ୱାଶିଂଟନ: ଶେଷରେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ମୁଖ୍ୟ ମେଡିକାଲ ପରାମର୍ଶଦାତା ଡା ଆନ୍ଥୋନୀ ଫୌସି। ସେ ମହାମାରୀ କରୋନା ସଂକ୍ରମଣକୁ ନେଇ ବିଭିନ୍ନ ସମୟରେ ନାନା ପ୍ରକାରର ବୟାନ ଦେଉଥିଲେ। ସେହିପରି ଆମେରିକାରେ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ନିୟମ ଲାଗୁ କରିଥିଲେ।
ହେଲେ କରୋନା ସଂକ୍ରମଣରେ ସେତେଟା ଆଖି ଦୃଶିଆ ସଫଳତା ତାଙ୍କୁ ମିଳି ନଥିଲା। ଏବେ ପୁଣି ଆମେରିକାରେ ସଂକ୍ରମଣ ବଢ଼ୁଥିବା ବେଳେ ଡା ଫୌସି ଇସ୍ତଫା ଦେବା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଆସନ୍ତା ଡିସେମ୍ବର ମାସରେ ରାଷ୍ଟ୍ରପତିଙ୍କ ମୁଖ୍ୟ ମେଡିକାଲ ପରାମର୍ଶଦାତା ପଦ ଛାଡ଼ିବେ।
ଦୀର୍ଘ ୫୪ ବର୍ଷ ହେଲା ସେ ସରକାରୀ ପଦବୀରେ କାମ କରୁଥିଲେ। ସେହିପରି ୧୯୮୪ରୁ ୮୧ ବର୍ଷୀୟ ଡା ଫୌସି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ(ଏନଆଇଏଚ୍)ର ଅଂଶ ଭାବେ କାର୍ଯ୍ୟ କରୁଥିବା ଏନଆଇଏଆଇଡିର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଏହାର ଅର୍ଥ ସେ ୩୮ ବର୍ଷ ହେଲାଣି ଏହି ଗୋଟିଏ ପଦରେ ରହିଛନ୍ତି।
ଭେଟରାନ ଇମ୍ୟୁନୋଲଜିଷ୍ଟ ଡା ଫୌସି ଆମେରିକାର ୭ ଜଣ ରାଷ୍ଟ୍ରପତିଙ୍କ ମୁଖ୍ୟ ମେଡିକାଲ ପରାମର୍ଶଦାତା ଭାବେ କାମ କରିଛନ୍ତି। ସେ ରିପବ୍ଲିକାନ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ସମୟରେ ପ୍ରଥମଥର ପାଇଁ ମୁଖ୍ୟ ମେଡିକାଲ ପରାମର୍ଶଦାତା ବନିଥିଲେ। ସେବେଠାରୁ ସେ ଏସ୍ଆଇଭି, ଇବୋଲା, ଜିକା, ମଙ୍କିପକ୍ସ ଓ ମହାମାରୀ କରୋନା ଆଦି ଭାଇରସ ସମୟରେ ଆମେରିକା ପାଇଁ କାମ କରି ଚାଲିଥିଲେ।
ତେବେ କରୋନା ସମୟରେ ସେ ଟିକା, ସାମାଜିକ ଦୂରତା ଓ ମାସ୍କ ସମ୍ପର୍କରେ ମତ ରଖିବାକୁ ତାଙ୍କୁ ଖୋଦ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଥିଲେ। ସେହିପରି କିଛି ଲୋକ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିଲେ। ଏହା ସତ୍ତ୍ୱେ ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଡା ଫୌସିଙ୍କୁ ତାଙ୍କର ମୁଖ୍ୟ ମେଡିକାଲ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। କରୋନା ବେଳେ ତାଙ୍କୁ ଅନେକ ଧମକ ମିଳିଥିବାରୁ ସେ ଇସ୍ତଫା ଦେବାକୁ ଘୋଷଣା କରିଥିବା କୁହାଯାଉଛି। ହେଲେ ଏହାକୁ ଡା ଫୌସି ଖଣ୍ଡନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।