ଦେଶକୁ ସମ୍ବୋଧନ କଲେ, ଇସ୍ତଫା ଦେବେନି ବୋଲି କହିଲେ ଇମ୍ରାନ ଖାନ

ଇସଲାମାବାଦ: ସଂସଦରେ ସଂଖ୍ୟାର ଗରିଷ୍ଠତା ହରାଇ ଅଡ଼ୁଆରେ ପଡ଼ିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦମ୍ଭ ଏଯାଏ ଭାଙ୍ଗିନି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ଶେଷ ଯାଏ ଲଢ଼େଇ କରିବେ ଓ କେବେ ହେଲେ ଇସ୍ତଫା ଦେବେ ନାହିଁ ବୋଲି ଆଜି ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି କହିଛନ୍ତି। ଆଜି ସଂସଦରେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ହେବାର ଥିଲା। କିନ୍ତୁ ସଂସଦକୁ ଉପ ବାଚସ୍ପତି କ୍ୱାସୀମ ସୁରୀ ଏପ୍ରିଲ […]

Imran-Khan.jpg1

Imran-Khan.jpg1

Hemant Lenka
  • Published: Thursday, 31 March 2022
  • Updated: 31 March 2022, 09:55 PM IST

Sports

Latest News

ଇସଲାମାବାଦ: ସଂସଦରେ ସଂଖ୍ୟାର ଗରିଷ୍ଠତା ହରାଇ ଅଡ଼ୁଆରେ ପଡ଼ିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦମ୍ଭ ଏଯାଏ ଭାଙ୍ଗିନି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ଶେଷ ଯାଏ ଲଢ଼େଇ କରିବେ ଓ କେବେ ହେଲେ ଇସ୍ତଫା ଦେବେ ନାହିଁ ବୋଲି ଆଜି ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି କହିଛନ୍ତି।

ଆଜି ସଂସଦରେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ହେବାର ଥିଲା। କିନ୍ତୁ ସଂସଦକୁ ଉପ ବାଚସ୍ପତି କ୍ୱାସୀମ ସୁରୀ ଏପ୍ରିଲ ୩ ତାରିଖ ଯାଏ ମୁଲବତୀ ଘୋଷଣା କରିଛନ୍ତି। ଏହାପରେ ଇମ୍ରାନ ଖାନ ଦେଶବାସୀଙ୍କୁ ସମ୍ବୋଧନ କରି ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

ଏଥିସହ ପାକିସ୍ତାନର ପୂର୍ବତନ ୩ ପ୍ରଧାନମନ୍ତ୍ରୀମାନେ କେମିତି ବିଦେଶୀ ଶକ୍ତିଙ୍କ ହାତ ବାରିସ ସାଜିଥିଲେ, ସେକଥା କହିଛନ୍ତି। ଭାରତ ସହ ସେ ବନ୍ଧୁତ କରିବାକୁ ଚେଷ୍ଟା କରିଥିଲେ ବି ଏହା ସମ୍ଭବ ହୋଇପାରି ନଥିଲା। ପାକିସ୍ତାନ କେବେ ହେଲେ ଭାରତ କିମ୍ବା ଆମେରିକାକୁ ତା’ର ଶତ୍ରୁ ଭାବେ ବିବେଚନା କରେନାହିଁ ବୋଲି ଇମ୍ରାନ ଖାନ ତାଙ୍କ ସମ୍ବୋଧନ ବେଳେ କହିଛନ୍ତି।

ସେ କହିଛନ୍ତି, “ଆମେ କିଛି ବିଦେଶୀ ରାଷ୍ଟ୍ରରୁ ମେସେଜ ପାଇଥିଲୁ ଯେ ଯଦି ଇମ୍ରାନ ଖାନ ଚାଲିଯିବେ, ତା’ହେଲେ ସେମାନେ ପାକିସ୍ତାନକୁ କ୍ଷମା କରିଦେବେ। ଯଦି ମୋତେ ବିଦା କରିବାରେ ସେମାନେ ବିଫଳ ହେବେ, ତା’ହେଲେ ପାକିସ୍ତାନକୁ ଅଡ଼ୁଆ ପରିସ୍ଥିତିରେ ପକାଇବେ ବୋଲି ଧମକ ଦେଇଛନ୍ତି।

