କୋରାପୁଟ(ସୂର୍ଯ୍ୟକାନ୍ତ ପଣ୍ଡା): ବିଧାତା ସାଜିଲା ନିଷ୍ଠୁର। ଦୁଇ ବର୍ଷ ତଳେ ତିନି ଛୁଆଙ୍କ ମୁଣ୍ଡ ଉପରୁ ଛଡ଼ାଇ ନେଇଥିଲା ବାପାଙ୍କ ହାତ। ସେମାନେ ମାଆର କୋଳରେ କାଟୁଥିଲେ ଦିନ। ହେଲେ ବେଶୀ ଦିନ ରହିପାରିନି ସେହି କୁନି ପିଲାଙ୍କ ଦରୋଟି ଓଠର ହସ ଓ କଅଁଳ ଆଖିର ସ୍ୱଳ୍ପ। ଅବେଳରେ ସେମାନଙ୍କ ପାଖରୁ ଏକମାତ୍ର ସାହା ଭରସା ଥିବା ମାଆକୁ ଛଡ଼ାଇ ନେଲା ଦଇବ। ଏବେ ଦୁନିଆ ଦାଣ୍ଡରେ ବେସାହାରା ତିନି ଅନାଥ ଛୁଆ। ପାଖରେ ନା ଅଛି ଖାଇବାକୁ ନା ବାପା-ମାଆଙ୍କର ସ୍ନେହ ମମତା। ମାଆକୁ ହରାଇ ଗତକାଲିଠାରୁ ଉପବାସରେ ରହିଛନ୍ତି ଭଗବତୀ, ଲକ୍ଷ୍ମଣ ଓ ଲଳିତ।
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ବଦଳିକୁଡୁମ ଗାଁର ଆଦିବାସୀ ଯୁବକ ଭାସ୍କର ନାଏକ। ୨ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ ଦେବକୀ ନାଏକ। ଦୁଃଖ କଷ୍ଟରେ ଜଙ୍ଗଲରୁ କାଠ ସଂଗ୍ରହ କରି ଓ ମୁଲମଜୁରୀ ଲାଗି ୪ ପ୍ରାଣୀ କୁଟୁମ୍ୱ ଚଳାଉ ଥିଲେ। ପରିବାର କହିଲେ ୧୦ ବର୍ଷର ଝିଅ ଭଗବତୀ, ୫ ବର୍ଷର ପୁଅ ଲକ୍ଷ୍ମଣ ଓ ଦୁଇ ବର୍ଷର ଲଳିତ।
ମାଆଙ୍କ ମୃତ୍ୟୁ ପରେ ୩ ଛୁଆ ପୂରା ଅନାଥ ହୋଇଗଲେ। ପରେ ଆଦିବାସୀ ପରମ୍ପରା ଅନୁସାରେ ଶବ ସଂସ୍କାର କରାଗଲା। ରାତି ହୋଇଯାଇ ଥିବାରୁ ସମସ୍ତେ ନିଜ ନିଜ ଘରକୁ ଚାଲି ଯାଇଥିଲେ। ହେଲେ ଭଗବତୀ ଓ ଲକ୍ଷ୍ମଣ ନିଜର କୁନି ଭାଇ ଲଳିତକୁ ଧରି ଫେରିଲେ ନିଜର ସେହି ଚାଳ ଛପର ଘରକୁ, ଯେଉଁଠି ସକାଳେ ମାଆ ହାତରୁ ଖାଇଥିଲେ ଭାତ। ଲକ୍ଷ୍ମଣ ଓ ଲଳିତ ସିନା ବୁଝି ପାରୁ ନାହିଁ, ହେଲେ ଭଗବତୀ ସବୁ ଦେଖି ବୁଝିପାରିଛି। ସାନ ଦୁଇ ଭାଇଙ୍କୁ ବୁଝାଇବା ପାଇଁ ସେମାନଙ୍କ ମୁଣ୍ଡରେ ମଝିରେ ମଝିରେ ହାତ ମାରି ଆଖିର ଲୁହକୁ ଲୋଚାଇ ଗୁମୁରି କାନ୍ଦୁଛି ଭଗବତୀ। ଏମିତି ରାତିଟା କଟିଗଲା।
ଯଦିବା ହରିଶ୍ଚନ୍ଦ୍ର ଯୋଜନାରେ ଏହି ଅର୍ଥ ସେମାନଙ୍କ ପାଖରେ ପହଞ୍ଚିଛି, ତାହା ହେଲେ ଏହି ଛୋଟ ପିଲାମାନେ ସେହି ଟଙ୍କାରେ କଣ କରିବେ? ଇଏ ହେଉଛି ଦଶମନ୍ତପୁର ବ୍ଲକ ସଦର ମହକୁମାଠାରୁ ମାତ୍ର ଦେଢ଼ କିମି ଦୂରରେ ଘଟିଥିବା ଏକ ଦୁଃଖଦ ଘଟଣା। ତାହାହେଲେ ଏଠି ପ୍ରଶ୍ନ ଉଠୁଛି, କୋରାପୁଟ ଜିଲ୍ଲା ଭଳି ଅତି ଦୁର୍ଗମ ଅଞ୍ଚଳରେ କେମିତି ପହଞ୍ଚୁଥିବ ଆମ ସରକାରଙ୍କ ସୁବିଧା ଓ ସୁଯୋଗ।