ନୂଆଦିଲ୍ଲୀ: ଆଉ ଭଡ଼ାରେ ଚାଲିବ ନାହିଁ ଆଇଆଇଟି, ଏନଆଇଟି ଏବଂ ଆଇଆଇଏମ୍ ଭଳି କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସଂସ୍ଥା। ରାଜ୍ୟ ସରକାର ମାସେ ମଧ୍ୟରେ ଏଭଳି ରାଷ୍ଟ୍ରୀୟ ସଂସ୍ଥା ପାଇଁ ଜାଗା ଯୋଗାଇ ଦେବା ଦରକାର। ନହେଲେ ଏସବୁ ଶିକ୍ଷାନୁଷ୍ଠାନ ଅନ୍ୟତ୍ର ସ୍ଥାନାନ୍ତର ହୋଇଯିବ।
ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଗତକାଲି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଆଇଆଇଟି, ଆଇଆଇଏମ ଭଳି ସଂସ୍ଥା ଅନ୍ୟ କେଉଁ ରାଜ୍ୟକୁ ସ୍ଥାନାନ୍ତର ହେଲେ ରାଜ୍ୟ ସରକାର ଏଥିପାଇଁ ଦାୟୀ ରହିବେ। କାରଣ ପ୍ରତ୍ୟେକ ରାଜ୍ୟର ୫୦ ପ୍ରତିଶତ କୋଟା ରହିଛି। ଏହାଦ୍ୱାରା ଏଭଳି ଶିକ୍ଷାନୁଷ୍ଠାନରେ ସମ୍ପୃକ୍ତ ରାଜ୍ୟର ପିଲାଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ସଂରକ୍ଷଣ ରହିଥାଏ। ତେଣୁ ଅନ୍ୟ କେଉଁଠିକୁ ସ୍ଥାନାନ୍ତର ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ମାନବ ସମ୍ୱଳ ବିକାଶ ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଗତମାସ ଦେଶର ସମସ୍ତ ଆଇଆଇଟି, ଏମଆଇଟି, ଆଇଆଇଆଇଏମର ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିଥିଲେ। ଅଧିକାଂଶ କଲେଜର ନିର୍ଦ୍ଦେଶକ ନିଜସ୍ୱ କ୍ୟାମ୍ପସ ନଥିବା କଥା ମନ୍ତ୍ରୀଙ୍କ ଆଗରେ କହିଥିଲେ। ଏହାଦ୍ୱାରା ପାଠପଢ଼ା ପ୍ରଭାବିତ ହେଉଛି, ଛାତ୍ରଛାତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଅସୁବିଧା ଉପୁଜୁଥିବା ଅନେକ ନିର୍ଦ୍ଦେଶକ କହିଥିଲେ। ଏହାପରେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ରମେଶ ପୋଖରିୟାଲ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଦେଶରେ ଅନେକ ବିଶ୍ୱବିଦ୍ୟାଳୟ, କଲେଜରେ ଅଧ୍ୟାପକ ପଦବୀ ଖାଲି ରହିଛି। ଆଗାମୀ ୩ ବର୍ଷ ମଧ୍ୟରେ ସମସ୍ତ ଖାଲିଥିବା ପଦବୀ ପୂରଣ ହେବ ବୋଲି ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।