ଏଠାରେ କ୍ଷମତାରେ ଥିବା ୩ ପ୍ରଧାନମନ୍ତ୍ରୀ ବିଦେଶୀ ଶକ୍ତିଙ୍କ କଥାରେ ପରିଚାଳିତ ହେଉଥିଲେ। ଏବେ ସେମାନେ ଇମ୍ରାନ ଖାନଙ୍କୁ ହଟାଇ ସେଭଳି ଲୋକଙ୍କୁ ଶାସନ ଗାଦିରେ ବସାଇବାକୁ ଚାହୁଁଛନ୍ତି। ଏହାପରେ ସବୁ କିଛି ଠିକ ହୋଇଯିବ। ହେଲେ ମୁଁ କେବେ ହେଲେ ହାର ମାନିବି ନାହିଁ। ମୋ କ୍ରିକେଟିଂ କ୍ୟାରିୟରରୁ ମୁଁ ଶେଷ ବଲ ଯାଏ ଲଢ଼େଇ କରିଛି। ଏବେ ବି ମୁଁ ଶେଷ ଯାଏ ଲଢ଼େଇ କରିବି। ମୁଁ କେବେ ହେଲେ ହାର ମାନିବି ନାହିଁ କି ଇସ୍ତଫା ଦେବିନାହିଁ।”

ରବିବାର ଆସ୍ଥା ଭୋଟ ଆସିବାକୁ ଥିବାରୁ ସେ କହିଛନ୍ତି, “ରବିବାର ପାକିସ୍ତାନର ଭବିଷ୍ୟତ ନିର୍ଦ୍ଧାରିତ ହେବ। ମୁଁ ଆମ ପୂର୍ବପୁରୁଷଙ୍କ ନୀତି ଓ ସ୍ୱପ୍ନକୁ ନେଇ ରାଜନୀତିକୁ ଆସିଥିଲି। ରାଜନୀତିକୁ ଆସିବା ପୂର୍ବରୁ ଅନେକ ଲୋକ ଅଜଣା ଥିଲେ। ହେଲେ ମୋ କ୍ଷେତ୍ରରେ ସେମିତି ଘଟି ନଥିଲା।

ଯଦି ଆହ୍ଲାଙ୍କ ଆଶୀର୍ବାଦ ନଥାଆନ୍ତା, ତା’ହେଲେ ମୁଁ ରାଜନୀତିକୁ ଆସି ପାରି ନଥାଆନ୍ତି। ପାକିସ୍ତାନ ଏବେ ଇତିହାସର ସବୁଠାରୁ ଘଡ଼ିସନ୍ଧି ମୁହୂର୍ତ୍ତରେ ପହଞ୍ଚିଛି। ମୋର ସୌଭାଗ୍ୟ ଯେ ମୋତେ ପ୍ରସିଦ୍ଧି, ଅର୍ଥ ଓ ସମ୍ମାନ ମିଳିଛି। ଆଜି ମୁଁ କିଛି ଚାହୁଁନି। ଭଗବାନ ମୋତେ ସବୁ ଦେଇଛନ୍ତି।

ପାକିସ୍ତାନ ମୋ ଠାରୁ ମାତ୍ର ୫ ବର୍ଷ ବଡ଼। ସ୍ୱାଧୀନତା ପରେ ମୁଁ ଜନ୍ମ ଗ୍ରହଣ କରିଥିବା ପ୍ରଥମ ପିଢ଼ି। ପିଲାବେଳେ ମୋର ମନେ ଅଛି ଦକ୍ଷିଣ କୋରିଆ ବିକାଶର ମନ୍ତ୍ର ଶିଖିବାକୁ ପାକିସ୍ତାନ ଆସୁଥିଲା। ମାଲେସିୟା ରାଜକୁମାର ମୋ ସହ ସ୍କୁଲରେ ପଢ଼ୁଥିଲେ। ମଧ୍ୟପ୍ରାଚ୍ୟର ଯୁବକମାନେ ଆମ ବିଶ୍ୱବିଦ୍ୟାଳୟକୁ ପଢ଼ିବାକୁ ଆସୁଥିଲେ।

