ୱାଶିଂଟନ: ରୁଷ ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ଦାବି କରୁଥିଲେ ହେଁ ଏଥିରେ ଆମେରିକା ଏଯାଏ ଭରସା କରିପାରୁ ନାହିଁ। ଆମେରିକାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ଟିକା ନିହାତି ଜରୁରୀ ବୋଲି ଟ୍ରମ୍ପ ପ୍ରଶାସନ ଆଶା କରିଛନ୍ତି।
ଏଥିପାଇଁ ଆଜି ଆମେରିକା ପକ୍ଷରୁ କରୋନା ଟିକା ତିଆରି କରୁଥିବା Moderna Inc ସହ ଆଗୁଆ ଚୁକ୍ତି କରାଯାଇଛି। କମ୍ପାନୀ ଟିକା ପ୍ରସ୍ତୁତ କରିବା କ୍ଷଣି ପ୍ରଥମେ ୧୦୦ ମିଲିୟନ ଡୋଜ ଆମେରିକାକୁ ଦେବ। ଏଥିପାଇଁ ଆମେରିକା ସରକାର ଉକ୍ତ କମ୍ପାନୀ ସହ ୧.୫ ବିଲିୟନ ଡଲାରର ଚୁକ୍ତି କରିଛନ୍ତି। ଏନେଇ କମ୍ପାନୀ ଓ ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି।
Moderna Inc ପ୍ରସ୍ତୁତ କରିଥିବା କରୋନା ଟିକାର ଏବେ ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଚାଲିଛି। ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ମାସରେ ଏହା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। Moderna Incର କରୋନା ଟିକାର ଦୁଇଟି ଡୋଜ ଜଣେ ବ୍ୟକ୍ତି ନେବେ। ଏହାର ମୂଲ୍ୟ ୩୦.୫୦ ଡଲାର ରଖାଯାଇଛି।
Moderna Incର mRNA-1273 କରୋନା ଟିକାର ସବୁ ପରୀକ୍ଷା ସେପ୍ଟେମ୍ବରରେ ସରିବ ବୋଲି କୁହାଯାଉଛି। ଆମେରିକା ସରକାର Moderna Incର କରୋନା ଟିକା ରିସର୍ଚ୍ଚ ବେଳେ ମଧ୍ୟ ୧ ବିଲିୟନ ଡଲାର ଦେଇ କମ୍ପାନୀକୁ ସହଯୋଗ କରିଥିଲା।
Moderna Inc ବ୍ୟତୀତ ଆମେରିକା ସରକାର Johnson & Johnson, AstraZeneca Plc, Pfizer Inc and BioNTech SE, and Sanofi SA and GlaxoSmithKline Plc ପକ୍ଷରୁ ପ୍ରସ୍ତୁତ ହେଉଥିବା କରୋନା ଟିକା କିଣିବାକୁ ମଧ୍ୟ ଚୁକ୍ତି କରିଛନ୍ତି। ଏହାର ଅର୍ଥ କରୋନା ଟିକା ବାହାରିବା ମାତ୍ରେ ଆମେରିକା ବିଭିନ୍ନ କମ୍ପାନୀଗୁଡ଼ିକ ଠାରୁ ୫୦୦ ମିଲିୟନ ଡୋଜନ ନିଜ ଦେଶର ନାଗରିକଙ୍କ ପାଇଁ ମହଜୁଦ କରି ରଖିବ।
କିଛି ଦିନ ତଳେ ଆମେରିକା ପକ୍ଷରୁ ଟିକା ବାହାର କରୁଥିବା ବାଓଟେକ ଫାର୍ମ Novavaxକୁ କରୋନା ପ୍ରତିରୋଧ ଟିକା ତିଆରି କରିବାକୁ ୧.୬ ବିଲିୟନ ଡଲାର ମଞ୍ଜୁର କରିଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।