ନିଜ ଲୋକ ମରିବା ପରେ ଚିହିଁକି ଉଠିଲା ଚାଇନା, ପାକିସ୍ତାନକୁ ଦେଲା ଏମିତି ନିର୍ଦ୍ଦେଶ

ଇସଲମାବାଦ: ପାକିସ୍ତାନରେ କାମ କରୁଥିବା ଚାଇନିଜ କର୍ମଚାରୀଙ୍କ ଉପରେ ଭୟଙ୍କର ହମଲା ହୋଇଛି। ଚାଇନିଜ ନାଗରିକଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ବିସ୍ଫୋରଣ ହେବାରୁ ୧୩ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୯ ଜଣ ଚାଇନିଜ ନାଗରିକ ରହିଛନ୍ତି। ସେହିପରି ୨ ଜଣ ପାକିସ୍ତାନ ନାଗରିକ ଓ ୨ ଜଣ ସୁରକ୍ଷାକର୍ମୀ ମଧ୍ୟ ବିସ୍ଫୋରଣରେ ନିହତ ହୋଇଛନ୍ତି। ଏହି ଘଟଣା ପରେ ଚାଇନା ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ବସ୍‌କୁ ଟାର୍ଗେଟ କରି ହୋଇଥିବା ବିସ୍ଫୋରଣ ଘଟଣାକୁ […]

Blast

Hemant Lenka
  • Published: Wednesday, 14 July 2021
  • , Updated: 14 July 2021, 06:03 PM IST

ଇସଲମାବାଦ: ପାକିସ୍ତାନରେ କାମ କରୁଥିବା ଚାଇନିଜ କର୍ମଚାରୀଙ୍କ ଉପରେ ଭୟଙ୍କର ହମଲା ହୋଇଛି। ଚାଇନିଜ ନାଗରିକଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ବିସ୍ଫୋରଣ ହେବାରୁ ୧୩ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୯ ଜଣ ଚାଇନିଜ ନାଗରିକ ରହିଛନ୍ତି।

ସେହିପରି ୨ ଜଣ ପାକିସ୍ତାନ ନାଗରିକ ଓ ୨ ଜଣ ସୁରକ୍ଷାକର୍ମୀ ମଧ୍ୟ ବିସ୍ଫୋରଣରେ ନିହତ ହୋଇଛନ୍ତି। ଏହି ଘଟଣା ପରେ ଚାଇନା ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ବସ୍‌କୁ ଟାର୍ଗେଟ କରି ହୋଇଥିବା ବିସ୍ଫୋରଣ ଘଟଣାକୁ ବେଜିଂ କଡ଼ା ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛି।

ପାକିସ୍ତାନର ଖାୟବର ପାଖତୁନଖ୍ୱା ଅଞ୍ଚଳରେ ଥିବା ଦାସୁ ଡ୍ୟାମକୁ ଗୋଟିଏ ବସ୍‌ରେ ପ୍ରାୟ ୩୦ ଜଣ ଚାଇନିଜ ନାଗରିକ ଯାଉଥିଲେ। ଏଥିରେ ଚାଇନିଜ ଇଞ୍ଜିନିୟର, ସର୍ଭେ କରୁଥିବା ଅଧିକାରୀ ଓ ମେକାନିକାଲ ଷ୍ଟାଫ ରହିଥିଲେ। ତେବେ ବସ୍‌ଟି ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା।

ଫଳରେ ଏହା ନିକଟସ୍ଥ ଗୋଟିଏ ନାଳକୁ ଖସି ପଡ଼ିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ବିସ୍ଫୋରଣେ ଧ୍ୱଂସ ପାଇଯାଇଥିବା ବସ୍‌ ମଧ୍ୟରୁ ଉଦ୍ଧାର କରାଯାଇ ନିଟକସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ସ୍ଥାନୀୟ ଇନସପେକ୍ଟର ଜେନେରାଲ ମୋଜାମ ଜା ଅନସାରୀ କହିଛନ୍ତି, ବିସ୍ଫୋରଣ ପରେ ବସ୍‌ଟି ଗଭୀର ନାଳକୁ ଖସି ପଡ଼ିବାରୁ ବ୍ୟାପକ କ୍ଷତି ଘଟିଛି। ଏବେ ବି ଜଣେ ଚାଇନିଜ ଇଞ୍ଜିନିୟର ଓ ଜଣେ ସୁରକ୍ଷାକର୍ମୀ ନିଖୋଜ ଅଛନ୍ତି। ଉଦ୍ଧାର କାମକୁ ଜୋରଦାର କରାଯାଇଛି ଓ ଏୟାର ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଉପଯୁକ୍ତ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ପୁଲିସ୍‌ ପୂରା ଘଟଣାର ତଦନ୍ତ କରୁଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଚାଇନା ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବସ୍‌ ବିସ୍ଫୋରଣ ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଚାଇନା ବିସ୍ଫୋରଣ ଘଟଣାକୁ କଡ଼ା ନିନ୍ଦା କରୁଛି।

ସେହିପରି ମୃତକଙ୍କ ଆତ୍ମାର ସଦଗତି କାମନା କରୁଛି। ପାକିସ୍ତାନ ନିଜ ଦେଶରେ ରହୁଥିବା ଚାଇନିଜ କର୍ମଚାରୀ, ଇନଷ୍ଟିଚ୍ୟୁସନ ଓ ପ୍ରକଳ୍ପ କାମଗୁଡ଼ିକୁ ସୁରକ୍ଷା ଯୋଗାଇ ଦେଉ। ପାକିସ୍ତାନରେ ଥିବା ଚାଇନିଜ ପ୍ରକଳ୍ପ ଉପରେ ହମଲା ହୋଇଛି। ଏଥିରେ ଚାଇନିଜ ନାଗରିକ ପ୍ରାଣ ହରାଇଛନ୍ତି। ତେଣୁ ଆଗକୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ ବୋଲି ଲିଜିଆନ କହିଛନ୍ତି।

ସୂଚନା ଅନୁଯାୟୀ, ପାକିସ୍ତାନରେ ଚାଇନା ପକ୍ଷରୁ ଏକାଧିକ ପ୍ରକଳ୍ପ କାମ ଚାଲିଛି। ଏଥିପାଇଁ ବେଜିଂ ଲକ୍ଷାଧିକ କୋଟି ଟଙ୍କା ବିନିଯୋଗ କରୁଛି। ତଥାପି ପାକିସ୍ତାନରେ କାମ କରୁଥିବା ଚାଇନିଜ ନାଗରିକଙ୍କ ସୁରକ୍ଷାକୁ ନେଇ ସବୁ ବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story