ମୁମ୍ୱାଇ: କେବଳ ମହାରାଷ୍ଟ୍ର ନୁହେଁ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି ଶିବସେନା-ଏନସିପି-କଂଗ୍ରେସ (ମହା ବିକାଶ ଅଘାଡି) ବିଜେପିକୁ ଚେକ୍ ଦେବ। ଶିବସେନାର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆଜି ଏଭଳି ଇଙ୍ଗିତ ଦେଇଛନ୍ତି। ଆସନ୍ତାକାଲି ଉଦ୍ଧବ ଠାକରେ ଶପଥ ଗ୍ରହଣ କରିବା ପରେ ସମସ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି। ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏହି ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ବିରୋଧରେ ଏକାଠି ରହିବେ ବୋଲି ସଙ୍କେତ ଦେଇଛନ୍ତି।
ସଞ୍ଜୟ ରାଉତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସୂର୍ଯ୍ୟଯାନ ମହାରାଷ୍ଟ୍ରରେ ସୁରକ୍ଷିତ ଭାବରେ ସଫ୍ଟ ଲ୍ୟାଣ୍ଡିଂ କରିଛି, ଆଗାମୀ ଦିନରେ ଦିଲ୍ଲୀରେ ମଧ୍ୟ ଲ୍ୟାଣ୍ଡିଂ କରିପାରେ। ଏଥିପାଇଁ ଆଶ୍ଚର୍ଯ୍ୟ ହେବାର ନାହିଁ। ପୂର୍ବରୁ ଆକଳନ କରି ମୁଁ କହିଥିଲି ମାତୃଛାୟା (ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ)ର ୬ ମହଲାରେ ରହିଛି। ହେଲେ ସେତେବେଳେ ମୋ କଥାକୁ କେହି ଗ୍ରହଣ କରିନଥିଲେ। ଏବେ ସତ ହୋଇଛି’।
ସେହିପରି ଏନସିପିର ଜଣେ ନେତା ନା ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଝାଡ଼ଖଣ୍ଡରେ ନଭେମ୍ୱର ୩୦ରୁ ନିର୍ବାଚନ ହେଉଛି। ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏହି ସମୟରେ ମହା ବିକାଶ ଅଘାଡି ମଧ୍ୟ ବିଜେପି ବିରୋଧରେ ସ୍ୱର ଶାଣିତ କରିବ ବୋଲି ସେ କହିଛନ୍ତି।
ଶିବସେନା, ଏନସିପି ଝାଡ଼ଖଣ୍ଡ କଂଗ୍ରେସ ଏବଂ ମେଣ୍ଚରେ ଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ହେମନ୍ତ ସୋରେନଙ୍କୁ ମଧ୍ୟ ନିର୍ବାଚନରେ ପ୍ରଚାର କାର୍ଯ୍ୟକ୍ରମ ସ୍ଥିର କରିବାକୁ କହିଛନ୍ତି। ସେହିପରି ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ବେଳେ ଏନସିପି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆପ୍ ସହ ମିଶି ନିର୍ବାଚନ ଲଢ଼ିବାକୁ ଚିନ୍ତା କରାଯାଉଛି ବୋଲି ଅନ୍ୟ ଜଣେ ଏନସିପି ନେତା କହିଛନ୍ତି।