ନୂଆଦିଲ୍ଲୀ: ସୋମବାର ପାଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଚିକିତ୍ସା ପାଇଁ ଆମେରିକା ଗସ୍ତ କରିଛନ୍ତି। ପୁଅ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଆମେରିକା ଯାଇଛନ୍ତି। ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଏହି ସୂଚନା ଦେଇଛନ୍ତି।
ଶନିବାର ରାତିରେ ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି ଯେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ଡାକ୍ତରୀ ପରୀକ୍ଷା ପାଇଁ ବିଦେଶ ଯାଇଛନ୍ତି। ମହାମାରୀ ଯୋଗୁଁ ଏହି ଡାକ୍ତରୀ ଚିକିତ୍ସା ସ୍ଥଗିତ ରଖାଯାଇଥିଲା। ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଅଛନ୍ତି।
https://twitter.com/rssurjewala/status/1304807406497603584
ଏହାପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଜୁଲାଇ ମାସ ଶେଷରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ୍ ରୁଟିନ ଚେକଅପରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।
ସୋନିଆ ଗାନ୍ଧୀ ବିଦେଶ ଯିବା ପୂର୍ବରୁ ସଂଗଠନରେ ୧୧ ତାରିଖ ଦିନ ଦଳରେ ସାଂଗଠନିକ ପରିବର୍ତ୍ତନ କରିଥିଲେ। ସୋନିଆ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ମୋଟ ନଅ ଜଣଙ୍କୁ ଦଳର ମହାସଚିବ ନିଯୁକ୍ତ କରିଛନ୍ତି। ଅଧ୍ୟକ୍ଷ ଭାବରେ ତାଙ୍କ କାର୍ଯ୍ୟରେ ସାହାଯ୍ୟ କରିବାକୁ ସୋନିଆ ଗାନ୍ଧୀ ଛଅ ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ। ଏଥିରେ ସୁରଜେଓ୍ୱାଲାଙ୍କୁ ସେ ସାମିଲ୍ କରିଛନ୍ତି। ତେବେ ଗୁଲାମ ନବୀ ଆଜାଦଙ୍କୁ ମହାସଚିବ ପଦବୀରୁ ହଟାଇ ଦେଇଥିଲେ।
ସୂଚନାଯୋଗ୍ୟ, କରୋନା ଭାଇରସ ସଙ୍କଟ ମଧ୍ୟରେ ସେପ୍ଟେମ୍ବର ୧୪ ରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ୧୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ସଂସଦ ଚାଲିବ। ମୋଟ ୧୮ ଟି କାର୍ଯ୍ୟ ଦିବସ ରହିଛି। ଏଥର ଶନିବାର ଏବଂ ରବିବାର ଛୁଟି ରହିବ ନାହିଁ। ଲୋକସଭା ପ୍ରଥମ ଦିନ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ, ବାକି ଦିନ ଅପରାହ୍ନ ୩ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବସିବ।
ଏହି ଅଧିବେଶନରେ କୌଣସି ସଦସ୍ୟ ପ୍ରାଇଭେଟ ବିଲ୍ କିମ୍ୱା ବ୍ୟବସାୟିକ ବିଧେୟକ ଆସିବ ନାହିଁ । ସେହିଭଳି ରାଜ୍ୟସଭା ପ୍ରଥମ ଦିନରେ ଅର୍ଥାତ୍ ୧୪ ସେପ୍ଟେମ୍ବର ଅପରାହ୍ନ ୩ ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବସିବ କିନ୍ତୁ ବାକି ଦିନ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବସିବ।
ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନରେ ଆଗତ ହେବାକୁ ଥିବା ୨୩ଟି ନୂଆ ବିଲ୍ ତାଲିକାଭୁକ୍ତ ହୋଇଛି। ଯାହା ୧୧ଟି ନିୟମକୁ ବଦଳାଇବ। ୧୮ ଦିନିଆ ଅଧିବେଶନରେ ସରକାର ବିଲ୍ ଆକାରରେ ପାସ୍ କରିବାକୁ ଯୋଜନା କରୁଥିବା ଏକ ନିୟମ ହେଉଛି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ପଦକ୍ଷେପ ସହ ଜଡିତ ଏକ ନିୟମ।