Advertisment

ସମସ୍ତଙ୍କୁ ନୂଆ ରାସ୍ତା ଦେଖାଇଲେ ୯୨ ବର୍ଷୀୟ ଖାନ ଚାଚି

୯୨ ବର୍ଷ ବୟସରେ ପାଠପଢ଼ିବା ଓ ଲେଖିବା ପ୍ରତି ତାଙ୍କର ଆଗ୍ରହ ଅନ୍ୟମାନଙ୍କୁ ଆଗକୁ ଆସିବା ପାଇଁ ପ୍ରେରଣା ଦେଇଛି।

author-image
Hemant Lenka
Khan chachi

Khan chachi

ଗୋଟିଏ ୫ ମିଟର ଓସାର ଗଳି ୯୨ ବର୍ଷୀୟ ସଲିମା ଖାନଙ୍କୁ ଶିକ୍ଷାର ଦୁନିଆରୁ ଦୀର୍ଘ ଦଶନ୍ଧି ଧରି ଅଲଗା କରି ରଖିଥିଲା। କିନ୍ତୁ ଗୋଟିଏ ଦିନ ସେ ଏହି ଗଳିରୁ ବାହାରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ସେ ବୟସର ଅପରାହ୍ନରେ ଶିକ୍ଷାର ଦୁନିଆରେ ପାଦ ମଧ୍ୟ ଦେଇଛନ୍ତି। 

Advertisment

୯୨ ବର୍ଷ ବୟସରେ ପାଠପଢ଼ିବା ଓ ଲେଖିବା ପ୍ରତି ତାଙ୍କର ଆଗ୍ରହ ଅନ୍ୟମାନଙ୍କୁ ଆଗକୁ ଆସିବା ପାଇଁ ପ୍ରେରଣା ଦେଇଛି। ଏବେ ସେ ଆଉ ନିରକ୍ଷର ନୁହନ୍ତି। କିନ୍ତୁ ତାଙ୍କୁ ସ୍ୱାକ୍ଷର ମଧ୍ୟ ଘୋଷଣା କରାଯାଇ ନାହିଁ। କାରଣ ସେ ଦୁଇ ଦିନ ତଳେ ଗୋଟିଏ ପରୀକ୍ଷା ଦେଇଛନ୍ତି। ପରୀକ୍ଷାର ରେଜଲ୍ଟ ବାହାରିବା ପରେ ହିଁ ତାଙ୍କୁ ସ୍ୱାକ୍ଷର ଘୋଷଣା କରାଯିବ। ତେବେ ସେ ଏବେ ପଢ଼ିବା ସହ ଲେଖି ମଧ୍ୟ ପାରୁଛନ୍ତି।

ଖାନ ଚାଚି ଭାବେ ପରିଚିତ ଏହି ବୃଦ୍ଧାଙ୍କ ଘର ଉତ୍ତର ପ୍ରଦେଶର ବୁଲନ୍ଦଶହର ଅନ୍ତର୍ଗତ ଚାୱଲି ଗାଁରେ। ସେ କହିଛନ୍ତି, “ପ୍ରତିଦିନ ସ୍କୁଲ ଯାଉଥିବା ପିଲାଙ୍କ କୋଳାହଳରୁ ମୋର ଦିନ ଆରମ୍ଭ ହୁଏ। କାରଣ ମୋ ଘର ସାମ୍ନାରେ ହିଁ ପ୍ରାଥମିକ ସ୍କୁଲ ରହିଛି। ତଥାପି ଆଜି ଯାଏ ସ୍କୁଲ ଭିତରକୁ ମୁଁ ପ୍ରବେଶ କରିପାରି ନଥିଲି।କାରଣ ମୁଁ ମୋର ପାଠପଢ଼ିବା ଇଚ୍ଛାକୁ ନିଜ ଭିତରେ ମାରି ସାରିଥିଲି। ହେଲେ ଏବେ ମୁଁ ପଢ଼ିବା ଆରମ୍ଭ କରିଛି। ପାଠପଢ଼ିବାରେ କ୍ଷତି କ’ଣ?”

