ଢେଙ୍କାନାଳ(ରାଜଶ୍ରୀ ଶତପଥୀ): କରୋନା ପରି ମହାମାରୀ ମୁକାବିଲା ନିମନ୍ତେ ନିଜ ପରିଚାଳନା ବ୍ୟବସ୍ଥାକୁ ରାଜ୍ୟ ସରକାର ବାହାବା ଦେଉଥିବା ବେଳେ ସାଧାରଣ ଲୋକ କିନ୍ତୁ ଭିନ୍ନ ମତ ଦେଉଛନ୍ତି। ପରିଚାଳନାଗତ ତ୍ରୁଟି ନେଇ ପୂର୍ବରୁ ବହୁ ସ୍ଥାନରେ ଲୋକେ ଗର୍ଜୁଥିବା ବେଳେ ଏଥର ଅଙ୍ଗୁଳି ଉଠାଇଛନ୍ତି ଜଣେ ଆଇନଜୀବୀ।
ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିବା ପ୍ରବାସୀଙ୍କ ଶରୀରରେ ଲଗାଯାଉଥିବା ଷ୍ଟାମ୍ପରୁ ହେଉଛି ଘା’। ଆଇନଜୀବୀଜଣକ ସରକାରଙ୍କ ବିରୋଧରେ ଆଣିଛନ୍ତି ଏପରି ସାଂଘାତିକ ଅଭିଯୋଗ। ସରକାର ବହୁତ ବଡ଼ ବଡ଼ ଯୋଜନା କରୁଥିବା ବେଳେ ଲୋକଙ୍କ ଉପରେ ଏହାର ପ୍ରଭାବ କ’ଣ ରହୁଛି ତାକୁ ମଧ୍ୟ ପରଖି ନେବାକୁ ପରାମର୍ଶ ଦେଇଛନ୍ତି।
ନିଜ ତିକ୍ତ ଅନୁଭୂତି ବଖାଣି ଢେଙ୍କାନାଳ ଜିଲ୍ଲାର ଆଡଭୋକେଟ୍ ଜୟନ୍ତୀ ମହାପାତ୍ର ସୋଶାଲ ମିଡିଆରେ ଛାଡ଼ିଥିବା ଭିଡିଓ ଅନୁଯାୟୀ , ସେ ଅଗଷ୍ଟ ୫ ତାରିଖରେ ବିମାନ ଯୋଗେ ଓଡିଶା ଫେରିଥିଲେ। ଭୁବନେଶ୍ଵର ବିମାନ ବନ୍ଦରଠାରେ ହୋମ କ୍ୱାରେଣ୍ଟାଇନ୍ ନିମନ୍ତେ ତାଙ୍କ ହାତରେ ଷ୍ଟାମ୍ପ ଲଗାଯାଇଥିଲା। ହେଲେ ରାସ୍ତାରେ ହିଁ ଷ୍ଟାମ୍ପରେ ବ୍ୟବହୃତ କାଳି ରିଆକ୍ସନ କରିବା ଆରମ୍ଭ କଲା। ତାହା କୁଣ୍ଡାଇ ହେବା ସହ ଜଳିବା ଆରମ୍ଭ ହେଲା। ତା’ ପରଦିନ ସକାଳକୁ ତାହା ଭୟଙ୍କର ଭାବେ ଫୁଲିବା ସହ ପାଣି ଜମା ହୋଇଗଲା। ଏସମ୍ପର୍କରେ ସେ ଫୋନ୍ ଯୋଗେ ଡାକ୍ତରଙ୍କୁ ଯୋଗାଯୋଗ କରିବାରୁ ସେ ଆଣ୍ଟିବାଟିକ ଖାଇବା ସହ କ୍ରିମ୍ ଲଗାଇବାକୁ କହିଲେ।
ଜୟନ୍ତୀ ଜଣେ ମଧୁମେହ ରୋଗୀ ହୋଇଥିବାରୁ ସେ ଖୁବ୍ ଭୟଭୀତ ହୋଇପଡ଼ିଛନ୍ତି। ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ୨ ଦିନ ପରେ ମଧ୍ୟ ଉକ୍ତ ଘା’ ଭଲ ହୋଇ ନ ଥିବା ସେ କହିଛନ୍ତି।
ନିଜେ ଭୋଗୁଥିବା ଅସହ୍ୟ ଯନ୍ତ୍ରଣା ଯେପରି ଅନ୍ୟ କେହି ନ ଭୋଗନ୍ତି ସେଥି ନିମନ୍ତେ ସେମାନଙ୍କୁ ସତର୍କ କରାଇ ଦେଇଛନ୍ତି ଜୟନ୍ତୀ। ସେ କହିଛନ୍ତି, ଯେଉଁମାନେ ଫ୍ଲାଇଟରୁ ଓହ୍ଲାଉଛନ୍ତି ଏପରି ଷ୍ଟାମ୍ପ ହାତରେ ଲଗାଇବା ପୂର୍ବରୁ ଭଲ ଭାବେ ପରଖି ନିଅନ୍ତୁ। ସରକାର ବହୁତ ବଡ଼ ବଡ଼ ଯୋଜନା ଘୋଷଣା କରୁଥିଲେ ମଧ୍ୟ ଲୋକଙ୍କ ଶରୀରରେ ଏପରି ଜିନିଷ ବ୍ୟବହାର କରିବା ପୂର୍ବରୁ ଭଲ ପାଖରେ ପରଖି, ନିରେଖି ତା ପରେ ଲଗାନ୍ତୁ। କାରଣ ସମସ୍ତଙ୍କ ଜୀବନ ସମସ୍ତଙ୍କ ପାଇଁ ମୂଲ୍ୟବାନ।
ଏନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।
https://www.facebook.com/OdishaReporter/posts/2970653666391357
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।