ଗତବର୍ଷ ତୁଳନାରେ ଏହିସବୁ ଚାଷ ଅଧିକ ହୋଇଛି

ନୂଆଦିଲ୍ଲୀ: ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ବୁଣାବୁଣି ଓ ଚାଷବାସ କ୍ଷେତ୍ରରେ ସନ୍ତୋଷଜନକ ଅଗ୍ରଗତି ହୋଇଛି। ଏ ନେଇ କୃଷି ମନ୍ତ୍ରାଳୟ ସୂଚନା ଦେଇଛି। କରୋନା ମହାମାରୀ ବେଳେ ଚାଷୀମାନଙ୍କୁ ସେମାନଙ୍କର ଚାଷକାର୍ଯ୍ୟ ଆଗେଇ ନେବାକୁ କୃଷି, ସମବାୟ ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୨୦.୨୪ ଲକ୍ଷ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ଗତବର୍ଷ ଏହି ସମୟ ସୁଦ୍ଧା ଏହି ପରିମାଣ ଥିଲା ୧୮୭.୭୦ ଲକ୍ଷ […]

Farming

Subhransu Sekhar
  • Published: Friday, 24 July 2020
  • , Updated: 24 July 2020, 10:24 PM IST

ନୂଆଦିଲ୍ଲୀ: ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ବୁଣାବୁଣି ଓ ଚାଷବାସ କ୍ଷେତ୍ରରେ ସନ୍ତୋଷଜନକ ଅଗ୍ରଗତି ହୋଇଛି। ଏ ନେଇ କୃଷି ମନ୍ତ୍ରାଳୟ ସୂଚନା ଦେଇଛି। କରୋନା ମହାମାରୀ ବେଳେ ଚାଷୀମାନଙ୍କୁ ସେମାନଙ୍କର ଚାଷକାର୍ଯ୍ୟ ଆଗେଇ ନେବାକୁ କୃଷି, ସମବାୟ ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୨୦.୨୪ ଲକ୍ଷ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ଗତବର୍ଷ ଏହି ସମୟ ସୁଦ୍ଧା ଏହି ପରିମାଣ ଥିଲା ୧୮୭.୭୦ ଲକ୍ଷ ହେକ୍ଟର। ସେହିପରି ଡାଲି ଜାତୀୟ ଫସଲ ଚଳିତବର୍ଷ ଖରିଫ ଋତୁରେ ୯୯.୭୧ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଇଛି। ଗତବର୍ଷ ଏହି ସମୟରେ ଏହା ଥିଲା ୭୯.୩୦ ଲକ୍ଷ ହେକ୍ଟର। ଏଥର ଏଯାଏଁ ୧୩୭.୧୩ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ମୋଟାଶସ୍ୟ ଚାଷ ହୋଇଛି । ଗତବର୍ଷ ଏହି ସମୟରେ ଏହି ପରିମାଣ ଥିଲା ୧୨୦.୩୦ ଲକ୍ଷ ହେକ୍ଟର।

ଏହାବାଦ ଏଥର ଏଯାଏଁ ପ୍ରାୟ ୧୬୬.୩୬ ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଛି। ଗତବର୍ଷ ଏହି ସମୟ ସୁଦ୍ଧା ୧୩୩.୫୬ ଲକ୍ଷ ହେକ୍ଟର ଜମିରେ ଏହି ଚାଷ ହୋଇଥିଲା। ଗତବର୍ଷ ଏହି ସମୟ ମଧ୍ୟରେ ୫୧.୦୨ ଲକ୍ଷ ହେକ୍ଟର ଜମିରେ ଆଖୁଚାଷ ହୋଇଥିବାବେଳେ ଏବର୍ଷ ତାହା ବର୍ତ୍ତମାନ ସୁଦ୍ଧା ୫୧.୫୪ ଲକ୍ଷ ହେକ୍ଟରରେ ପହଞ୍ଚିଛି।

ଚଳିତ ବର୍ଷ ୬.୯୪ ଲକ୍ଷ ହେକ୍ଟର ଜମିରେ ଝୋଟ ଓ ମେସ୍ତା ଚାଷ କରାଯାଇଛି । ଗତବର୍ଷ ଏହି ସମୟ ମଧ୍ୟରେ ଏହା ଥିଲା ୬.୮୪ ଲକ୍ଷ ହେକ୍ଟର। କପା ଚାଷରେ ମଧ୍ୟ ପୂର୍ବ ବର୍ଷ ତୁଳନାରେ ଅଗ୍ରଗତି ହୋଇଛି। ଏବର୍ଷ ଏଯାଏଁ ୧୧୮.୦୩ ଲକ୍ଷ ହେକ୍ଟର ଜମିରେ କପାଚାଷ କରାଯାଇଛି । ଗତବର୍ଷ ଏହି ପରିମାଣ ଥିଲା ୯୬.୩୫ ଲକ୍ଷ ହେକ୍ଟର।

କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ ଅନୁସାରେ ଦେଶର ୧୨୩ଟି ଜଳଭଣ୍ଡାରରେ ବର୍ତ୍ତମାନ ସୁଦ୍ଧା ଯେତେ ଜଳ ମହଜୁଦ ଅଛି ତାହା ଗତବର୍ଷର ଏହି ସମୟ ତୁଳନାରେ ୧୫୫ ଶତାଂଶ ।

ରବି ଫସଲ ବିପଣନ ଋତୁ ୨୦୨୦-୨୧ରେ ଏଫ୍‌ସିଆଇ ପାଖରେ ମୋଟ ୪୨୦.୯୦ ଲକ୍ଷ ମେଟ୍ରିକ ଟନ ଗହମ ଆସି ପହଞ୍ଚିଛି । ସେଥିମଧ୍ୟରୁ ଏଫ୍‌ସିଆଇ ୩୮୯.୭୫ ଲକ୍ଷ ମେଟ୍ରିକ ଟନ କ୍ରୟ କରିସାରିଛି ବୋଲି ସୂଚନା ମିଳିଛି।

Related story