କୋଲକାତା : ପଶ୍ଚିମବଙ୍ଗ ବସିରହାଟ୍ ନିର୍ବାଚନମଣ୍ଡଳୀର ଧନୀପରା ଗାଁରେ ସଂଘଟିତ ହିଂସାକାଣ୍ଡ ବାବଦରେ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ତଲବ କରିଛି ଗୃହ ମନ୍ତ୍ରଣାଳୟ। ଏହି ଘଟଣାରେ ଜଣେ ଟିଏମ୍ସି କର୍ମୀ ଏବଂ ୨ ଜଣ ବିଜେପି କର୍ମୀଙ୍କର ହତ୍ୟା ହୋଇଥିଲା। ବିଜେପି ଦାବି କରିଆସୁଛି ଏହି ହତ୍ୟାକାଣ୍ଡ ତୃଣମୂଳ ସମର୍ଥିତ ଗୁଣ୍ଡାମାନଙ୍କ କାର୍ଯ୍ୟ।
ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମୁକୁଲ ରୟ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଜଣାଇବା ସହ ଶନିବାର ସନ୍ଧ୍ୟାରେ ରିପୋର୍ଟ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶ୍ଚର୍ଯ୍ୟଜନକ ଭାବରେ ଚୁପ୍ ରହିଛନ୍ତି।
ତେବେ ଏହି ଘଟଣାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପକୁ ସହଜରେ ଗ୍ରହଣ କରିପାରିନାହିଁ ଟିଏମ୍ସି। ଦଳ ପକ୍ଷରୁ କୁହାଯାଇଛି ଏହା ପଶ୍ଚିମବଙ୍ଗ ସରକାରଙ୍କର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା। ଆଇନ ଶୃଙ୍ଖଳା ରାଜ୍ୟସ୍ତରୀୟ ପ୍ରସଙ୍ଗ। କେନ୍ଦ୍ର ଗୃହମନ୍ତ୍ରୀ ମନେ ରଖିବା ଦରକାର ସେ ଦେଶର ଗୃହମନ୍ତ୍ରୀ, ବିଜେପିର ନୁହେଁ। ଅନ୍ୟ ପକ୍ଷରେ ଟିଏମ୍ସି ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି, ସେମାନେ ବାମପନ୍ଥୀଙ୍କ ଭୋଟ୍ ପାଇ କିଛି ଆସନ ଜିତିଯାଇପାରିଥାନ୍ତି, କିନ୍ତୁ ଟିଏମ୍ସିର ଭୋଟ୍ଭାଗ ବୃହତ୍। ସେମାନେ ଜିତିବା ପାଇଁ ବ୍ୟାକୁଳ, ତେଣୁ ହିଂସାକାଣ୍ଡ ଘଟାଉଛନ୍ତି।
ସୂଚନାଯୋଗ୍ୟ, ଏହି ହିଂସାକାଣ୍ଡରେ ୨୬ ବର୍ଷୀୟ ଟିଏମସି କର୍ମୀ କ୍ୟୁମ୍ ମୋଲହା ଗୁଳିର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ବିଜେପି କର୍ମୀ ପ୍ରଦୀପ ମଣ୍ଡଳ ଏବଂ ସୁକାନ୍ତ ମଣ୍ଡଳଙ୍କର ମୃତ୍ୟୁ ହୋଇଛି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ବାମ ଆଖିରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ପୂର୍ବରୁ ଓ ପରେ ଆଜି ଯାଏ ରାଜନୀତିକ ହିଂସାରେ ପଶ୍ଚିମବଙ୍ଗରେ ୫୪ ଜଣ ବିଜେପି କର୍ମୀ ହତ୍ୟାର ଶିକାର ହୋଇଥିବା ବିଜେପି ଦାବି କରିଆସୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।