ୱାଶିଂଟନ: ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚି ଯାଇଛି। ଏବେ ଆମାରିକାରେ ରହି କାର୍ଯ୍ୟ କରୁଥିବା ଚାଇନାର ସାମ୍ବାଦିକଙ୍କ ରହଣି ଉପରେ ଟ୍ରମ୍ପ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆମେରିକାରେ କାର୍ଯ୍ୟରତ ଚାଇନା ସାମ୍ବାଦିକମାନେ ଏଣିକି କେବଳ ୯୦ ଦିନ ପାଇଁ ରହିପାରିବେ। ସେହିପରି ଏହି ସମୟ ଶେଷ ହୋଇଗଲା ପରେ ସେମାନେ ପୁଣି ଅନୁମତି ନେବାକୁ ଆବେଦନ କରିବେ।
ପୂର୍ବରୁ ଆମେରିକା ସାଧାରଣତଃ ବିଦେଶୀ ସାମ୍ବାଦିକମାନଙ୍କ ରହଣି ସମୟ ସୀମା ୨୪୦ ଦିନ ମଧ୍ୟରେ ସୀମିତ ରଖିଥିଲା। ଏହା ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ପୁଣି ସମାନ ସମୟର ରହଣି ପାଇଁ ଅନୁମତି ପ୍ରଦାନ କରାଯାଉଥିଲା। ତେବେ ଚାଇନାର ସାମ୍ବାଦିକଙ୍କ ପାଇଁ ଟ୍ରମ୍ପ ପ୍ରଶାସନ ଏହି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି।
ଆମେରିକା ଗୃହ ବିଭାଗର ପ୍ରସ୍ତାବ ଅନୁସାରେ ଆମେରିକାରେ ବାହାର ଦେଶର ଛାତ୍ର, ଅନୁସନ୍ଧାନକାରୀ ଓ ସାମ୍ବାଦିକଙ୍କ ଭିସା ଉପରେ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ କରାଯିବା ଉଚିତ। ବିଦେଶୀ ସାମ୍ବାଦିକ ଓ ସେମାନଙ୍କର ପରିବାର ଭିସା ସମାପ୍ତ ହେବା ପରେ କିମ୍ବା ସେମାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ତୁରନ୍ତ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଦେଶ ଛାଡିବାକୁ ପଡ଼ିବ ବୋଲି ଏଥିରେ କୁହାଯାଇଛି।
ସୂଚନା ଅନୁସାରେ, ମାର୍ଚ୍ଚ ମାସରେ ଆମେରିକାର ସ୍ୱରାଷ୍ଟ୍ର ବିଭାଗ ଚାଇନାର ଗଣମାଧ୍ୟମ ଆମେରିକାରେ ନିଯୁକ୍ତ କରିଥିବା କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ କହିଥିଲା। ଚାଇନାର ଚାରୋଟି ରାଷ୍ଟ୍ରାୟତ୍ତ ଗଣମାଧ୍ୟମ - ଜିନହୁଆ ନ୍ୟୁଜ୍ ଏଜେନ୍ସି, ଚାଇନା ଗ୍ଲୋବାଲ ଟେଲିଭିଜନ ନେଟୱାର୍କ, ଚାଇନା ରେଡିଓ ଇଣ୍ଟରନ୍ୟାସନାଲ ଓ ଚାଇନା ଡେଲିରେ କାମ କରୁଥିବା ୧୬୦ ଜଣ କର୍ମଚାରୀଙ୍କ ସଂଖ୍ୟାକୁ ୧୦୦କୁ ହ୍ରାସ କରିବାକୁ କୁହାଯାଇଥିଲା।