ଆମ ଦେଶ କେମିତି ବରବାର ଓ ଅପମାନିତ ହେଲା, ସେକଥା ବି ମୁଁ ଦେଖିଛି। ଭାରତ ଓ ଆମେରିକାରେ ମୋର ଅନେକ ବନ୍ଧୁ ଅଛନ୍ତି। ମୁଁ କେବେ ହେଲେ କାହାର ଖରାପ ଚିନ୍ତା କରନି। ମୁଁ କେବଳ ସେମାନଙ୍କ ନୀତିକୁ ନିନ୍ଦା କରିଛି। ଆମେରିକା ପାଇଁ ଅନେକ ପାକିସ୍ତାନୀ ବଳିଦାନ ଦେଇଛନ୍ତି। କେବେ ହେଲେ କେହି ଏଥିପାଇଁ ଆମକୁ ଧନ୍ୟବାଦ ଦେଇଛନ୍ତି? ଡ୍ରୋନ ହମଲାରେ ଅନେକ ଲୋକଙ୍କୁ ଆମେ ହରାଇଛୁ। ୮୦ଟି ମାଦ୍ରାସା ଉପରେ ଆକ୍ରମଣ ହୋଇଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ମୁଁ କାହା ବିରୋଧରେ ଆମ ବିଦେଶ ନୀତି ଯେମିତି ନ ହେବ, ତା’କୁ ନିଶ୍ଚିତ କରିଥିଲି। କଶ୍ମୀର ପ୍ରସଙ୍ଗରେ ଭାରତ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଙ୍ଘନ କରିଥିଲା। ୨୦୧୯ ଅଗଷ୍ଟ ୫ରେ ଭାରତ ସରକାର କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବାରୁ ଏହାକୁ ମୁଁ ନିନ୍ଦା କରିଥିଲି। ଭାରତ ସହ ମୁଁ ସବୁବେଳେ ବନ୍ଧୁତା ପ୍ରତିଷ୍ଠା ପାଇଁ ଚେଷ୍ଟା କରିଛି। ନୱାଜ ଶରିଫ ନେପାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ଭାରତ ସହ ବନ୍ଧୁତା କରିବାକୁ ଚାହିଁଥିଲେ ମଧ୍ୟ ଏଥିରେ ଆମକୁ ସଫଳତା ମିଳିନି।

ମୁଁ ସବୁବେଳେ ସ୍ୱାଧୀନ ବିଦେଶୀ ନୀତି ସପକ୍ଷରେ ରହିଛି। ମୁଁ କାହା ବିରୋଧରେ ନାହିଁ। କିନ୍ତୁ ମୋ ପାଇଁ ୨୨ କୋଟି ପାକିସ୍ତାନୀ ଗୁରୁତ୍ୱପୂର୍ଣ୍ଣ। ଦେଶରେ ଆକ୍ରମଣ ବେଳେ ଶେହବାଜ ଶରିଫ କେଉଁଠି ଥିଲେ? ବିରୋଧୀମାନେ ନିଜକୁ ବିକ୍ରି କରି ଦେଇଛନ୍ତି। ସେମାନେ ଦେଶର ସାର୍ବଭୌମତ୍ୱକୁ ବିକ୍ରି କରିଛନ୍ତି। ଲୋକମାନେ କେବେ ହେଲେ ସେମାନଙ୍କୁ କ୍ଷମା ଦେବେନି। ଲୋକେ କେବେ ହେଲେ ଏହାକୁ ଭୁଲିବେନି। ଦେଶକୁ ବିକ୍ରି କରିଥିବା କଥା ସମସ୍ତଙ୍କର ମନେ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos