ଭୁବନେଶ୍ୱର: ଶ୍ରୀ ସୁଦର୍ଶନଙ୍କ ଦାରୁଛେଦନ କାର୍ଯ୍ୟ ପରେ ଏବେ ଚଉପଟ ପ୍ରକ୍ରିୟା ଚାଲିଛି । ଗତକାଲି ରାତି ୯ଟାରେ ୨ ମିନିଟରେ ସୁଦର୍ଶନଙ୍କ ଦାରୁ ଭୂମିଷ୍ଠ ହୋଇଥିଲା। ପରମ୍ପରା ଅନୁଯାଇ ଐଶାନ୍ୟ କୋଣରୁ ହିଁ ଦାରୁ ଭୁପତିତ ହୋଇଥିଲା। ଦୁଇଦିନ ଧରି ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୂତି ପରେ ଦାରୁ ଛେଦନ କାର୍ଯ୍ୟ ଆରମ୍ଭ ହୋଇଥିଲା।
୫ଘଣ୍ଟା ର ଛେଦନ ପରେ ଭୂମିଷ୍ଠ ହୋଇଥିଲା ଶ୍ରୀ ସୁଦର୍ଶନଙ୍କ ଦାରୁ। ସେପଟେ ଦାରୁ ଭୂମିଷ୍ଠ ହେବାପରେ ଏହାର ଡାଳ ଓ ପତ୍ରକୁ ଏକ ସ୍ୱତନ୍ତ୍ର ଗାତରେ ପୋତି ଦିଆଯାଇଛି। ଏହି କାର୍ଯ୍ୟ ଶେଷ ହେବା ପରେ ସୁଦର୍ଶନଙ୍କ ଗଣ୍ଡିକୁ ଚଉପଟ କରାଯିବାର ବିଧି ରହିଛି । ଏହାପରେ ଚଉପଟ ଦାରୁକୁ ପଟ୍ଟବସ୍ତ୍ର ଅବାରଣ କରି ନବନିର୍ମିତ ଶଗଡିରେ ଶ୍ରୀମନ୍ଦିର ଅଭିମୁଖେ ନିଆଯିବ । କିଛି ଦଇତାପତି ସୁଦର୍ଶନ ଦାରୁଙ୍କ ସହ ଶ୍ରୀକ୍ଷେତ୍ର ପ୍ରତ୍ୟାବର୍ତ୍ତନ କରିବେ।
ଗତକାଲିଠାରୁ ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡକଣ୍ଟୂଣିଆରେ ମହାଯଜ୍ଞ ଚାଲିଥିଲା।ଆଜି ଅପରାହ୍ଣରେ ପୂର୍ଣ୍ଣାହୂତି ପରେ ପ୍ରଥମେ ବିଦ୍ୟାପତିଙ୍କ ସୁନା କୁରାଢି ଓ ତା’ ପରେ ବିସ୍ୱାବସୁଙ୍କ ରୂପା କୁରାଢି ଛୁଆଁଯାଇଥିଲା।ଏହାପରେ ମହାରଣା ସେବାୟତଙ୍କ ଦ୍ୱାରା ଲୁହା କୁରାଢିରେ ଦାରୁଛେଦନ ଆରମ୍ଭ କରିଥିଲେ।ଅନ୍ୟପକ୍ଷରେ ମହାଯଜ୍ଞ ଓ ସୁଦର୍ଶନଙ୍କ ଦାରୁ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡିଛି ହୀରାପୁର ଗଡକଣ୍ଟୁଣିଆ ଗାଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।