ନୂଆଦିଲ୍ଲୀ: ପାକିସ୍ତାନ ରାଜନୀତିରେ ରୋମାଞ୍ଚକର ମ୍ୟାଚ୍। ଅନ୍ତିମ ଓଭରରେ ଚକମା ଦେଇ ଏକ ନିଶ୍ଚିତ ପରାଜୟରୁ ବର୍ତ୍ତିଯାଇଥିବା ଇମ୍ରାନ୍ ଖାନ୍ ସୁପର ଓଭରରେ ଚିତପଟାଙ୍ଗ ମାରିଛନ୍ତି। ଗାଦି ବଞ୍ଚାଇବା ପାଇଁ ସବୁପ୍ରକାର ରଣନୀତି ଫେଲ ମାରିବା ସତ୍ତ୍ୱେ ଦମ୍ଭ ଭାଙ୍ଗି ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଶେଷ ଲଢ଼େଇରେ ପରାଜୟ ଏକପ୍ରକାର ସୁନିଶ୍ଚିତ ଥିଲେ ମଧ୍ୟ ଆତ୍ମସମର୍ପଣ କରିବେ ନାହିଁ ଇମ୍ରାନ୍।
ଅର୍ଥାତ ଅନାସ୍ଥା ପ୍ରସ୍ତାବ ଭୋଟ୍ ପୂର୍ବରୁ ଇମ୍ରାନ୍ ଇସ୍ତଫା ଦେବେ ନାହିଁ। ଲଢ଼େଇ ପାଇଁ ସବୁ ଅସ୍ତ୍ର ଫେଲ ମାରିବା ସତ୍ତ୍ୱେ ଇସ୍ତଫା ଦେବା ଦେବାକୁ ମନା କରିଦେଇଛନ୍ତି ଇମ୍ରାନ୍। । ଆଜି ସେ କହିଛନ୍ତି ଯେ, ଯଦ ସିଏ ଇସ୍ତଫା ଦିଅନ୍ତି ତାଙ୍କ ବିରୋଧରେ ଥିବା ବିଦେଶୀ ଷଡ଼ଯନ୍ତ୍ରକୁ ସେ ସମର୍ଥନ କରୁଛନ୍ତି ବୋଲି ମାନିନିଆଯିବ । ତେଣୁ କୌଣସି ପରିସ୍ଥତିରେ ଇସ୍ତଫା ପ୍ରସଙ୍ଗ ଉଠୁ ନାହିଁ ବୋଲି ସେ କହିଛନ୍ତି। ଗତକାଲି ପାକିସ୍ତାନ ସୁପ୍ରିମ୍କୋର୍ଟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ସଂକ୍ରାନ୍ତ ମାମଲାର ଶୁଣାଣି କରି ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହା ସହିତ ସଂସଦ ଭଙ୍ଗ ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ବିଧାନର ପ୍ରକ୍ରିୟା ମୁତାବକ ହୋଇନଥିବାରୁ ଏହାକୁ କୋର୍ଟ ବେଆଇନ ଦର୍ଶାଇଥିଲେ। ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଦୋହରାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅନାସ୍ଥା ଭୋଟ ପୂର୍ବରୁ ଇମ୍ରାନ ଖାନ୍ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି। ଏହାପୂର୍ବରୁ ପାକିସ୍ତାନ ରାଜନୈତିକ କମିଟି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲା। ଏହା ବ୍ୟତୀତ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଇମ୍ରାନ ଖାନଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ। ହେଲେ ଏବେ ଇସ୍ତଫା ଆଦୌ ଦେବି ନାହିଁ ବୋଲି ଇମ୍ରାନ ଖାନ୍ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।