ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁର ତଦନ୍ତ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁନୀଲ ସିଂହ ନାମକ ଜଣେ ଫିଲ୍ମ ନିର୍ମାତା ଶ୍ରୀଦେବୀଙ୍କ ମୃତ୍ୟୁର ତଦନ୍ତ ପାଇଁ ଆବେଦନ କରିଥିଲେ। ସେ ଦର୍ଶାଇଥିଲେ ଯେ, ଶ୍ରୀଦେବୀଙ୍କ ନାଁରେ ଓମାନରେ ୨୪୦ କୋଟି ଟଙ୍କାର ବୀମା ଅଛି। ଯଦି କେବଳ ୟୁଏଇରେ ତାଙ୍କର ମୃତ୍ୟୁ ହେବ, ତାହାଲେ ବୀମା ରାଶି ମିଳିବାର ନିୟମ ରହିଥିଲା। ତେଣୁ ଶ୍ରୀଦେବୀଙ୍କ ମୃତ୍ୟୁରେ ସନ୍ଦେହପ୍ରକାଶ କରି ସେ ତଦନ୍ତ ଲାଗି ଆବେଦନ କରିଥିଲେ। ଆଗରୁ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏପରି ଆବେଦନ କରିଥିଲେ ସୁନୀଲ ସିଂହ। ଦିଲ୍ଲୀ ହାଇକୋର୍ଟ ତାକୁ ଖାରଜ କରିଦେବା ପରେ ସୁପ୍ରିମକୋର୍ଟ ଯାଇଥିଲେ ସୁନୀଲ। ପ୍ରଧାନ ବିଚାରପତି ଦୀପକ ମିଶ୍ର ସେହି ଆବେଦନକୁ ଖାରଜ କରି କହିଛନ୍ତି, ତଦନ୍ତରେ ହସ୍ତକ୍ଷେପ କରାଯାଇପାରିବ ନାହିଁ। ଆଗରୁ ମଧ୍ୟ ଏପରି ଦୁଇଟି ଆବେଦନ ଖାରଜ କରାଯାଇଛି। ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଦୁବାଇ ଯାଇଥିବା ବେଳେ ଗତ ଫେବ୍ରୁଆରି ୨୪ ତାରିଖରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। ହୋଟେଲରେ ରହୁଥିବା ବେଳେ ବାଥ୍ ଟବରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସେଠାକାର ଫୋରେନସିକ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।