ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ସରକାର ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ୨୫ ଜଣଙ୍କୁ ଗିରଫ କରିଛନ୍ତି। ଆଇଜି ପ୍ରବୀଣ କୁମାର ଏହି ସୂଚନା ଦେଇଛନ୍ତି। ସଂଶୋଧିତ ନାଗରିକ ଆଇନକୁ ବିରୋଧ କରିବାକୁ ଯାଇ ହୋଇଥିବା ଏହି ହିଂସାରେ ପିଏଫଆଇର ହାତ ଥିବା ପୁଲିସ ଜାଣିବାକୁ ପାଇଛି। ଖାଲି ସିଏଏ ନୁହଁ ଅନେକ ଅପରାଧିକ ମାମଲାରେ ଏହି ପିଏଫଆଇ ସଦସ୍ୟଙ୍କ ସଂପୃକ୍ତି ରହିଛି। ନିକଟରେ ଏହି ପିଏଫଆଇ ସଂଗଠନକୁ ବ୍ୟାନ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଉତ୍ତର ପ୍ରଦେଶ ସରକାର। ଅନ୍ୟପଟେ ପିଏଫଆଇକୁ ବ୍ୟାନ କରିବା ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ। ପିଏଫଆଇକୁ ବ୍ୟାନ କରି ଯୋଗୀ ସରକାର ନିଜର ବିଫଳତାକୁ ଲୁଚାଉଛନ୍ତି ବୋଲି କଂଗ୍ରେସ ନେତା ପ୍ରବୀଣ ତିଓ୍ୱାରୀ କହିଛନ୍ତି।
ଯୋଗୀ ସରକାରଙ୍କ ମନ୍ତ୍ରୀ ମୋହସିନ ରଜା ମଧ୍ୟ ପିଏଫଆଇକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଆତଙ୍କବାଦୀ ସଂଗଠନ ପିଏଫଆଇର ଏହା ଦ୍ୱିତୀୟ ସଂଗଠନ। କେରଳ ପରେ ଉତ୍ତର ପ୍ରଦେଶରେ ଏହି ସଂଗଠନ ସକ୍ରିୟ ହେଉଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସିଏଏ ହିଂସା ବେଳେ ପିଏଫଆଇର ଲିଙ୍କ୍ ପାଇଛି ପୁଲିସ୍। ସଂଗଠନ ସହ ଯୋଡ଼ି ହୋଇଥିବା ଅଭିଯୁକ୍ତଙ୍କ ପାଖରୁ ଆପତ୍ତିଜନକ ସାମଗ୍ରୀ, ସାହିତ୍ୟ, ସିଡି ଆଦି ପାଇଛି। ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, କେରଳ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରେ ଏହି ସଂଗଠନ ସକ୍ରିୟ ରହିଥିବା ଜଣାପଡ଼ିଛି।
ଅନ୍ୟପଟେ ପିଏଫଆଇକୁ ବ୍ୟାନ କରିବା ପ୍ରସ୍ତାବକୁ ନେଇ କଂଗ୍ରେସ ନେତା ପ୍ରମୋଦ ତିଓ୍ୱାରୀ ଆପତ୍ତି ଉଠାଇଛି। ଯୋଗୀ ସରକାର ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୁଇନ୍ଦା ବିଫଳତାରୁ ଏଭଳି ହିଂସା ପ୍ରଦର୍ଶନ ହୋଇଛି। ଏଥିପାଇଁ ଯୋଗୀ ସରକାରଙ୍କୁ ଜନତା କ୍ଷମାଦେବେନି ବୋଲି ସେ କହିଛନ୍ତି।