କେଜ୍ରିୱାଲ ପାସ୍‌, ମମତା,ଶରଦ ପାୱାର, ସିପିଆଇ ଫେଲ

ଆମ୍ ଆଦମୀ ପାର୍ଟି ତଥା ‘ଆପ୍’କୁ ମିଳିଲା ଜାତୀୟ ଦଳର ମାନ୍ୟତା।

ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ

  • Published: Monday, 10 April 2023
  • , Updated: 10 April 2023, 08:56 PM IST

ଆମ୍ ଆଦମୀ ପାର୍ଟି ତଥା ‘ଆପ୍’କୁ ମିଳିଲା ଜାତୀୟ ଦଳର ମାନ୍ୟତା। ପ୍ରଦାନ କଲେ ନିର୍ବାଚନ କମିଶନ। ଏହାସହ ଅନ୍ୟ ୩ଟି ପାର୍ଟିରୁ ଜାତୀୟ ଦଳ ମାନ୍ୟତାକୁ ପ୍ରତ୍ୟାହାର କରିନେଇଛନ୍ତି ନିର୍ବାଚନ କମିଶନ। ସେହି ଦଳ ଗୁଡ଼ିକ ହେଉଛି, ଶରଦ ପାୱାରଙ୍କ ଏନସିପି, ତୃଣମୂଳ କଂଗ୍ରେସ ତଥା ଟିଏମସି ଏବଂ ସିପିଆଇ। ଏହି ୩ଟି ଦଳ ଉପରୁ ଜାତୀୟ ଦଳର ମାନ୍ୟତାକୁ ନିର୍ବାଚନ କମିଶନ ପ୍ରତ୍ୟାହାର କରିନେଇଛନ୍ତି। ଗତକିଛି ଦିନ ତଳେ ଆମ ଆଦମୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ପାଇଁ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ଯେଉଁଥିରେ ଦର୍ଶାଯାଇଥିଲା ଯେ, ଜାତୀୟ ମାନ୍ୟତାରେ ବିଳମ୍ବ ହେଉଥିବାରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରତିବନ୍ଧକ ସାଜୁଛି। ‘ଆପ୍’ର କର୍ଣ୍ଣାଟକ ସଂଯୋଜକ ପୃ‌ଥ୍ୱୀ ରେଡ୍ଡୀଙ୍କ ପକ୍ଷରୁ ଦାୟାର ପିଟିସନରେ ଆହୁରି ବି କୁହାଯାଇଥିଲା ଯେ, ଜାତୀୟ ଦଳର ମାନ୍ୟତା ପାଇଁ ‘ଆପ୍’ ସମସ୍ତ ମାନଦଣ୍ଡ ପୂରଣ କରୁଛି। କିନ୍ତୁ ନିର୍ବାଚନ କମିଶନ ଜାତୀୟ ଦଳର ମାନ୍ୟତାକୁ ପ୍ରତ୍ୟାଖାନ କରିଛନ୍ତି। ଏହା ବ୍ୟତୀତ ନିର୍ବାଚନ ଆୟୋଗ ଆଞ୍ଚଳିକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି)ଠାରୁ ଆଞ୍ଚଳିକ ଦଳର ମାନ୍ୟତା ପ୍ରତ୍ୟାହାର କରି ନେଇଛନ୍ତି।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଏହି ଦଳମାନଙ୍କୁ ଜାତୀୟ ଦଳର ମାନ୍ୟତା ଦିଆଯାଇଥିଲା, କିନ୍ତୁ ଏହି ଦଳଗୁଡିକ ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ତେଣୁ ଏହି ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଛି। ସେମାନଙ୍କୁ ୨ଟି ବିଧାନସଭା ନିର୍ବାଚନ ଏବଂ ୨୧ଟି ରାଜ୍ୟସଭା ନିର୍ବାଚନରେ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା। ଏବେ ଦଳର ପ୍ରଦର୍ଶନ ସମୀକ୍ଷା କରାଯାଇ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରାଯାଇଛି। ତେବେ ପରବର୍ତ୍ତୀ ନିର୍ବାଚନରେ ପ୍ରଦର୍ଶନ ଭଲ ରହିଲେ ଏହି ଦଳଗୁଡିକ ଜାତୀୟ ଦଳ ହେବାର ମାନ୍ୟତା ପାଇପାରିବେ। ଅନ୍ୟପକ୍ଷରେ ନାଗାଲାଣ୍ଡରେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ), ମେଘାଳୟର ଭଏସ୍ ଅଫ୍ ପିପୁଲ୍ ପାର୍ଟୀ ଏବଂ ତ୍ରିପୁରାର ଟିପ୍ରା ମୋଥାକୁ ରାଜ୍ୟ ରାଜନୈତିକ ଦଳର ମାନ୍ୟତା ଦିଆଯାଇଛି।

ତେବେ ଏକ ଜାତୀୟ ଦଳ ହେବା ପାଇଁ ଗୋଟିଏ ଦଳକୁ ୪ଟି ରାଜ୍ୟରେ ୬ପ୍ରତିଶତ ଭୋଟ୍ ଭାଗ ଆବଶ୍ୟକ ଏବଂ କେଜ୍ରିୱାଲଙ୍କ ଆପ୍ ଜାତୀୟ ଦଳ ହେବାର ସବୁ ସର୍ତ୍ତ ପୂରଣ କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଦିଲ୍ଲୀ, ପଞ୍ଜାବ, ଗୋଆ ଏବଂ ଗୁଜରାଟରେ ଏକ ରାଜ୍ୟ ରାଜନୈତିକ ଦଳ ଭାବରେ ମାନ୍ୟତା ପାଇଛି।

Related story