ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ମେ’ ୧୭ ତାରିଖ ଯାଏ ସମଗ୍ର ଦେଶରେ ଲକଡାଉନ ଜାରି କରାଯାଛି। ମାର୍ଚ୍ଚ ୨୫ରୁ ଦେଶରେ ୩ଟି ପର୍ଯ୍ୟାୟରେ ମେ’ ୧୭ ଯାଏ ମୋଦି ସରକାର ଲକଡାଉନ ଜାରି କରିଛନ୍ତି। ତେବେ ମେ’ ୧୭ ପରେ କ’ଣ ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ପ୍ରଶ୍ନ କରିଛନ୍ତି।
କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ବେଳେ ସୋନିଆଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ କେନ୍ଦ୍ରକୁ ସମାନ ପ୍ରଶ୍ନ କରିଛନ୍ତି।
ଭିଡିଓ କନଫରେନ୍ସିଂ ଜରିଆରେ ସୋନିଆ କହିଛନ୍ତି ଯେ “ମେ’ ୧୭ ପରେ କ’ଣ ହେବ? ମେ’ ୧୭ ପରେ କେମିତି କାର୍ଯ୍ୟ କରାଯିବ? ସରକାର କେଉଁ ଆଧାରରେ ଓ କ’ଣ ସବୁ ବ୍ୟବସ୍ଥା କରି କେତେ ଦିନ ଯାଏ ଲକଡାଉନ ବଢ଼ାଇବେ ସେକଥା ଜଣାଇବା ଦରକାର।”
ମନମୋହନ ସିଂହ କହିଛନ୍ତି, ସୋନିଆଜୀ ଯାହା କହିଲେ, ଆମେ ମଧ୍ୟ ସମସ୍ତେ ଜାଣିବାକୁ ଚାହୁଁଛୁ ଯେ ଲକଡାଉନ ୩.୦ ପରେ କ’ଣ ସବୁ ବ୍ୟବସ୍ଥା ହେବ?
ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଲକଡାଉନ ବୃଦ୍ଧି ଓ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ୁଥିବା କଥା ସମସ୍ତଙ୍କୁ ଜଣାଇଥିଲେ। ସେ କହିଛନ୍ତି, “ଦିଲ୍ଲୀରେ ବସି ଅଧିକାରୀମାନେ କୋଭିଡ-୧୯ ଜୋନ ନିର୍ଦ୍ଧାରଣ କରୁଛନ୍ତି। ସେମାନେ ଗ୍ରାଉଣ୍ଡ ଜିରୋକୁ ଆସୁନାହାନ୍ତି। ତୃଣମୂଳସ୍ତରରେ କ’ଣ ହେଉଛି, ସେକଥା ସେମାନଙ୍କୁ ଦେଖିବାକୁ ପଡ଼ିବ।”
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଲକଡାଉନ ଯୋଗୁ ରାଜ୍ୟ ୧୦,୦୦୦ କୋଟି ରାଜସ୍ୱ ହରାଇଥିବା କଥା କହିଛନ୍ତି। ତେଣୁ ସେ କେନ୍ଦ୍ର ସରକାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବାକୁ ସେ ଦାବି କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ମଧ୍ୟ ଲକଡାଉନ ଯୋଗୁ ରାଜ୍ୟଗୁଡ଼ିକ ସମସ୍ୟା ଭୋଗୁଥିଲେ ହେଁ କେନ୍ଦ୍ର ସରକାର କୌଣସି ଆର୍ଥିକ ସହାୟତା ଘୋଷଣା କରୁନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।