ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ପାରାସିଟାମଲ ଏବଂ ହାଇଡ୍ରୋକ୍ସିକ୍ଲୋରୋକୁଇନ୍(HCQ) ଉପରେ ଲାଗିଥିବା ରୋକ୍ ହଟାଇ ଦେଇଛନ୍ତି କେନ୍ଦ୍ର ସରକାର। ଆଗାମୀ ଦିନରେ ଯେଉଁ ଦେଶ କରୋନା ମୁକାବିଲା ପାଇଁ ଏହି ଆଣ୍ଟି ମାଲେରିଆ ଔଷଧ ମାଗିବେ ଭାରତ ସରକାର ଆବଶ୍ୟକ ବିଚାର ବିମର୍ଶ କରି ସେମାନଙ୍କୁ ଯୋଗାଇ ପାରନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀଗୁଡ଼ିକ HCQର ଉତ୍ପାଦନ ୬ ଗୁଣା ବୃଦ୍ଧି କରିବାକୁ କହିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଔଷଧକୁ ଗେମଚେଞ୍ଜର ବୋଲି କହିଥିବାବେଳେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସେନାରୋ ଏହାକୁ ‘ସଞ୍ଜିବନୀ’ ବୋଲି କହିଛନ୍ତି। ଏହି ଦୁଇ ଦେଶ କରୋନା ମୁକାବିଲା ପାଇଁ ଭାରତକୁ HCQ ପଠାଇବା ପାଇଁ ନିବେଦନ କରିଛି। ଆମେରିକାକୁ ଏହି ଔଷଧ ପଠାଇବା ପାଇଁ ଭାରତ ରାଜି ହୋଇଥିବାବେଳେ ବ୍ରାଜିଲ ବାବଦରେ ସରକାର କିଛି ସ୍ପଷ୍ଟୀକରଣ ରଖିନାହାନ୍ତି।
ଏବେ ବି କରୋନା ଭାଇରସ ପାଇଁ ଔଷଧ ବାହାରି ନାହିଁ। ଏହାର ମୁକାବିଲା ପାଇଁ ଡାକ୍ତରମାନେ ହାଇଡ୍ରୋକ୍ସିକ୍ଲୋରୋକୁଇନକୁ ଗୁରୁତ୍ୱ ଦେଉଥିବା ବେଳେ ବୈଜ୍ଞାନିରମାନେ ଅନ୍ୟ ଏକ ଯୁକ୍ତି ରଖୁଛନ୍ତି। ତେବେ କରୋନାକୁ ମୁକାବିଲା କରିବାରେ HCQ କେତେ ଫଳପ୍ରଦ ହେଉଛି ତାହା ପରର କଥା। ଏବେ ଏହି ଔଷଧ କିଏ ଏବଂ କେଉଁଠି ତିଆରି କରୁଛି ତାହା ଜାଣିବା ଜରୁରୀ।
ଦେଶରେ ଅନେକ ଫାର୍ମା କମ୍ପାନୀ ଏହି ଔଷଧ ତିଆରି କରୁଛନ୍ତି। ଜାୟଡସ କାଡିଲା ଏବଂ ଇପକା ଲାବରୋଟରି ପ୍ରମୁଖ ଭାବରେ ଏହି HCQ ତିଆରି କରୁଛନ୍ତି। ମାର୍ଚ୍ଚ ମାସରେ ଫାର୍ମା କମ୍ପାନୀମାନେ ମିଶି ୪ ଗୁଣା ଅଧିକ ଔଷଧ ତିଆରି କରିଛନ୍ତି। ଏବେ ଏହା ମାସିକ ୪୦ ଟନ ମାଟ୍ରିକ ଟନ ଉତ୍ପାଦନ ହେଉଛି। ଆଗାମୀ ମାସରେ ଏହା ଆଉ ୫-୬ ଗୁଣା ଉତ୍ପାଦନ ବୃଦ୍ଧି କରାଯାଇ ୭୦ ମାଟ୍ରିକ ଟନ୍ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଯଦି ଏହି ଦୁଇ ପ୍ରମୁଖ କମ୍ପାନୀ ୨୪ ଘଣ୍ଟିଆ କାମ କରିବେ ତାହେଲେ ୨୦୦ ଏମଜିର ୩୫ କୋଟି ଟାବଲେଟ ତିଆରି କରିହେବ ବୋଲି ଜଣାପଡ଼ିଛି।
ଭାରତରେ ଏହି HCQର ଗୋଟିଏ ଟାବଲେଟର ଦାମ ୩ ଟଙ୍କାରୁ କମ୍। ବିଶେଷଜ୍ଞମାନେ କହିଛନ୍ତି ୭ କୋଟି ରୋଗୀଙ୍କୁ ଭଲ କରିବା ପାଇଁ ୧୦୦ କୋଟି ଟାବଲେଟ୍ ଯଥେଷ୍ଟ।
ଜାୟଡସ କାଡିଲା ହେଉଛି ଗୁଜରାଟର ଏକ ଔଷଧ କମ୍ପାନୀ। ଯାହାର ମୁଖ୍ୟ କାର୍ଯ୍ୟାଳୟ ଅହମଦାବଦ ରହିଛି। ଦେଶର ପ୍ରମୁଖ ଔଷଧ କମ୍ପାନୀ ମଧ୍ୟରେ ଅହମଦାବାଦର ଏହି କମ୍ପାନୀ ରହିଛି। ଯାହାର ବାର୍ଷିକ ରୋଜଗାର ୧୧୯.୦୫ ବିଲିଅନ ରହିଛି।
ସେହିପରି ଇପକା ଲ୍ୟାବ ହେଉଛି ଅନ୍ତର୍ଜାତୀୟ ଔଷଧ କମ୍ପାନୀ। ମୁମ୍ୱାଇରେ ଏହି କମ୍ପାନୀ ରହିଛି। ୧୦ କୋଟି HCQ ଟାବଲେଟ କେନ୍ଦ୍ର ସରକାରକୁ ଏହି କମ୍ପାନୀ ଯୋଗାଇବ ବୋଲି କମ୍ପାନୀର ଯୁଗ୍ମ ମ୍ୟାନେଜିଂ ଡିରେକ୍ଟର ଏକ ଜୈନ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।