ଇଏ ‘ଫାଇଭ-ଟି’ର କେଉଁ ରୂପ: ସମାଲୋଚନାକୁ ଭୟ ନା ଅପାରଗତା ଲୁଚାଇବାକୁ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ପାଳି ସରକାର ଗଢ଼ିବା ପରଠୁ ରାଜ୍ୟ ପ୍ରଶାସନର ବିଭିନ୍ନ କ୍ଷେତ୍ରରେ ‘ଫାଇଭ-ଟି’ କାର୍ଯ୍ୟକ୍ରମ ଲାଗୁ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରଶାସନର ସମସ୍ତ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣି ନିର୍ଦ୍ଧାରିତ ଅବଧି ମଧ୍ୟରେ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ‘ମୋ ସରକାର’ ନାଁରେ ବ୍ୟବସ୍ଥାଗତ ପରିବର୍ତ୍ତନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ମାତ୍ର ସାଧାରଣ ପ୍ରଶାସନ ବିଭାଗର ସଚିବ ସଞ୍ଜୀବ ଚୋପ୍ରା ଗତ ୨୫ତାରିଖରେ ସମସ୍ତ ବିଭାଗୀୟ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠି ହିଁ ‘ଫାଇଭ-ଟି’ର ନଗ୍ନ ସତ୍ୟକୁ ପଦାରେ ପକାଇଛି। ‘ଫାଇଭ-ଟି’ରେ ‘ଟ୍ରାନ୍ସପରେନ୍ସି ବା ପାରଦର୍ଶିତା’ର ଅର୍ଥ ଯେ ରାଜ୍ୟ ପ୍ରଶାସନର ଅଧିକାରୀମାନଙ୍କ ପାଇଁ ମୂଲ୍ୟହୀନ ତାହା ନିଜ ଚିଠି ମାଧ୍ୟମରେ ସାଧାରଣ ପ୍ରଶାସନ ସଚିବ ପରୋକ୍ଷରେ ତାଗିଦ୍ କରାଇବାକୁ ପଛାଇନଥିବା ଜଣାପଡ଼ିଛି।

ସାଧାରଣ ପ୍ରଶାସନ ସଚିବଙ୍କ ଏହି ଚିଠି ସରକାରଙ୍କ ବିଭିନ୍ନ ଅପାରଗତା ଲୁଚାଇବା ପାଇଁ ଉଦ୍ୟମ ନା ଗଣମାଧ୍ୟମରେ ସରକାରଙ୍କ ବିଭିନ୍ନ ସମାଲୋଚନାରୁ ବର୍ତ୍ତିବା ପାଇଁ ସରକାରୀ କର୍ମଚାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ ତାକୁ ନେଇ ସାଧାରଣରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଚୋପ୍ରା ଗତ ୨୫ତାରିଖରେ ରାଜ୍ୟର ସମସ୍ତ ବିଭାଗୀୟ ସଚିବ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଗଣମାଧ୍ୟମ ସହ କଥାବାର୍ତ୍ତା ବା ଭାବ ବିନିମୟବେଳେ ଆବଶ୍ୟକ ‘କୋଡ୍ ଅଫ କଣ୍ଡକ୍ଟ’ ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଭିତ୍ତିଭୂମି ନଥାଇ ଡାକ୍ତରଖାନାରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରାଯିବା ଉପରେ ସୁନ୍ଦରଗଡ଼ର ନିଲମ୍ବିତ ସିଡିଏମଓ(ଏବେ ସମ୍ବଲପୁରରେ ଅବସ୍ଥାପିତ) ଡାକ୍ତର ପଙ୍କଜ ପଟେଲ ‘ଓଟିଭି’ରେ ପ୍ରତିକୂଳ ମନ୍ତବ୍ୟ ଦେବା ଓ ଡାକ୍ତର ପଟେଲଙ୍କ ସମର୍ଥନରେ ଓଡ଼ିଶା ଡାକ୍ତରୀ ସଂଘ ବାହାରିବା ପରେ ରାଜ୍ୟ ସରକାରଙ୍କ ଅକଲଗୁଡୁମ୍ ହୋଇଯାଇଥିଲା। ଯେଉଁଥିପାଇଁ ରାଜ୍ୟ ସରକାର ‘ଓଡ଼ିଶା ସରକାରୀ କର୍ମଚାରୀଙ୍କ କଣ୍ଡକ୍ଟ ରୁଲସ୍-୧୯୫୯’ର ‘ରୁଲ୍-୭’ ସମ୍ପର୍କରେ ଏହି ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ସତର୍କ କରାଇଛନ୍ତି। ସେମାନଙ୍କ ଅଧୀନରେ ଥିବା