ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ନୂଆ ଷ୍ଟ୍ରେନ୍କୁ ଦୃଷ୍ଟିରେ ରଖି ଗତକାଲିଠୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଉ ସ୍କ୍ରିନିଂ ଆରମ୍ଭ ହେଉ ହେଉ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଥିବା ବେଳେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ଅନ୍ୟ ଜଣେ ଯାତ୍ରୀ ବି ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।
ବିଭିନ୍ନ ରାଜ୍ୟରେ ଦେଖାଦେଇଛି କରୋନାର ନୂଆ ଷ୍ଟ୍ରେନ୍। ଏଣୁ ପୁଣି ଥରେ କରୋନାର କୋପ କାୟା ବିସ୍ତାର କରିବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ସ୍କ୍ରିନିଂ ଆରମ୍ଭ ହୋଇଛି। କରୋନାର ଦ୍ୱିତୀୟ ଷ୍ଟ୍ରେନ୍କୁ ନଜରରେ ରଖି ବିଏମ୍ସି ଏଭଳି ସତର୍କତା ମୂଳକ ପଦକ୍ଷେପ ନେଇଛି।
ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । କୋଭିଡ୍ର କିଛି ଲକ୍ଷଣ ଦେଖାଗଲେ ଟେଷ୍ଟ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ସ୍କ୍ରିନିଂ ବେଳେ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଯିବ ବୋଲି କହିଛନ୍ତି ବିଏମ୍ସି ଅତିରିକ୍ତ କମିଶନର।
ଭୁବନେଶ୍ୱର ଏୟାରପୋର୍ଟରେ କରୋନା ଟେଷ୍ଟିଂ ନେଇ ବିଏମ୍ସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଏୟାରପୋର୍ଟରେ ହେଲ୍ପ ଡେସ୍କ କରାଯାଇଛି । ସେଠାରେ ୨ଟି ସିଫ୍ଟରେ ସ୍କ୍ରିନିଂ କରାଯିବ । ଯାହାଙ୍କ ଠାରେ ଲକ୍ଷଣ ଦେଖାଯିବ, ସେମାନଙ୍କୁ ଟେଷ୍ଟ କରାଯିବ। ବିଶେଷ କରି ଯେଉଁ ସବୁ ରାଜ୍ୟରେ ସେକେଣ୍ଡ ୱେଭ ଦେଖା ହେଲାଣି, ସେହି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ବିଶେଷ ଦୃଷ୍ଟି ଦିଆଯିବ।
୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଏହି ରିପୋର୍ଟ ପ୍ରକାଶ କରାଯାଇଛି। ୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୬ଟି ହେଉଛି ଲୋକାଲ୍ କେସ୍।
ଅନୁଗୋଳ ଜିଲ୍ଲାରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୯, ବରଗଡ଼ରୁ ୬, ବଲାଙ୍ଗୀରରୁ ୬, ବୌଦ୍ଧରୁ ଜଣେ, କଟକରୁ ୪, ଦେବଗଡ଼ରୁ ୪, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ଜଣେ , କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ୯, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ଜଣେ, ପୁରୀରୁ ୪, ସମ୍ବଲପୁରରୁ ୧୪, ସୋନପୁରରୁ ୫ ଓ ସୁନ୍ଦରଗଡ଼ରୁ ୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲରୁ ଜଣେ ଚିହ୍ନଟ ହୋଇଛନ୍ତି।
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୯୨୪ରେ ପହଞ୍ଚିଥିବା ବେଳେ ୩,୩୪,୩୩୩ ଜଣ ସୁସ୍ଥ ହୋଇସାରିଲେଣି। ୬୨୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୧୫ରେ ପହଞ୍ଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।