ଭୋପାଲ୍: ଦିନକୁ ଦିନ ନାରୀ ନିର୍ଯ୍ୟାତନା ଘଟଣା ବଢ଼ି ବଢ଼ି ଚାଲିଛି। ମଧ୍ୟପ୍ରଦେଶର ରେଓ୍ୱା ଜିଲ୍ଲାରୁ ପୁଣି ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ୧୦ ଦିନ ଧରି ପୁଲିସ କର୍ମୀମାନଙ୍କ ଦ୍ୱାରା ୨୦ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଏକ ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ପୀଡ଼ିତା ଜଣକ ଜେଲ ଦଣ୍ଡ ଭୋଗୁଛନ୍ତି। ଲକ୍ ଅପରେ ଥିବା ବେଳେ ଏସ୍.ଆଇଙ୍କ ସମେତ ୫ଜଣ ପୁଲିସ କର୍ମୀ ତାଙ୍କୁ ୧୦ ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଅକ୍ଟୋବର ୧୦ରେ ଯେତେବେଳେ ଅତିରିକ୍ତ ଜିଲ୍ଲା ଜଜ୍ ଏବଂ ଓକିଲ ଜେଲକୁ ଯାଞ୍ଚ କରିବାକୁ ଯାଇଥିଲେ, ସେତେବେଳେ ଘଟଣାଟି ପ୍ରଘଟ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ପୀଡ଼ିତା ଜଣକ ଅତିରିକ୍ତ ଜିଲ୍ଲା ଜଜଙ୍କ ନିକଟରେ ପୁଲିସ କର୍ମୀମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଏହା ପରେ ଜଜ୍ ମାମଲାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଜଜଙ୍କ ନିକଟରେ ଯୁବତୀ ଜଣକ କହିଥିଲେ ସେ ପାଞ୍ଚ ଜଣ ପୁଲିସ କର୍ମୀଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ମେ' ୯ରୁ ମେ' ୨୧ ପର୍ଯ୍ୟନ୍ତ ୧୦ ଦିନ ଧରି ଥାନାରେ ପୁଲିସ କର୍ମୀମାନେ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଏ ନେଇ ଜେଲ୍ ଓ୍ୱାର୍ଡନଙ୍କୁ ସେ ତିନି ମାସ ପୂର୍ବରୁ ଜଣାଇଥିଲେ। ତେବେ ଜେଲ୍ ଓ୍ୱାର୍ଡନ ମଧ୍ୟ ଏବାବଦରେ ଅବଗତ ଥିଲା ମହିଳାଙ୍କ ଓକିଲ କହିଛନ୍ତି। ଅନ୍ୟପଟେ ମେ' ୨୧ରେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ପୁଲିସ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।