କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର କଣକଷୋଟୀ ଗାଁରେ ଗଜଲକ୍ଷ୍ମୀ ଭସାଣୀ ଶୋଭାଯାତ୍ରାରେ ଅଘଟଣ। ୩୩ କେଭି ତାର ସଂସ୍ପର୍ଶରେ ଡିଜେ ଟ୍ରଲି ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ କଣକଷୋଟୀ ଗାଁର ବିଶ୍ବଜିତ୍ ଲେଙ୍କା।
ମାର୍ଶାଘାଇ ବଜାର କମିଟି ପକ୍ଷରୁ ଏହି ଶୋଭାଯାତ୍ରା ଗାଁ ପରିକ୍ରମା କରୁଥିବା ବେଳେ ଡିଜେ ଟ୍ରଲିଟି ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ବିଶ୍ବଜିତ୍ ଏହି ତାରଟିକୁ ଟେକିବା ବେଳେ ବିଦ୍ୟୁତ୍ ଆଘାତ ଖାଇ ତଳେ ପଡ଼ିଯାଇଥିଲେ। ସେହି ଟ୍ରଲି ନିକଟରେ ଥିବା ଆଉ ୩ ଜଣ ନାବାଳକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ। ହେଲେ ବିଶ୍ବଜିତଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି।
ଗୁରୁତର ଆହତ ୩ଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଡିଜେ ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି।
ମୃତ ବିଶ୍ବଜିତ ବେଙ୍ଗାଲୁରୁରେ କାମ କରନ୍ତି। ଗଜଲକ୍ଷ୍ମୀ ପୂଜାରେ ସାମିଲ ହେବା ନିମନ୍ତେ ଛୁଟି ନେଇ ଗାଁକୁ ଆସିଥିଲେ। ସେ ବାପା, ମା'ଙ୍କ ଗୋଟିଏ ପୁଅ ତଥା ଗଜଲକ୍ଷ୍ମୀ ପୂଜା କମିଟି ସଭାପତିଙ୍କ ଭାଇ।
ଶୋଭାଯାତ୍ରା ସମ୍ପର୍କରେ ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ ହେଁ, ବିଦ୍ୟୁତ୍ ସଂଯୋଗ କଟା ଯାଇ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।