ନୂଆଦିଲ୍ଲୀ: ରୋଚକ ସ୍ଥିତିରେ ରାଜସ୍ଥାନର କଂଗ୍ରେସ ରାଜନୀତି। ପ୍ରତି ଘଣ୍ଟାରେ ବଦଳୁଛି କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତିକ ଚିତ୍ର। କଂଗ୍ରେସର ଦଳୀୟ କନ୍ଦଳ ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କନ୍ଦଳର ସମାଧାନ ପାଇଁ କେନ୍ଦ୍ର କଂଗ୍ରେସ ତିନି ଜଣ ତୁଙ୍ଗ ନେତାଙ୍କୁ ଜୟପୁର ପଠାଇଛନ୍ତି।
ଅନ୍ୟପଟେ ନ୍ୟୁଜ ୧୮ର ରିପୋର୍ଟ ଅନୁଯାୟୀ ଏହି ମାମଲାରେ ରାହୁଲ ଗାନ୍ଧୀ ହସ୍ତକ୍ଷେପ କରିଛନ୍ତି। ନିଜେ ସଚିନଙ୍କ ସହ ସେ କଥା ହୋଇଛନ୍ତି। ଦଳରେ ଦେଖାଦେଇଥିବା ବିବାଦର ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଦିଲ୍ଲୀର ତିନି କଂଗ୍ରେସ ନେତା ଏବେ ଜୟପୁର ମୁହାଁ। କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା, ଅଜୟ ମାକେନ ଏବଂ ଅବିନାଶ ପାଣ୍ଡେ ଏବେ ଜୟପୁର ମୁହାଁଇଥିବା ସୂଚନା ରହିଛି।
https://twitter.com/PTI_News/status/1282344733877006341
ଏହାରି ଭିତରେ ରବିବାର ରାତିରେ ହେବାକୁ ଥିବା ଦଳୀୟ ବୈଠକ ବାତିଲ କରିଛନ୍ତି ଗେହଲଟ। ସୋମବାର ସକାଳ ୧୦ଟାରେ ଦଳୀୟ ବିଧାୟକଙ୍କୁ ନେଇ ବୈଠକ ହେବ ବୋଲି ଜଣାପଡ଼ିଛି। ହେଲେ ସଚିନ ପାଇଲଟ ଏହି ବୈଠକରେ ଯୋଗ ଦେବେ ନାହିଁ। ଉପମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଏ ନେଇ ବିବୃତ୍ତି ଜାରି ହୋଇଛି।
ସଚିନ କହିଛନ୍ତି ତାଙ୍କ ସହ କିଛି ସ୍ୱାଧୀନ ବିଧାୟକଙ୍କ ସହିତ ମୋଟ୍ ୩୦ ବିଧାୟକ ରହିଛନ୍ତି। ସୋନିଆ ଏବଂ ରାହୁଲଙ୍କ ସହିତ ସେ ଭେଟିବାକୁ ଚେଷ୍ଟା କରିଥିଲେ ହେଲେ ତାଙ୍କୁ ସୁଯୋଗ ମିଳିନାହିଁ। ଏବେ ଏହି ବିଧାୟକମାନେ ଇସ୍ତଫା ଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ସଚିନଙ୍କ ଏହି ମନ୍ତବ୍ୟ ପରେ ମାର୍ଚ୍ଚ ମାସରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରଣନୀତିକୁ ପୁଣି ଥରେ ସମସ୍ତଙ୍କୁ ମନେ ପକାଇ ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସଚିନଙ୍କ ସହିତ ଥିବା ବିଧାୟକ ଏବେ ବିଜେପି ଲିଙ୍କରେ ରହିଛନ୍ତି।
ଶନିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପି ନାମରେ ଘୋଡ଼ା ବେପାର ଅଭିଯୋଗ ଆଣିଥିଲେ। ତାଙ୍କ ସରକାର କରୋନା ମୁକାବିଲା କଥା ଚିନ୍ତା କରୁଥିବା ବେଳେ ବିଜେପି କ୍ଷମତା ଦଖଲ କଥା ଚିନ୍ତା କରୁଛି ବୋଲି ସେ କହିଥିଲେ। ହେଲେ ବିଜେପି ନେତା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏ ବାବଦରେ ନିରବ ରହିଛନ୍ତି।
ଏହାରି ଭିତରେ ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପାଇଲଟଙ୍କୁ ଭେଟିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପାଖାପାଖି ୪୦ ମିନିଟ ଧରି ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ସିନ୍ଧିଆ ମଧ୍ୟ ଟୁଇଟ୍ କରି କହିଛନ୍ତି, ପାଇଲଟ କଂଗ୍ରେସରେ କୋଣଠେସା ଅବସ୍ଥାରେ ଅଛନ୍ତି। ଅଶୋକ ଗେହଲଟଙ୍କ ପାଇଁ ଏଭଳି ସ୍ଥିତି ଉପୁଜିଛି। କଂଗ୍ରେସରେ ଟ୍ୟାଲେଣ୍ଟ ଏବଂ ଦକ୍ଷତାକୁ ଗୁରୁତ୍ୱ ଦିଆଯାଏ ନାହିଁ ବୋଲି ସିନ୍ଧିଆ କହିଛନ୍ତି।
ମୋଟ୍ ୨୦୦ ବିଧାନସଭା ଆସନରୁ ବିଜେପି ପାଖରେ ୭୨ ଜଣ ବିଧାୟକ ରହିଛନ୍ତି। କଂଗ୍ରେସ ପାଖରେ ୧୦୭ ବିଧାୟକ ରହିଥିବା ବେଳେ ୧୨ ଜଣ ସ୍ୱାଧୀନ ବିଧାୟକ ଏବଂ ଅନ୍ୟ ଦଳର ୫ ବିଧାୟକଙ୍କ ସମର୍ଥନ ରହିଛି। ଏମାନଙ୍କ ମଧ୍ୟରୁ ଏବେ କିଛି ପାଇଲଟଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି। ସଂଖ୍ୟା ଦୃଷ୍ଟିରୁ ବିଜେପି ପାଇଁ ସରକାର ଗଢ଼ିବା ଏଠି କଷ୍ଟ ହେବ। କିନ୍ତୁ ୩୦ରୁ ଅଧିକ ବିଧାୟକ ଯଦି କଂଗ୍ରେସରୁ ଇସ୍ତଫା ଦେବେ ତା’ହେଲେ ବିଜେପି ମୌକା ଦେଖି ଚୌକା ମାରିବାକୁ ବିଳମ୍ୱ କରିବ ନାହିଁ ବୋଲି ଜଣାପଡ଼ିଛି।