ନୂଆଦିଲ୍ଲୀ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ଘଟଣାର ଖୋଳତାଡ଼ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତରେ ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।
ସୁଶାନ୍ତ ସିଂହ ରାଜପୁତ ୨ରୁ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରୋଜେକ୍ଟରୁ ୩୦ରୁ ୩୫ କୋଟି ଟଙ୍କା ଆୟ କରିଥିଲେ ବୋଲି ଇଡି ଜାଣିବାକୁ ପାଇଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ଘଟଣାରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଅଭିଯୁକ୍ତ ରହିଛନ୍ତି। ରିୟା ଓ ତାଙ୍କ ପରିବାରକୁ ଇଡି ଘନଘନ ଜେରା କରିଛି। ଏହି ସମୟରେ ଇଡି ସୁଶାନ୍ତଙ୍କ ଆକାଉଣ୍ଟ ମଧ୍ୟ ଖୋଳତାଡ଼ କରିଥିଲା। ଛାନିଭନ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ଇଡି ଆଗରେ ସୁଶାନ୍ତଙ୍କ ଟାଲେଣ୍ଟ ମ୍ୟାନେଜର ଜୟନ୍ତୀ ସାହା କହିଛନ୍ତି ଯେ ସୁଶାନ୍ତ ୨ରୁ ୩ ବର୍ଷ ମଧ୍ୟରେ ୩୦ରୁ ୩୫ କୋଟି ଟଙ୍କା ଆୟ କରିଥିଲେ। ବ୍ୟାଙ୍କ ଡକ୍ୟୁମେଣ୍ଟ ଓ ବିଭିନ୍ନ କାଗଜପତ୍ରରୁ ତାଙ୍କ ବୟାନରେ ସତ୍ୟତା ଥିବା ମଧ୍ୟ ସ୍ପଷ୍ଟ ହୋଇଛି। ଇଡି ଏବେ ସୁଶାନ୍ତଙ୍କ ଆୟ ସହ ତାଙ୍କର ବ୍ୟୟ ଓ ବିଭିନ୍ନ ପୁଞ୍ଜି ନିବେଶ ତଥ୍ୟକୁ ମେଳ କରାଇ ପୂରା ଘଟଣା ଉପରୁ ପର୍ଦ୍ଦା ଉଠାଇବ। ଏହି ଅର୍ଥ ସୁଶାନ୍ତଙ୍କ ଆକାଉଣ୍ଟରେ ରହିଛି ନା ଏହା ଅନ୍ୟ କେଉଁଠି ଓ କ’ଣ ପାଇଁ ଖର୍ଚ୍ଚ ହୋଇଛି, ତାହା ଜଣାପଡ଼ିନାହିଁ।
ଅନ୍ୟପକ୍ଷରେ ରିୟାଙ୍କ ଟିକସ ପରାମର୍ଶଦାତା ରିତେଶ ମୋଦି ମଧ୍ୟ ବିଭିନ୍ନ ଦସ୍ତାବିଜ ଦାଖଲ କରିଛନ୍ତି। ଏହି ଦସ୍ତାବିଜକୁ ଛାନଭିନ କରିବା ପରେ ଇଡି ସାହା ଓ ମୋଦିଙ୍କୁ ଜେରା ପାଇଁ ପୁଣି ଡାକିବ। ସେହିପରି ସୁଶାନ୍ତଙ୍କ ସିଏ ସନ୍ଦୀପ ଶ୍ରୀଧରଙ୍କୁ ବି ଇଡି ପୁଣିଥରେ ସମନ କରିବ। ଏଥିସହ ଇଡି ସୁଶାନ୍ତଙ୍କ ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।