Advertisment

ଖାନ ଚାଚି ଏବେ ପଢ଼ିବା ଓ ଲେଖିବା ଶିଖିଥିବାରୁ ପିଲାମାନେ ତାଙ୍କ ଚାରିପାଖରେ ବସି ସବୁ କିଛି ଶିଖୁଛନ୍ତି। ସେ ମଧ୍ୟ ପିଲାଙ୍କ ଠାରୁ ସେମାନଙ୍କ ପାଠପଢ଼ା ବିଷୟରେ ବୁଝୁଛନ୍ତି। ସଲିମା ୬ ମାସ ହେଲା ପାଠପଢ଼ାର ତାଲିମ ନେଇଛନ୍ତି। ଏବେ ସେ ଠିକ ଭାବେ ଲେଖିବା ଓ ପଢ଼ିବା ଆରମ୍ଭ କରିଛନ୍ତି। ସେ ୧ରୁ ୧୦୦ ଯାଏ ଗଣତି କରୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଅବଶ୍ୟ ତାଙ୍କୁ ସ୍କୁଲ ନେବା ଆଣିବା ପାଇଁ ଜଣେ ପରିବାର ଲୋକଙ୍କ ଆବଶ୍ୟକ ପଡ଼ୁଛି। କିନ୍ତୁ ଏହା ଏକ ଛୋଟିଆ କଥା ହୋଇଥିବାରୁ ସେ ପାଠପଢ଼ା ଜାରି ରଖିଛନ୍ତି। ଖାନ ଚାଚି ଆହୁରି କହିଛନ୍ତି, “ଏବେ ମୁଁ ମୋ ନାଁ ଲେଖିପାରିବି। ଏହା ହିଁ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ମୋ ନାତିନାତୁଣୀମାନେ ବେଶ ଚାଲାକିର ସହ ମୋ ଠାରୁ ଅଧିକ ଟଙ୍କା ନେଇ ଯାଉଥିଲେ। କାରଣ ମୁଁ ନୋଟକୁ ଚିହ୍ନ ପାରୁ ନଥିଲି। ଏବେ ସେସବୁ ଦିନ ଚାଲି ଯାଇଛି।”

ନିଜକୁ ସ୍ୱାକ୍ଷର ବୋଲି ପ୍ରମାଣ ଦେବା ପାଇଁ ସଲିମା ଖାନ କେନ୍ଦ୍ର ସରକାରଙ୍କ ସ୍ୱାକ୍ଷର ଭାରତ ଅଭିଯାନ ଯୋଜନାରେ ପରୀକ୍ଷା ଦେଇଛନ୍ତି। ସେ ପରୀକ୍ଷା ହଲରେ ପରୀକ୍ଷା ଦେଉଥିବା ବେଳେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରି ଥିଲେ। ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଡ. ପ୍ରତିଭା ଶର୍ମା କହିଛନ୍ତି, “ସଲିମା ଆମ ପାଖକୁ ପ୍ରାୟ ୮ ମାସ ତଳେ ଆସିଥିଲେ ଓ କ୍ଲାସରୁମରେ ବସିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ।

ଜଣେ ୯୨ ବର୍ଷୀୟ ବୃଦ୍ଧାରଙ୍କୁ ଶିକ୍ଷିତ କରିବା ଆଦୌ ସହଜ ବ୍ୟାପାର ନୁହେଁ। ତେଣୁ ଆମେ ପ୍ରଥମେ ସଲିମାଙ୍କ କଥାରେ ରାଜି ହୋଇ ନଥିଲୁ। କିନ୍ତୁ ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ଦେଖି ଆମେ ଆମ ମାନସିକତାରେ ପରିବର୍ତ୍ତନ ଆଣିଥିଲୁ। ଆମ ହୃଦୟ ତାଙ୍କୁ ମନା କରିବାକୁ ରାଜି ହୋଇ ନଥିଲା।”

ସଲିମା ଖାନ ୯୨ ବର୍ଷରେ ପାଠପଢ଼ିବାକୁ ଆଗ୍ରହ ଦେଖାଇବା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇଛି। ଏବେ ସ୍କୁଲରେ କ୍ଲାସ କରିବାକୁ ସଲିମାଙ୍କ ଦୁଇ ବୋହୂଙ୍କ ସମେତ ଗାଁର ୨୫ ଜଣ ମହିଳା ଆଗେଇ ଆସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ପକ୍ଷରୁ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସର ବ୍ୟବସ୍ଥା କରାଯାଇଛି।

Uttar Pradesh