ନୂଆଦିଲ୍ଲୀ: ପୁରାଣ ବର୍ଣ୍ଣନା ଅନୁଯାୟୀ ବିଜୟା ଦଶମୀରେ ଲଙ୍କା ବିଜୟ କରି ଦୀପାବଳିରେ ଅଯୋଧ୍ୟା ପହଞ୍ଚିଥିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ। ଆଉ ଏହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ମନେ ପକାଇ ପୌରାଣିକ ସହର ଅଯୋଧ୍ୟା ସରଯୂ ନଦୀ କୂଳରେ ‘ରାମ୍ କୀ ପୈଦୀ’ଠାରେ ପାଳିତ ହୋଇଛି ଆଲୋକର ଉତ୍ସବ ଦୀପାବଳି ବା ‘ଦୀପୋତ୍ସବ’। ଉତ୍ତରପ୍ରଦେଶର ବିଜେପି ସରକାର ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଚଳିତ ବର୍ଷ ୫.୫ ଲକ୍ଷ ମାଟି ଦୀପ ଜଳାଇଛନ୍ତି, ଯାହାକି ସର୍ବକାଳୀନ ରେକର୍ଡ ।
ପରମ୍ପରା ଅନୁଯାୟୀ ଏଥର ଫିଜି ମନ୍ତ୍ରୀ ବୀଣା ଭଟନାଗର ଅତିଥି ଭାବ ଯୋଗଦେଇଥିଲେ ଏବଂ ପ୍ରଥମ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ଅନ୍ୟ ପଦାଧିକାରୀ ମଧ୍ୟ ଏଥିରେ ଯୋଗଦେଇଥିଲେ। ଭଟନାଗର ଭାରତୀୟ ବଂଶୋଦ୍ଭବ। ସେ ଫିଜି ସରକାରରେ ମହିଳା, ଶିଶୁ ଏବଂ ଦାରିଦ୍ର୍ୟ କଲ୍ୟାଣ ଉପମନ୍ତ୍ରୀ ଅଛନ୍ତି। ସେ ଶୁକ୍ରବାର ଲକ୍ଷ୍ନୌ ପହଞ୍ଚି ଯୋଗୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଯୋଗୀ ଆଦିତ୍ୟନାଥ ଚଳିତ ବର୍ଷର ଦୀପୋତ୍ସବ ଅବସରରେ କହିଛନ୍ତି, “ଆମ ସରକାର ରାମଙ୍କ ମାର୍ଗରେ ସବୁବେଳେ ଚାଲିଆସିଛି। ଆମେ କୌଣସି ସୀମା ଲଂଘନ ନକରି ମଧ୍ୟ ବିଜୟ ମନାଇପାରିବା। ପ୍ରଭୁ ରାମ ଧାର୍ଯ୍ୟ କରିଥିବା ସୀମା ସବୁବେଳେ ଆମକୁ ବିଜୟୀ କରାଇଛି। ସେ ନିର୍ଦ୍ଧାରଣ କରିଥିବା ସୀମା ଅତିକ୍ରମ ନ କରି ମଧ୍ୟ ଅଯୋଧ୍ୟା ଅୱଦ୍ଧ ପୁରୀର ମାନ୍ୟତା ପାଇବ।” ସୂଚନାଯୋଗ୍ୟ ଯେ, ସୁପ୍ରିମ୍କୋର୍ଟରେ ରାମଜନ୍ମଭୂମିକୁ ନେଇ ମାମଲା ଚାଲୁ ରହିଛି। ଶୁଣାଣି ସରିଥିଲେ ହେଁ ରାୟ ସଂରକ୍ଷିତ ରହିଛି। ଯୋଗୀ ଅଯୋଧ୍ୟା ରାୟ ଆସିବା ପୂର୍ବରୁ ହିଁ ଏଭଳି ମନ୍ତବ୍ୟ ଦେଇ ସଂଯତ ରହିବାକୁ ପରାମର୍ଶ ଦେଇଛନ୍ତି।
୨୦୧୭ ମସିହାରେ ଯୋଗୀ ସରକାର କ୍ଷମତାକୁ ଆସିବା ପରେ ଏହାର ୭ ମାସ ପରେ ପ୍ରଥମ ଥର ପାଇଁ ଦୀପୋତ୍ସବ ପାଳିଥିଲେ। ଗତ ବର୍ଷ ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ୍ ଜଙ୍ଗ ସୁକ୍ ଏହାର ମୁଖ୍ୟ ଅତିଥି ଥିଲେ। ସେହିବର୍ଷ ୩୦୦,୧୫୨ ମାଟି ଦୀପ ଜଳିଥିଲା, ଯାହାକି ରେକର୍ଡ ଥିଲା। ଚଳିତ ବର୍ଷ ୫୫୧,୦୦ ମାଟି ଦୀପ ଜାଳି ନୂଆ ରେକର୍ଡ କରିବାର ଅଛି। ଏଥିରୁ ୪ ଲକ୍ଷ କେବଳ ସରଜୂ ନଦୀ କୂଳରେ ଜଳିବ ଏବଂ ବାକି ଦୀପ ରାମଙ୍କ ସହ ଜଡ଼ିତ ମନ୍ଦିର ସବୁରେ ଜଳିବ। ଗିନିଜ୍ ୱାର୍ଲ୍ଡ ରେକର୍ଡ ଟିମ୍ ଏଠାରେ ଉପସ୍ଥିତ ରହି ଦୀପ ସଂଖ୍ୟା ଆକଳନ କରିବାର ଅଛି।
ଶନିବାର ଯୋଗୀଙ୍କ ଉପସ୍ଥିତିରେ ଏକ ଶୋଭାଯାତ୍ରା ମଧ୍ୟ ବାହାରିଥିଲା। ଏହାପରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। କିଛି ଲୋକ ରାମ, ଲକ୍ଷ୍ମଣ ଏବଂ ହନୁମାନ ବେଶରେ ମଧ୍ୟ ବୁଲୁଥିବାର ଦେଖାଯାଇଥିଲା। ଏସବୁ ଦେଖିବାକୁ ବେଶ୍ ସଂଖ୍ୟାରେ ଭିଡ଼ ଜମିଥିଲା। ଆସନ୍ତାକାଲି ଦୀପାବଳି ଅବସରରେ ସାଧୁସନ୍ଥମାନେ ରାମ ଜନ୍ମଭୂମି ଚାରିପାଖରେ ଦେଢ଼ ଲକ୍ଷ ଦୀପ ଜାଳିବାର ଅଛି। ଏହା ନିକଟବର୍ତ୍ତୀ ମନ୍ଦିର ଏବଂ ଘରମାନଙ୍କରେ ଜଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।