ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଚଣ୍ଡ ପ୍ରତିଭା ଧରି ସେ ଥିଲେ ଖୁବ୍ ସାଧାରଣ। ଅନେକ ପ୍ରଶଂସା ଓ ପୁରସ୍କାର ସାଉଁଟିଥିଲେ, କିନ୍ତୁ ଆତ୍ମବଡ଼ିମାର ‘ଲକ୍ଷ୍ମଣ ରେଖା’ ଡେଇଁ ନଥିଲେ। ପ୍ରଥମେ ମଞ୍ଚ ନାଟକର ମୋହରେ ପଡ଼ିଲେ, ପରେ ଅଭିମାନର ଏକ ଛୋଟ ଭୂମିକାର ଆରମ୍ଭ ହୋଇଥିଲା ଲମ୍ବା ସିନେ ଯାତ୍ରା। ‘ଚିଲିକା ତୀରେ’ ‘ଚକା ଭଉଁରୀ’ କାଟୁ କାଟୁ ସେ ପଶି ଆସିଥିଲେ ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପର ‘ସ୍ବପ୍ନ ସାଗର’ ଭିତରକୁ। ପ୍ରଥମ ଓଡ଼ିଆ ଭାବେ ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ଉତ୍ତୀର୍ଣ୍ଣ ହୋଇଥିଲେ ଓଲିଉଡର ‘ମହାନାୟକ’ ବିଜୟ ମହାନ୍ତି। କିନ୍ତୁ ମୁମ୍ବାଇରେ ନୁହେଁ, ଜନ୍ମ ମାଟି ଓଡ଼ିଶାରେ ରହି ନିଜ କ୍ୟାରିଅରକୁ ଏକପ୍ରକାର ‘ବାଜି’ରେ ଲଗାଇ ଦେଇଥିଲେ। କିଛି ଦର୍ଶକ ତାଙ୍କୁ ‘ହାକିମ ବାବୁ’ରେ ଖୁବ୍ ତାରିଫ କଲେ ତ ଆଉ କାହା ପାଇଁ ସେ ହୋଇଗଲେ ‘ସହରୀ ବାଘ’ର ରୋଲ୍ ମଡେଲ୍।
ସହସ୍ର କୋଶରେ ପହଞ୍ଚିଲା ‘ତୁଣ୍ଡ ବାଇଦ’ ଆଉ ଓଡ଼ିଶାର ଘରେ ଘେର ପରିଚିତ ହୋଇଗଲେ ବିଜୟ। ‘ନାଗଫାଶ’ର ନକାରାତ୍ମକ ଚରିତ୍ରରୁ ତାଙ୍କ ପ୍ରଚଣ୍ଡ ପ୍ରତିଭାର ଆଭାସ ବି ମିଳିଲା, ଆଉ ଜଗା ହାତରେ ପଘା ଧରି ରୁପା ଶଗଡ଼ିରେ ସୁନା କନିଆକୁ ଶାଶୂ ଘରକୁ ନେଉଥିବାର ଆବେଗଭରା ଦୃଶ୍ୟ ଓ ସଂଗୀତ ତାଙ୍କୁ ଓଡ଼ିଆ ସିନେପ୍ରମୀଙ୍କ ହୃଦୟର ସମ୍ରାଟ ସଜାଇଥିଲା। ଛଅ ଦଶନ୍ଧିରେ ଦେଢ଼ଶହରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଓଡ଼ିଆ ସିନେମାର ଏହି ‘ମହାନାୟକ’ ଅନେକଙ୍କ ପାଇଁ ଥିଲେ ଗୁରୁ ପୁଣି ବାପା ଆଉ ବଡ଼ଭାଇ କି ପ୍ରିୟ ବନ୍ଧୁ। ସହ ଅଭିନେତ୍ରୀ ତନ୍ଦ୍ରାଙ୍କୁ “ଜୀବନ ସାଥୀ” କରିବା ପରେ ‘ପତିପତ୍ନୀ’ ଙ୍କ ‘ସୁନାର ସଂସାର’ ଗତିଶୀଳ ହୋଇଥିଲା। ଅଭିନୟ, ନିର୍ଦ୍ଦେଶନା ସାଙ୍ଗକୁ ଅଧ୍ୟାପନା ଥିଲା ଯୁଗେଚ୍ଛାର ଯୁଗସ୍ରଷ୍ଟାଙ୍କ ପେଶା ଓ ନିଶା। କହିଥିଲେ ହସପିଟାଲରୁ ସୁସ୍ଥ ହୋଇ ଫେରିଲେ ପୁଣି ନାଟକ କରିବେ। କିନ୍ତୁ ଅଧା ରହିଲା ସେ ଇଛା ଆଉ ଯଥେଷ୍ଟ ପୂର୍ବରୁ ଅଫେରା ରାଇଜକୁ ବାହୁଡ଼ିଗଲେ ବିଜୟ ମହାନ୍ତି।
