ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପରେ ମହା ବିକାଶ ଅଘାଡ଼ି (ଶିବସେନା-ଏନସିପି-କଂଗ୍ରେସ) ମେଣ୍ଚ ବିରୋଧରେ ହୋଇଥିବା ଆବେଦନର ରାୟ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ମେଣ୍ଟ ‘ଅସାମ୍ବିଧାନିକ’ କହି ବିଜେପି ସମର୍ଥିତ ଅଖୀଳ ଭାରତ ହିନ୍ଦୁ ମହାସଭାର ଜଣେ ସଦସ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆଜି ଜଷ୍ଟିସ ଏନ. ଭି ରମନ୍ନା ଏହି ମାମଲାର ଶୁଣାଣି କରି କହିଛନ୍ତି, ଗଣତନ୍ତ୍ରରେ ରାଜନୀତିକ ଦଳ ମଧ୍ୟରେ ମେଣ୍ଟକୁ ନେଇ କୋର୍ଟ କେବେ ନିର୍ଦ୍ଦେଶ ଦେଇପାରିବେ ନାହିଁ। ତେଣୁ କୋର୍ଟ ନିର୍ବାଚନ ପରବର୍ତ୍ତୀ ଓ ପୂର୍ବ ମେଣ୍ଟ ବାବଦରେ କୌଣସି ରାୟ ଶୁଣାଉ ବୋଲି ଆଶା ରଖିବା ଅନୁଚିତ ବୋଲି ସେ କହିଛନ୍ତି।
ଏହାପରେ ଆବେଦନକାରୀଙ୍କ ଓକିଲ ପ୍ରମୋଦ ପଣ୍ଡିତ କହିଥିଲେ, ନିର୍ବାଚନ ବେଳେ ବିଜେପି-ଶିବସେନା ମେଣ୍ଟ କରି ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ନଜରରେ ରଖି ମହାରାଷ୍ଚ୍ରବାସୀ ଭୋଟ୍ ଦେଇଛନ୍ତି।
ଜବାବରେ ଜଷ୍ଟିସ ରମନ୍ନା କହିଛନ୍ତି, ‘ରାଜନୀତିକ ଦଳ ଅନେକ କୁହନ୍ତି। ଏହାର ଅର୍ଥ ନୁହେଁ କୋର୍ଟ ଏ ନେଇ ଦଳମାନଙ୍କୁ ପ୍ରତିଶ୍ରୁତି ପାଳନ କରିବାକୁ ହୁକୁମ ଜାରି କରିବ। ସବୁବେଳେ ସାମ୍ୱିଧାନିକ ବିଚାରଧାରା ରାଜନୀତିକ ବିଚାରଧାରାଠୁ ଭିନ୍ନ’।
ତେଣୁ ଆବେଦନକାରୀଙ୍କ ଯୁକ୍ତିକୁ ଯଦି ଗ୍ରହଣ କରାଯାଏ ତାହାଲେ ଦେଶରେ ଗଣତନ୍ତ୍ର ରହିଛି ବୋଲି କହିହେବ ନାହିଁ ବୋଲି ଜଷ୍ଟିସ ରମନ୍ନା କହିଛନ୍ତି। ଏହାପରେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।