/odisha-reporter/media/post_attachments/uploads/2020/06/SupremeCourt-666.jpg)
SupremeCourt
ନୂଆଦିଲ୍ଲୀ: ଏସସି-ଏସଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଏସସି-ଏସଟିକୁ ଦିଆଯାଇଥିବା ସଂରକ୍ଷଣରେ ରାଜ୍ୟ ସରକାର ଶ୍ରେଣୀ ତିଆରି କରିପାରିବେ। ଏହାର ଅର୍ଥ ସରକାର ଚାହିଁଲେ ସଂରକ୍ଷଣ ଭିତରେ ସଂରକ୍ଷଣ ନୀତି କାର୍ଯ୍ୟକାରୀ କରିପାରିବେ। ଏ ସୁବିଧା ଏହି ସଂରକ୍ଷଣ ବର୍ଗରେ ଥାଇ ମଧ୍ୟ ସଂରକ୍ଷଣ ପାଇବାକୁ ସକ୍ଷମ ହୋଇ ନ ଥିବା ଲୋକଙ୍କୁ ଦିଆଯାଇପାରିବ। ଏହାର ଉଦ୍ଦେଶ୍ୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ଶ୍ରେଣୀର ସଂରକ୍ଷଣର ଲାଭ ଏହି ଗୋଷ୍ଠୀର ଲୋକଙ୍କୁ ଦିଆଯିବ ଯେଉଁମାନେ ଏପର୍ଯ୍ୟନ୍ତ ବହୁତ ପଛୁଆ ରହିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଜଷ୍ଟିସ ଅରୁଣ ମିଶ୍ରଙ୍କ ବେଞ୍ଚ ରାୟ ଶୁଣାଣି ବେଳେ କହିଛନ୍ତି ଯେ ଯଦି ରାଜ୍ୟରେ ସଂରକ୍ଷଣ ଦେବାର କ୍ଷମତା ଅଛି, ତା’ହେଲେ ଏହାର ଲାଭ ସମସ୍ତଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ସରକାର ଦାୟିତ୍ୱବାନ ହେବା ଉଚିତ। ଏହି ରାୟ ପୂର୍ବରୁ ରାଷ୍ଟ୍ରପତି ଏ ସଂକ୍ରାନ୍ତରେ କରିଥିବା ଆଦେଶର କୌଣସି କ୍ଷତି ହେବ ନାହିଁ।
ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି ବେଳେ ୨୦୦୪ରେ ଇଭି ଚିନ୍ନାୟା ଏବଂ ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଏକ ନିଷ୍ପତ୍ତିର ସମୀକ୍ଷା କରିବାକୁ କହିଛନ୍ତି। ଯେଉଁଥିରେ ରାଜ୍ୟମାନଙ୍କୁ ଏସସି-ଏସଟି ସଂରକ୍ଷଣ ଶ୍ରେଣୀଭୁକ୍ତ କରିବାକୁ କ୍ଷମତା ଦିଆଯାଇ ନାହିଁ। ଏହି ନିଷ୍ପତ୍ତିର ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ୭ ଜଣ ବିଚାରପତିଙ୍କ ଏକ ବେଞ୍ଚକୁ ଏହି ମାମଲା ଦାୟର କରିଛନ୍ତି।
ସୂଚନାଯୋଗ୍ୟ, ୨୦୦୬ ମସିହାରେ ପଞ୍ଜାବ ସରକାର ଦୁଇଟି ଜାତି (ବାଲ୍ମିକି ଏବଂ ମଜହବି) କୁ ୫୦ ପ୍ରତିଶତ ଏସସି-ଏସଟିଙ୍କୁ ସଂରକ୍ଷଣ ପ୍ରଦାନ କରିବାକୁ ଏକ ଆଇନ ପ୍ରସ୍ତୁତ କରିଥିଲେ। ହେଲେ ଏହା ପୂର୍ବରୁ ୨୦୦୪ ରେ ୫ ଜଣିଆ ବିଚାରପତି ବେଞ୍ଚ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେତେବେଳେ କୋର୍ଟ କହିଥିଲେ ଯେ ରାଜ୍ୟମାନଙ୍କର ଅଧିକାର ନାହିଁ। ତେବେ ପରବର୍ତ୍ତୀ ସମୟରେ ୫ ଜଣିଆ ବିଚାରପତି ବେଞ୍ଚ ଏହି ଆଇନକୁ ଯଥାର୍ଥ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