କେନ୍ଦ୍ରାପଡ଼ାରେ ଜନ୍ମ ହୋଇଥିଲେ କିନ୍ତୁ ମନ ତାଙ୍କ ରହିଯାଇଥିଲା ବାରିପଦାରେ। ଭଞ୍ଜ ମାଟିର ସେ ଥିଲେ ‘ସୁନା ଚଢେ଼ଇ’। ବିଧିର ବିଧାନ’ରେ ଏହି ଚଢ଼େଇ’ଟି ‘ସୁନା ପଞ୍ଜୁରୀ’ ଛାଡ଼ି ଅଫେରା ରାଇଜକୁ ଫେରିଯିବା ପୂର୍ବରୁ କିନ୍ତୁ ‘ମମତାର ଡୋରି’ରେ ବାନ୍ଧି ଦେଇଥିଲେ କୋଟି କୋଟି ଓଡ଼ିଆଙ୍କୁ। ପ୍ରିୟ ପରିଜନଙ୍କ ପାଇଁ ‘ପୁଅ ମୋର କଳା ଠାକୁର’ ପାଲଟିଥିବା ଶ୍ରଦ୍ଧାଶୀଳ ବିଜୟ ଥିଲେ ସ୍ୱଭାବରେ ଖୁବ୍ ସାଦାସିଧା ଆଉ ଖୋଲା ହୃଦୟର ମଣିଷ। ମଣିଷ ଯେତେ ଉପରକୁ ଯାଏ ସେତେ ନମ୍ର ହୁଏ, ଏଇ କଥାଟିର ବାସ୍ତବତା ଆଉ କାହା ପାଖରେ ନହେଲେ ନାହିଁ, ବିଜୟଙ୍କ ପାଖରେ ବେଶ୍ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା।
ସଫଳତାର ଶିଖର ଛୁଇଁ ବି ସେ ଥିଲେ ଖୁବ୍ ନମ୍ର ଆଉ ଦରଦୀ। ଖାସ୍ ସେଥିପାଇଁ ଯାବତୀୟ ଅସୁସ୍ଥତାର ଖବର ସତ୍ତ୍ୱେ ତାଙ୍କ ମୃତ୍ୟୁକୁ ହଠାତ୍ ଗ୍ରହଣ କରିପାରି ନଥିଲେ ଶୁଭେଚ୍ଛୁ, ଅନୁଗାମୀ ଓ ପ୍ରଶଂସକ। କିଏ ଆଖର ଲୁହକୁ ଅଟକାଇ ପାରୁନାହିଁ ତ ଆଖ କାହାର କୋହ ବୋଲ ମାନୁନି। ରାଜଧାନୀର ସତ୍ୟନଗର ଶ୍ମଶାନରେ ଏହି ଓଡ଼ିଆ ସିନେ ଶିଳ୍ପର ଏହି ଜୋଜ୍ଜୁଲ୍ୟମାନ ନକ୍ଷତ୍ର ସବୁ ଦିନ ପାଇଁ ଲିଭି ଯାଇଛି। କେବଳ ଜନ୍ମ ମାଟି କେନ୍ଦ୍ରାପଡ଼ା କି ଧର୍ମ ମାଟି ବାରିପଦା ଅବା କର୍ମଭୂମି ଭୁବନେଶ୍ୱର ନୁହେଁ, ବିବର୍ଣ୍ଣ ପୃଥିବୀର ବିଶ୍ୱକର୍ମାଙ୍କୁ ତାଙ୍କ ଅବର୍ତ୍ତମାନରେ ଝୁରୁଛି ଓଲିଉଡ୍, ଝୁରୁଛି ଓଡ଼ିଶା, ଝୁରୁଛନ୍ତି ସମସ୍ତେ। ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳିର ଦୀପରେ ସାରା ‘ସହର ଜଳୁଛି’ ଆଉ ଝାପ୍ସା ସ୍ୱରରେ ସଭିଏଁ କହୁଛନ୍ତି ମହାନାୟକଙ୍କୁ ଭୁଲିହୁଏନା, କି ସିନେଜଗତର ବେତାଜ ବାଦଶା ବିଜୟ ମହାନ୍ତି ମରି ପାରେନା। ...ବିଦାୟ ବିଜୟ....
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।