ନୂଆଦିଲ୍ଲୀ: ଏଥର ଅଗଷ୍ଟ ୧୫ ତାରିଖରେ ପଡ଼ୁଛି ରାକ୍ଷୀ ପୂର୍ଣ୍ଣିମା। ଆଉ ଏହି ରାକ୍ଷୀରେ ସୁଷମା ସ୍ୱରାଜଙ୍କ ଅଭାବ ଅନୁଭବ କରିବେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କାରଣ ସବୁ ବର୍ଷ ସୁଷମା ତାଙ୍କ ହାତରେ ରାଖି ବାନ୍ଧୁଥିଲେ। କିନ୍ତୁ ଏଥର ଆଉ ବାନ୍ଧିପାରିବେ ନାହିଁ। ଗତକାଲି ରାତିରେ କାର୍ଡିଆକ୍ ଆରେଷ୍ଟ୍ରେ ତାଙ୍କର ପରଲୋକ ହୋଇଛି।
ଏଥର ମଧ୍ୟ ସୁଷମା ରାକ୍ଷୀ ବାନ୍ଧିବାକୁ ଉପ-ରାଷ୍ଟ୍ରପତିଙ୍କ ଘରକୁ ଯାଇଥା’ନ୍ତେ। ଏ ନେଇ ସେ ଫୋନ୍ କରି କହି ସାରିଥିଲେ। ଆଜି ସୁଷମାଙ୍କୁ ମନେ ପକାଇ ରାଜ୍ୟସଭାରେ ନିଜେ ଉପ-ରାଷ୍ଟ୍ରପତି ଏକଥା କହିଥିଲେ।
ସେ କହିଥିଲେ,“ ସୁଷମା ସବୁଥର ମୋ ହାତରେ ରାକ୍ଷୀ ବାନ୍ଧନ୍ତି। ଏଥର ବି ସେ ମୋତେ ରାଖି ବାନ୍ଧି ଥାଆନ୍ତେ। ସେ ଫୋନ୍ କରି ଏ ବିଷୟରେ ମୋତେ ଜଣାଇଥିଲେ। ସେ କହିଥିଲେ, ଆପଣ ଉପ-ରାଷ୍ଟ୍ରପତି ହୋଇଗଲେଣି। ତେଣୁ ଆଉ ମୋ ଘରକୁ ରାକ୍ଷୀ ବାନ୍ଧିବାକୁ ଆସିବା ଦରକାର ନାହିଁ। ମୁଁ ନିଜେ ରାକ୍ଷୀ ବାନ୍ଧିବାକୁ ଯିବି।”
ଏହା କହିବା ବେଳେ ଉପ-ରାଷ୍ଟ୍ରପତିଙ୍କ କଣ୍ଠ ଗମ୍ଭୀର ହୋଇଯାଇଥିଲା। ସୂଚନାଯୋଗ୍ୟ, ଦୁହେଁ ଖୁବ୍ ବଡ଼ ନେତା। କିନ୍ତୁ ଯେତେବେଳେ ଏକାଠି ହୁଅନ୍ତି ଭାଇ-ଭଉଣୀ ଭଳି କଥା ହୁଅନ୍ତି। ଦୁହେଁ ପରସ୍ପରକୁ ଖୁବ୍ ସମ୍ମାନ କରୁଥିଲେ। ସୁଷମା ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ବେଳେ ଭାରତୀୟ ପରମ୍ପରା ଅନୁଯାୟୀ ମୁଣ୍ଡରେ ଓଢ଼ଣି ଦେବାକୁ ଭୁଲୁ ନଥିଲେ। ଆଜି ଯେତେବେଳେ ଉପ-ରାଷ୍ଟ୍ରପତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲେ ତାଙ୍କ ଆଖି ଓଦା ହୋଇଯାଇଥିଲା।
ସୁଷମା ଜଣେ ରୋଲ୍ ମଡେଲ୍ ଥିଲେ ବୋଲି ଆଜି ଉପ-ରାଷ୍ଟ୍ରପତି ରାଜ୍ୟସଭାରେ କହିଥିଲେ। ମନ୍ତ୍ରୀ ଭାବେ ସେ ଖୁବ୍ ସକ୍ରିୟ ରହୁଥିଲେ। ସେ ୪ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ୩ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ସମସ୍ତେ ଭଲ ପାଉଥିଲେ ବୋଲି ଆଜି ରାଜ୍ୟସଭାରେ ଉପସ୍ଥିତ ସଦସ୍ୟମାନେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।