୨୪ ଘଣ୍ଟାରେ ପଞ୍ଜିକରଣ କରିଛନ୍ତି  ୧୨୩୯ଜଣ ବିଦେଶ ଫେରନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ସମ୍ପର୍କରେ ସ୍ୱେଚ୍ଛାକୃତ ତଥ୍ୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ସଫଳ ହୋଇଛି। ବାହାରୁ ଓଡ଼ିଶା ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନଲାଇନ ପୋର୍ଟାଲ ଓ ଟୋଲ ଫ୍ରି ନମ୍ବର ମାଧ୍ୟମରେ ମୋଟ ୧୨୩୯ଜଣ ବ୍ୟକ୍ତି ପଞ୍ଜିକରଣ କରିଛନ୍ତି। ଏଥିରୁ ୬୮୫ଜଣ ୱେବସାଇଟରେ ପଞ୍ଜିକରଣ କରିଥିବାବେଳେ ୫୫୪ଜଣ ଟୋଲ ଫ୍ରିକୁ ଫୋନ୍ କରି ପଞ୍ଜିକରଣ କରିଛନ୍ତି। ଓଡ଼ିଶା ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଥିବାବେଳେ ସାଧାରଣ ଲୋକେ […]

890-1

Tapas Behera
  • Published: Tuesday, 17 March 2020
  • , Updated: 17 March 2020, 07:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ସମ୍ପର୍କରେ ସ୍ୱେଚ୍ଛାକୃତ ତଥ୍ୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ସଫଳ ହୋଇଛି। ବାହାରୁ ଓଡ଼ିଶା ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନଲାଇନ ପୋର୍ଟାଲ ଓ ଟୋଲ ଫ୍ରି ନମ୍ବର ମାଧ୍ୟମରେ ମୋଟ ୧୨୩୯ଜଣ ବ୍ୟକ୍ତି ପଞ୍ଜିକରଣ କରିଛନ୍ତି। ଏଥିରୁ ୬୮୫ଜଣ ୱେବସାଇଟରେ ପଞ୍ଜିକରଣ କରିଥିବାବେଳେ ୫୫୪ଜଣ ଟୋଲ ଫ୍ରିକୁ ଫୋନ୍ କରି ପଞ୍ଜିକରଣ କରିଛନ୍ତି। ଓଡ଼ିଶା ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଥିବାବେଳେ ସାଧାରଣ ଲୋକେ ଏହାର ଅନୁପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ଆଜି ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଇସି ମୁଖ୍ୟ ତଥା ‘କରୋନା’ ସମ୍ପର୍କିତ ତଥ୍ୟ ପ୍ରଦାନ ନିମନ୍ତେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଆମେରିକାରୁ ଫେରିଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ ସ୍ୱଇଚ୍ଛାରେ ପଞ୍ଜିକରଣ କରିବା ସହ ୧୪ଦିନିଆ ହୋମ କ୍ୱାରେଣ୍ଟାଇନରେ ରହିଥିବାରୁ ସରକାରଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରୁଛନ୍ତି। ଏବେସୁଦ୍ଧା ରାଜ୍ୟରେ ମୋଟ ୩୨ଜଣଙ୍କ ନମୂନା ସଂଗ୍ରହ କରାଯାଇଥିବାବେଳେ ଏଥିରେ କେବଳ ଗୋଟିଏ ପଜେଟିଭ କେସ୍ ଅଛି। କରୋନା ଭାଇରସରେ ଆକ୍ରାନ୍ତ ଥିବା ଯୁବକ ଏବେ ସୁସ୍ଥ ଅଛନ୍ତି। ଠିକଭାବେ ଖିଆପିଆ କରୁଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସରକାର ଚିହ୍ନଟ କରି ସେମାନଙ୍କୁ ହୋମ୍ ଆଇସୋଲେସନରେ ରଖିଛନ୍ତି ।

ଏହାସହିତ କରୋନା ପାଇଁ ରାଜ୍ୟର ମେଡିକାଲ କଲେକଗୁଡ଼ିକରେ ସ୍ୱତନ୍ତ୍ର ଭାବେ  ୫୪୦ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ କରାଯାଇଛି। ଆଉ ପ୍ରତ୍ୟେକ ଘରୋଇ ହସ୍ପିଟାଲକୁ ବାଧ୍ୟତାମୂଳକ ଭାବେ ‘କୋଭିଡ-୧୯’ କର୍ଣ୍ଣର ସ୍ଥାପନ କରିବାକୁ କୁହାଯାଇଛି । ଘରୋଇ ହସ୍ପିଟାଲଗୁଡ଼ିକରେ ପରିଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏସବୁ ବ୍ୟତୀତ ମଲଗୁଡ଼ିକ ପାଇଁ କେତେକ ନୂଆ ନିଷ୍ପତ୍ତି ନିଆଯାଇଛି। ଯେଉଁ ମଲଗୁଡ଼ିକରେ ଖାଦ୍ୟସାମଗ୍ରୀ, ଗ୍ରୋସେରୀ, ଅତ୍ୟାବଶ୍ୟକ ସାମଗ୍ରୀ, ମେଡିସିନ ଷ୍ଟୋର ଥିବ ସେଗୁଡ଼ିକ ଖୋଲା ରହିବ। କେବଳ ସେହି ଭାଗଗୁଡ଼ିକ ଖୋଲା ହେବ। ତେବେ ସମ୍ପୃକ୍ତ ମଲଗୁଡ଼ିକରେ ଯେଭଳି ଜନଗହଳି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଆବଶ୍ୟକ ନପଡ଼ିଲେ ମଲକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କଗୁଡ଼ିକରେ ଗହଳି ହ୍ରାସ ପ୍ରତି ଦୃଷ୍ଟି ଦେବାକୁ କୁହାଯିବା ସହ ପ୍ରତ୍ୟେକ ଏଟିଏମରେ ପରିଷ୍କାର ପରିଚ୍ଛନ୍ନ ବ୍ୟବସ୍ଥା ସହ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀ ବାଗଚୀ ସମଗ୍ର ବିଶ୍ୱରେ କରୋନା ପ୍ରଭାବିତ ଦେଶ ସଂଖ୍ୟା ୧୫୭ରୁ ୧୬୨କୁ ବୃଦ୍ଧି ପାଇଥିବା କହିବା ସହ ଭାରତରେ ୧୨୬ଜଣ ସଂକ୍ରମିତ ଓ ୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି।

Related story