Advertisment

ବ୍ୟାନ୍ ହେବା ପରେ 'ଟିକଟକ୍' ରଖିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତ ସରକାର ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଟିକଟକ୍ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଏନେଇ ଟିକଟକ ଭାରତ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ପ୍ରକ୍ରିୟା ଦିଗରେ କାମ କରୁଛି ବୋଲି କହିଛି। ଅନ୍ୟପଟେ ଗୁଗଲ ପ୍ଲେ-ଷ୍ଟୋର୍ ଏବଂ ଆଇଫୋନରୁ ଏହି ଆପ୍ ହଟାଇ ଦିଆଯାଇଛି। ସାରା ଦେଶରେ ସର୍ବାଧିକ ଲୋକପ୍ରିୟ ତଥା ବିବାଦୀୟ ଚାଇନିଜ୍ ଆପ୍ ଟିକଟକ କହିଛି ଯେ, ଭାରତୀୟ ଆଇନ ଅନୁଯାୟୀ ଲୋକଙ୍କ ତଥ୍ୟକୁ ଗୋପନୀୟ ରଖାଯିବା ସହ ସୁରକ୍ଷା […]

author-image
Pragnya Choudhury
ବ୍ୟାନ୍ ହେବା ପରେ 'ଟିକଟକ୍' ରଖିଲା ପ୍ରତିକ୍ରିୟା

tiktok

ନୂଆଦିଲ୍ଲୀ: ଭାରତ ସରକାର ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଟିକଟକ୍ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଏନେଇ ଟିକଟକ ଭାରତ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ପ୍ରକ୍ରିୟା ଦିଗରେ କାମ କରୁଛି ବୋଲି କହିଛି। ଅନ୍ୟପଟେ ଗୁଗଲ ପ୍ଲେ-ଷ୍ଟୋର୍ ଏବଂ ଆଇଫୋନରୁ ଏହି ଆପ୍ ହଟାଇ ଦିଆଯାଇଛି। ସାରା ଦେଶରେ ସର୍ବାଧିକ ଲୋକପ୍ରିୟ ତଥା ବିବାଦୀୟ ଚାଇନିଜ୍ ଆପ୍ ଟିକଟକ କହିଛି ଯେ, ଭାରତୀୟ ଆଇନ ଅନୁଯାୟୀ ଲୋକଙ୍କ ତଥ୍ୟକୁ ଗୋପନୀୟ ରଖାଯିବା ସହ ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ଆବଶ୍ୟକତା ପାଳନ କରାଯିବ।

Advertisment

ଏହାସହ ଟିକଟକ କହିଛି ଯେ, "ଆମେ କୌଣସି ଭାରତୀୟ ଟିକଟକ୍ ୟୁଜରଙ୍କ ତଥ୍ୟ କୌଣସି ବିଦେଶୀ ସରକାର ବା ଚୀନ ସରକାରଙ୍କୁ ଦେଇନାହୁଁ।" ତେବେ ଟିକଟକକୁ ଏନେଇ ନିଜ ପକ୍ଷର ସ୍ପଷ୍ଟୀକରଣ ଏବଂ ଜବାବ ଦାଖଲ କରିବା ଲାଗି ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ସହ ସାକ୍ଷାତ କରିବାକୁ ଡକାଯାଇଛି ବୋଲି ଟିକଟକ ଇଣ୍ଡିଆ ମୁଖ୍ୟ ନିଖିଲ ଗାନ୍ଧି ଏକ ବୟାନ ଜାରି କରି କହିଛନ୍ତି।

ଗାନ୍ଧି କହିଛନ୍ତି, ଟିକଟକ ନିଜ ପ୍ଲାଟଫର୍ମରେ ୧୪ଟି ଭାରତୀୟ ଭାରତୀୟ ଭାଷାରେ ଉପଲବ୍ଧ କରାଇ ଇଣ୍ଟରନେଟକୁ ଗଣତନ୍ତ୍ରୀକରଣ କରିଛି। ଲକ୍ଷ ଲକ୍ଷ ଲୋକ ଏହି ଆପ୍ ବ୍ୟବହାର କରନ୍ତି। ଏମାନଙ୍କ ମଧ୍ୟରେ କିଛି କଳାକାର, କାହାଣୀକାର, ଶିକ୍ଷକ ମଧ୍ୟ ଅଛନ୍ତି, ଯେଉଁମାନେ ନିଜ ଜୀବନ ଅନୁସାରେ ଭିଡିଓ କରୁଛନ୍ତି। ତେବେ କିଛି ଏଭଳି ୟୁଜର୍ସ ମଧ୍ୟ ଅଛନ୍ତି, ଯେଉଁମାନେ ପ୍ରଥମ ଥର ଟିକଟକ ମାଧ୍ୟମରେ ଇଣ୍ଟରନେଟ୍ ଦୁନିଆରେ ପାଦ ଦେଇଛନ୍ତି ବୋଲି ସେ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଟିକଟକ, ୟୁସି ବ୍ରାଉଜର, ଭି-ଚ୍ୟାଟ୍, ଶେୟାର-ଇଟ୍, କ୍ୟାମ ସ୍କାନର ଭଳି ୫୯ଟି ଚାଇନିଜ ଆପକୁ ଭାରତ ସରକାର ସାରା ଦେଶରେ ବ୍ୟାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସବୁ ଆପ୍ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ସୁରକ୍ଷା, ରାଷ୍ଟ୍ରର ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପାଇଁ କ୍ଷତିକାରକ।

ପ୍ରକୃତରେ ଲଦାଖରେ ଗଲଓ୍ୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଥାଉ କି, ଗତ ୧୫ ଏବଂ ୧୬ ଦିନ ଚୀନ ସୈନଙ୍କ ହିଂସାକାଣ୍ଡ ଯୋଗୁ ୨୦ ଜଣ ଭାରତୀୟ ବୀର ଯବାନ ଶହିଦ ହୋଇଗଲେ। ଏହା ପରେ ସାରା ଦେଶରେ ଚୀନ ପ୍ରତି ବିଦ୍ରୋହର ସ୍ୱର ଉଠିଛି।