ସରକାରୀ କର୍ମଚାରୀମାନେ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ ଓ ସୋଶାଲ ମିଡିଆରେ ବୟାନ ଦେବାବେଳେ ଏହି ରୁଲକୁ ଯେଭଳି ପାଳନ ନକଲେ ତାକୁ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ‘କୋଡ୍ ଅଫ କଣ୍ଡକ୍ଟ’ର ଉଲ୍ଲଘଂନ ଭାବେ ବିବେଚନା କରାଯିବ। ନିୟମିତ ବ୍ୟବଧାନରେ ଏହାର ସମୀକ୍ଷା କରାଯାଇଛି ନିୟମ ପାଳନ କରୁନଥିବା ସମ୍ପୃକ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଶ୍ରୀ ଚୋପ୍ରା ତାଙ୍କ ଚିଠିରେ କହିଛନ୍ତି ଯେ କଣ୍ଡକ୍ଟ ରୁଲସ-୧୯୫୯ର ରୁଲ୍-୭ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ସରକାରଙ୍କୁ ସମାଲୋଚନା କରିବା ଭଳି କୌଣସି ପ୍ରକାରର ସୂଚନା ଦେବା କାର୍ଯ୍ୟରେ ସରକାରୀ କର୍ମଚାରୀମାନେ ସାମିଲ ହୋଇପାରିବେ ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମ୍ପର୍କ ଓ ବିଦେଶୀ ରାଷ୍ଟ୍ର ସହ ସମ୍ପର୍କକୁ ନେଇ କୌଣସି ପ୍ରସଙ୍ଗ ଉପରେ ମଧ୍ୟ କର୍ମଚାରୀମାନେ ମତ ରଖିପାରିବେ ନାହିଁ । ଯଦି ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ଅଧିସ୍ୱୀକୃତ କରାଯାଇ ନଥିବ।

ଶ୍ରୀ ଚୋପ୍ରା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୦୧୭ ଜୁନ୍ ୨୯ତାରିଖରେ ଏହି ପ୍ରସଙ୍ଗରେ ଲେଖାଯାଇଥିବା ଏକ ଚିଠି କଥା ମଧ୍ୟ ମନେ ପକାଇ ଦେଇଛନ୍ତି । ଏହାସହିତ ସରକାରୀ କର୍ମଚାରୀମାନେ ନିଜ ପଦବୀରେ ରହି କୌଣସି ସାଧାରଣ ସଭା, ଆଲୋଚନା ଚକ୍ରରେ ଭାଗ ନେବା ଏବଂ ଗଣମାଧ୍ୟମକୁ ଲିଖିତ ଅବା ମୌଖିକ ବୟାନ ଦେବା ଉପରେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଅଙ୍କୁଶ ଲଗାଇଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଫାଇଭ-ଟି କଥା କହୁଥିବାବେଳେ ପ୍ରଶାସନିକ ବ୍ୟବସ୍ଥାରେ ପାରଦର୍ଶିତା ପାଇଁ ଗଣମାଧ୍ୟମକୁ ସୂଚନା ଦେବାରେ ସମସ୍ୟା କେଉଁଠି। ସରକାରଙ୍କ କୌଣସି ଯୋଜନା ଅବା କାର୍ଯ୍ୟକ୍ରମରେ ତ୍ରୁଟି ଓ ଦୁର୍ନୀତି ହେଉଥିଲେ ତାହା ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିଲେ, ସେହି ବ୍ୟବସ୍ଥାରେ ପରିବର୍ତ୍ତନ ହେବା ସହ ଦୋଷୀ ଅଧିକାରୀମାନେ ଦଣ୍ଡିତ ହେବା ନେଇ ସରକାରଙ୍କ ଉପରେ ଚାପ ପଡ଼ିଥାଏ। ଗଣତନ୍ତ୍ରରେ ସମାଲୋଚନା ରହିଲେ ସରକାରଙ୍କ କାର୍ଯ୍ୟରେ ମଧ୍ୟ ପାରଦର୍ଶିତା ହୋଇଥାଏ। କିନ୍ତୁ ପରିତାପର କଥା ସରକାର ଗୋଟିଏପଟେ ‘ଫାଇଭ-ଟି’(ଟିମୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଓ ଟାଇମ) କଥା କହୁଥିବାବେଳେ ଅନ୍ୟପଟେ ନିଜର ଅପାରଗତାକୁ ଲୁଚାଇବା ପାଇଁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି।