ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନେ ଯିଏ କୋଭିଡ୍ ରୋଗୀଙ୍କ କଥା ବୁଝୁଥିଲେ। ଆଜି ସିଏ ନିଜେ ମାରାତ୍ମକ ମହାମାରୀରେ ଜୀବନ ହରାଇଛନ୍ତି। ଏମାନେ ହେଉଛନ୍ତି ‘କରୋନା’ରେ ଶିକାର ହୋଇଥିବା ଶିକ୍ଷକ। ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖିବାଠାରୁ ଆରମ୍ଭ କରି ଟିଏମ୍ସିରେ ସେମାନଙ୍କ ଦେଖାଶୁଣା କରିବା ଓ କୋଭିଡ୍ ସର୍ଭେ ପରି କାର୍ଯ୍ୟ କରିବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିନାହାନ୍ତି। ଏପରିକି ମୃତ ଶିକ୍ଷକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଉନି। ଯାହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଚଢେୟାପଲ୍ଲୀରେ ଶିକ୍ଷକ ଥିଲେ ସିଦ୍ଧାର୍ଥ ଶଙ୍କର ପାଢ଼ୀ। ଗତ ମାସ ‘କରୋନା’ରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ତୁଙ୍ଗଠେଙ୍ଗାପଲ୍ଲୀରେ କ୍ୱାରେଣ୍ଟାଇନ୍(ଟିଏମ୍ସି) କେନ୍ଦ୍ରରେ ସେ କୋଭିଡ୍ ଡ୍ୟୁଟି କରୁଥିଲେ। ମୃତ୍ୟୁ ପରେ ଏହି କୋଭିଡ୍ ଯୋଦ୍ଧାଙ୍କ ପରିବାରଙ୍କୁ ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି।
ସେହିପରି ଆଉ ଜଣେ ଶିକ୍ଷକ ହେଉଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର କୃଷ୍ଣଚନ୍ଦ୍ର ସେଠୀ। ମହାମାରୀ ‘କରୋନା’ ସହ ଲଢି ଗତ ୧୮ ତାରିଖ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ସେ ୮ ଦିନ କ୍ୱାରେଣ୍ଟାଇନ୍ ଡ୍ୟୁଟି ଓ ୨ ଦିନ କୋଭିଡ୍ ସର୍ଭେ କରିଥିଲେ। ତେବେ ସରକାରଙ୍କଠାରୁ ସାହାଯ୍ୟ ତ ଦୂରର କଥା ୨ ମାସ ହେଲା ଦରମା ମିଳିନଥିବା କୃଷ୍ଣଚନ୍ଦ୍ରଙ୍କ ପତ୍ନୀ କହିଛନ୍ତି। କେବଳ ଏହି ଦୁଇ ଜଣ ନୁହନ୍ତି, କୋଭିଡ୍ ଡ୍ୟୁଟି କରି ମହାମାରୀରେ ପ୍ରାଣ ହରାଇଥିବା ଅନେକ ଶିକ୍ଷକଙ୍କ ପରିବାର ଏବେ ବେସାହାରା।
ସରକାରୀ ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ କୋଭିଡ୍ ଡ୍ୟୁଟି କରିଥିବା ୧୧ ଜଣ ଶିକ୍ଷକଙ୍କର ‘କରୋନା’ରେ ମୃତ୍ୟୁ ହୋଇଛି। ତେବେ ‘କରୋନା’ ଲଢେଇର ଆଗରେ ଥିଲେ ମଧ୍ୟ ଏମାନଙ୍କ ଅବଦାନକୁ ସ୍ୱୀକୃତି ଦେଇନାହାନ୍ତି ସରକାର। ଶିକ୍ଷକମାନେ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖିବାଠାରୁ ଆରମ୍ଭ କରି ଟିଏମ୍ସିରେ ସେମାନଙ୍କ ଦେଖାଶୁଣା କରୁଛନ୍ତି। ଏପରିକି କୋଭିଡ୍ ସର୍ଭେ ପରି କାର୍ଯ୍ୟ ଦାୟିତ୍ୱର ସହ ନିର୍ବାହନ କରୁଛନ୍ତି। ଏହା ସତ୍ତ୍ୱେ ସେମାନଙ୍କୁ ସରକାର କୋଭିଡ୍ ଯୋଦ୍ଧାର ମାନ୍ୟତା ଦେଉନାହାନ୍ତି। ଏପଟେ ସ୍ୱାସ୍ଥ୍ୟ କର୍ମୀଙ୍କ ଭଳି ‘କରୋନା’ରେ ମୃତ୍ୟୁବରଣ କରୁଥିବା ଶିକ୍ଷକଙ୍କୁ ୫୦ ଲକ୍ଷ ଟଙ୍କା ସହାୟତ ଦେବାକୁ ଦାବି କରିଛି ନିଖିଳ ଓଡ଼ିଶା ଶିକ୍ଷକ ସଂଘ। ତେବେ ଯେଉଁମାନେ ଡ୍ୟୁଟିରେ ପ୍ରାଣ ହରାଇଛନ୍ତି, ସେମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ ଲାଗି ବ୍ୟବସ୍ଥା କରାଯାଉଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।