୁ କିନ୍ତୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦ୍‌ମୀ ପାର୍ଟି, ତେଲୁଗୁ ଦେଶମ୍‌, ଜେଡି(ଏସ୍) ଏବଂ ବାମପନ୍ଥୀ ଦଳଗୁଡ଼ିକ ବିରୋଧ କରୁଛନ୍ତି। ଏହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ସେମାନେ ଯୁକ୍ତି ବାଢ଼ୁଛନ୍ତି।

ଅନ୍ୟପକ୍ଷରେ ଜାତୀୟ ଲ' କମିଶନ୍ ୨୦୧୯ରେ ଦୁଇଟି ପର୍ଯ୍ୟାୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କିନ୍ତୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜନୈତିକ ଦଳର ସହମତି ମିଳିବା ପରେ ସମ୍ବିଧାନରେ ଆବଶ୍ୟକ ସଂଶୋଧନ ମଧ୍ୟ କରିବାକୁ ପଡ଼ିବ।

Related story