୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ଶ୍ରାବଣ ମାସ। ଆଶା କରାଯାଉଛି ରାଜ୍ୟରେ ଏବେ ଭଲ ବର୍ଷା ହେବ। କାରଣ ଶ୍ରାବଣ ମାସରେ ଲଗାଣ ବର୍ଷା ହୁଏ ବୋଲି କୁହାଯାଏ। ଚାଷୀମାନେ ମଧ୍ୟ ଭଲ ବର୍ଷାକୁ ଅପେକ୍ଷା କରିଛନ୍ତି। ଏଥର ଆଷାଢ଼ ମାସରେ ରାଜ୍ୟରେ ଯେତିକି ବର୍ଷ ହେବା କଥା ସେତିକି ହୋଇନାହିଁ। କିଛି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ କିଛି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ଆଉ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।
Seasonal cumulative rainfall realized between 1st June to 14th July 2022 is 341.1mm against its normal value of 345.5mm. During the period 6 districts received excess rainfall, 7 districts in deficient & rest 17 in normal category. pic.twitter.com/NGMC2MXr1i
— Meteorological Centre, Bhubaneswar (@mcbbsr) July 14, 2022
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ଜୁନ ୧ରୁ ଜୁଲାଇ ୧୪ ମଧ୍ୟରେ ରାଜ୍ୟରେ ୩୪୫.୫ ମିମି ବର୍ଷା ହେବା କଥା। ହେଲେ ହୋଇଛି ୩୪୦.୮ ମିମି ବର୍ଷା। ୬ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ ନୂଆପଡ଼ା। ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ସମ୍ୱଲପୁର, ବଲାଙ୍ଗିର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ବାକି ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ମୌସୁମୀ ବାୟୁ ପୂରା ରାଜ୍ୟକୁ ଛୁଇଁବା ପରେ ଏକାଧିକ ଥର ଲଘୁଚାପ ବର୍ଷା ହୋଇଛି। କିନ୍ତୁ ସବୁ ଅଞ୍ଚଳରେ ଏହି ବର୍ଷା ହୋଇନାହିଁ। ପୁଣି କିଛି ଅଞ୍ଚଳରେ ଜୋର ବର୍ଷି ଥିବା ବେଳେ କିଛି ସ୍ଥାନରେ ଖୁବ୍ କମ୍ ବର୍ଷା ହୋଇଛି।
ଅନ୍ୟପକ୍ଷରେ ରାଜ୍ୟରେ ଏବେ ସକ୍ରିୟ ଥିବା ଲଘୁଚାପ ଉତ୍ତର ଓଡ଼ିଶା ମୁହାଁ ହୋଇଛି। ଗତକାଲି ଦକ୍ଷିଣ-ଉପକୂଳ ଓଡିଶା ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ଆଜି ଉତ୍ତର ଓଡ଼ିଶା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜିଠାରୁ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।