ଆପାର୍ଟମେଣ୍ଟରୁ ମିଳିଲା TISS ଛାତ୍ରଙ୍କ ମୃତଦେହ, ରାଗିଂ ସନ୍ଦେହ କଲା ପୁଲିସ୍‌

ମୃତଦେହ ମିଳିଥିବା ଛାତ୍ରଙ୍କ ନାଁ ଅନୁରାଗ ଜୈସୱାଲ। ତାଙ୍କ ଘର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ।

ଅନୁରାଗ (ଫାଇଲ ଫଟୋ)

  • Published: Sunday, 25 August 2024
  • , Updated: 25 August 2024, 08:15 PM IST

ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(TISS)ର ଜଣେ ଛାତ୍ରଙ୍କ ମୃତଦେହ ସେ ରହୁଥିବା ଆପାର୍ଟମେଣ୍ଟ ଫ୍ଲାଟରୁ ମିଳିଛି। ସମ୍ଭବତଃ ଏପରି ମୃତ୍ୟୁ ପଛରେ ରାଗିଂ ଏକ କାରଣ ହୋଇପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି।

ମୃତଦେହ ମିଳିଥିବା ଛାତ୍ରଙ୍କ ନାଁ ଅନୁରାଗ ଜୈସୱାଲ। ତାଙ୍କ ଘର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ। ସେ TISSରେ ପଢ଼ିବା ସହ ମୁମ୍ବାଇରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଫ୍ଲାଟ ଭଡ଼ା ନେଇ ରହୁଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। 

ସୂତ୍ର ଅନୁସାରେ, ଅନୁରାଗ TISSର ମାନବ ସମ୍ବଳ କାର୍ଯ୍ୟକ୍ରମରେ ପଞ୍ଜୀକରଣ କରିଥିଲେ। ଶୁକ୍ରବାର ରାତିରେ ସେ ସାଙ୍ଗମାନଙ୍କ ସହ ବାଶିରେ ପାର୍ଟି କରିଥିଲେ। ଏଥିରେ ପ୍ରାୟ ୧୫୦ ଜଣ ଶିକ୍ଷାର୍ଥୀ ସାମିଲ ହୋଇଥିଲେ।

ପାର୍ଟିରୁ ବିଳମ୍ବିତ ରାତିରେ ଫେରିବା ପରେ ଅନୁରାଗ ଓ ତାଙ୍କ ରୁମରେ ରହୁଥିବା ଆଉ ୩ ଜଣ ଶୋଇ ପଡ଼ିଥିଲେ। ତେବେ ସକାଳୁ ଅନୁରାଗ ନ ଉଠିବାରୁ ରୁମରେ ରହୁଥିବା ୩ ଜଣ ସାଙ୍ଗ ତାଙ୍କୁ ଚେମ୍ବୁର ସ୍ଥିତ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଏବେ ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ସେହିପରି ଅନୁରାଗଙ୍କ ରୁମମେଟମାନଙ୍କୁ ପଚରାଉଚରା କରୁଛି। ଲକ୍ଷ୍ନୌରେ ରହୁଥିବା ଅନୁରାଗଙ୍କ ପରିବାର ଲୋକ ମଧ୍ୟ ମୁମ୍ବାଇରେ ପହଞ୍ଚିଛନ୍ତି। ପରିବାର ଲୋକ ଅନୁମତି ଦେବା ପରେ ଶବ ବ୍ୟବଚ୍ଛେଦ କରାଯିବ। ପୁଲିସ୍‌ ଏବେ ଅକସ୍ମାତ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Related story