ଜାତିସଂଘ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ପିଓକେରୁ ହଟିବ ପାକିସ୍ତାନ

ଇସଲାମାବାଦ: ପାକସ୍ତାନ ମାଟିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଦେଇଥିବା ବୟାନ ଏବେ ଇସଲାମାବାଦ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଗୃହୀତ ହୋଇଥିବା ସଂକଳ୍ପ ଲାଗୁ କରାଯିବା ଉଚିତ ବୋଲି ଗୁଟେରସ କହିଛନ୍ତି। ଏହାର ଅର୍ଥ ପାକିସ୍ତାନ ପ୍ରଥମେ ପିଓକେରୁ ହଟିବ ବୋଲି ସେ ପରୋକ୍ଷରେ ସଙ୍କେତ ଦେଇଛନ୍ତି। କାରଣ ୧୯୪୮ ମସିହା ଏପ୍ରିଲ ୨୧ରେ ଜାତିସଂଘ ସୁରକ୍ଷା ପରିଷଦରେ ଏକ ସଂକଳ୍ପ […]

v

Hemant Lenka
  • Published: Monday, 17 February 2020
  • , Updated: 17 February 2020, 12:25 PM IST

ଇସଲାମାବାଦ: ପାକସ୍ତାନ ମାଟିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଦେଇଥିବା ବୟାନ ଏବେ ଇସଲାମାବାଦ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଗୃହୀତ ହୋଇଥିବା ସଂକଳ୍ପ ଲାଗୁ କରାଯିବା ଉଚିତ ବୋଲି ଗୁଟେରସ କହିଛନ୍ତି। ଏହାର ଅର୍ଥ ପାକିସ୍ତାନ ପ୍ରଥମେ ପିଓକେରୁ ହଟିବ ବୋଲି ସେ ପରୋକ୍ଷରେ ସଙ୍କେତ ଦେଇଛନ୍ତି।

କାରଣ ୧୯୪୮ ମସିହା ଏପ୍ରିଲ ୨୧ରେ ଜାତିସଂଘ ସୁରକ୍ଷା ପରିଷଦରେ ଏକ ସଂକଳ୍ପ ପାରିତ ହୋଇଥିଲା। ଏହା ସୁରକ୍ଷା ପରିଷଦର ୪୭ତମ ସଂକଳ୍ପ ଭାବେ ପରିଗୃହୀତ। ଏଥିରେ କୁହାଯାଇଥିଲା ଯେ ପାକିସ୍ତାନ ସରକାର ପ୍ରଥମେ ଆଦିବାସୀ ଓ ଲଢ଼େଇ କରିବା ପାଇଁ ଅଖଣ୍ଡ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଥିବା ପାକିସ୍ତାନୀ ନାଗରିକଙ୍କୁ ପ୍ରତ୍ୟାହାର କରିନେବା ଉଚିତ।

ସେହିପରି ଜମ୍ମୁ-କଶ୍ମୀର ମଧ୍ୟକୁ ପାକିସ୍ତାନରୁ ହେଉଥିବା ଅନୁପ୍ରେବଶକୁ ରୋକାଯିବା ଦରକାର। ଏହାବାଦ୍‌ ଅଖଣ୍ଡ କଶ୍ମୀରରେ ଲଢ଼େଇ କରିବାକୁ ପାକିସ୍ତାନରୁ ଆସୁଥିବା ସହଯୋଗ ମଧ୍ୟ ବନ୍ଦ କରିବା ପାଇଁ ପାକିସ୍ତାନ ସରକାର ପଦକ୍ଷେପ ନେବା ଦରକାର। ତେଣୁ ଯଦି ଏହି ସଂକଳ୍ପ ଲାଗୁ କରିବାକୁ ଜାତିସଂଘ ଚାହିଁବ, ତା’ହେଲେ ପାକିସ୍ତାନ ହାତରୁ ପିଓକେ ବା ପୋକ୍‌ ଚାଲିଯିବ। ଜମ୍ମୁ-କଶ୍ମୀରରୁ ପିଓକେକୁ ଅଲଗା କରି ପାକିସ୍ତାନ ନିଜ ଦଖଲରେ ରଖିଛି।

ପାକିସ୍ତାନ ଗସ୍ତରେ ଯାଇଥିବା ଗୁଟେରସ କହିଛନ୍ତି ଯେ “ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ଲାଗୁ କରିବା ଦିଗରେ ଆମକୁ ବିଚାର କରିବାକୁ ପଡ଼ିବ। ଏହାଦ୍ୱାରା ଶାନ୍ତି ଓ ଆଲୋଚନାର ବାଟ ଫିଟି ପାରିବ। ଜମ୍ମୁ-କଶ୍ମୀରରେ ଆମକୁ ମାନବାଧିକାର ଓ ମୌଳିକ ଅଧିକାରକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ। ଭାରତ ଓ ପାକିସ୍ତାନ ନିଜ ଭିତରେ ଥିବା ବିବାଦକୁ ସମାଧାନ କରିବା ପାଇଁ ଉଦ୍ୟମ କରିବା ଉଚିତ।

ଜମ୍ମୁ-କଶ୍ମୀର ଓ ଏଲଓସିରେ ଜାରି ରହିଥିବା ପରିସ୍ଥିତି ଉପରେ ଆମର ନଜର ରହିଛି। କୂଟନୀତିକ ସମ୍ପର୍କ ଓ ଆଲୋଚନା ହିଁ ଶାନ୍ତି ଏବଂ ସ୍ଥିରତା ପାଇଁ ଉପଯୁକ୍ତ ମାଧ୍ୟମ। ଜାତିସଂଘ ଓ ଜାତିସଂଘ ସୁରକ୍ଷା ପରିଷଦ ସର୍ବଦା ଏହାକୁ ଗୁରୁତ୍ୱ ଦେଇ ଆସିଛି। ଯଦି ଭାରତ ଓ ପାକିସ୍ତାନ ଚାହିଁବେ, ତା’ହେଲେ ବିବାଦ ସମାଧାନ କରିବାକୁ ମୁଁ ମଧ୍ୟସ୍ଥି ସାଜିବାକୁ ପ୍ରସ୍ତୁତ ରହିଛି।”

ତେବେ ଗୁଟେରସଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ସରକାର ଅଗ୍ରାହ୍ୟ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଜମ୍ମୁ-କଶ୍ମୀରକୁ ଯଦି କୌଣସି ପ୍ରସଙ୍ଗ ରହିଛି, ତା’ହେଲେ ସେଇଟା ହେଉଛି ପିଓକେ। ପାକିସ୍ତାନ ବଳପୂର୍ବକ ଓ ବେଆଇନ ଭାବେ ପିଓକେକୁ ଦଖଲ କରିଛି। ଏହାବାଦ ଯେଉଁ ସବୁ ପ୍ରସଙ୍ଗ ରହିଛି, ସେଗୁଡ଼ିକ ଦ୍ୱିପାକ୍ଷିକ। ଏଠାରେ କୌଣସି ତୃତୀୟ ପକ୍ଷର ଭୂମିକା ନାହିଁ।

Related story