ବାରିପଦା(ଓଡ଼ିଶା ରିପୋର୍ଟର): ଗୋଠ ଛଡ଼ା ହୋଇଯାଇଛି ହାତୀ ଛୁଆ। ଦିନରାତି ତା’ ମାଆକୁ ଖୋଜି ବୁଲୁଛି। ହେଲେ ଠିକଣା ପାଉନି। ହାତୀ ଛୁଆଟି ଲୋକଙ୍କ ପାଖକୁ ସ୍ନେହ ପାଇବା ଆଶାରେ ଚାଲିଆସୁଛି। ହେଲେ ଲୋକେ ଏହି ହାତୀ ଛୁଆକୁ ଛୁଉଁ ନାହାନ୍ତି। ହାତୀ ଛୁଆକୁ ଛୁଇଁଦେଲେ ତା ମା’ ଓ ହାତୀ ଗୋଷ୍ଠୀ ଆଉ ଏହାକୁ ଗ୍ରହଣ କରିବେନି। ତେଣୁ ସମସ୍ତେ ହାତୀ ଛୁଆ ଠାରୁ ଦୂରତା ବଜାୟ ରଖୁଛନ୍ତି। ତେଣୁ ଏହି ହାତୀ ଛୁଆ କେତେବେଳେ ଜଙ୍ଗଲରେ ବୁଲୁଛି ତ କେତେବେଳେ ଘରେ ପଶିଯାଉଛି। ମା’କୁ ଝୁରି ଲୁହ ଗଡ଼ାଉଛି।
ସୂଚନା ମୁତାବକ, ରବିବାର ଠାରୁ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଇଲାକାର ସୁରେଇଡ଼ିହି ପଞ୍ଚାୟତ ଅଞ୍ଚଳରେ ଏହି ହାତୀ ଛୁଆ ଗୋଠ ଛଡ଼ା ହୋଇ ରହିଯାଇଛି। ସେ ସ୍ଥାନୀୟ ଦାନ୍ତିଆମୁହାଁ, ଧନପୁର, ତାରାଶୋଳ ଗ୍ରାମରେ ବୁଲାବୁଲି କରୁଛି। କେତେବେଳେ ୧୮ ନମ୍ବର ଜାତୀୟ ରାଜପଥରେ ତ କେତେବେଳେ ଟ୍ରେନ ଲାଇନ ଉପରେ ବୁଲୁଛି। ପଶ୍ଚିମବଙ୍ଗ ପଟୁ ଏକ ହାତୀ ପଲ ମୟୂରଭଞ୍ଜ ଜିଲ୍ଲାର ଦେଉଳି ରେଞ୍ଜ ଦେଇ ପ୍ରବେଶ କରିଥିଲେ। ଏହି ହାତୀ ଛୁଆ ସେହି ଗୋଠର ବୋଲି ଜଣାପଡ଼ିଛି।
ହାତୀ ଛୁଆଟି ନିଜର ମା' କୁ ଖୋଜି ଖୋଜି ଏଣେତେଣେ ବୁଲୁଥିବାରୁ ଲୋକମାନେ ଦେଉଥିବା ଖାଦ୍ୟ ଠିକ୍ ଭାବେ ଖାଉନି। ଯାହାକୁ ନେଇ ହାତୀର ସ୍ୱାସ୍ଥ୍ୟ ଉପରେ ବିପଦ ଦେଖାଦେଇଛି। ତେବେ ଛୁଆ ହାତୀଟି ଏବେ ଖଡିଶୋଳ ପ୍ଲାଣ୍ଟେସନ ଏରିଆରେ ବିଚାରଣ କରୁଥିବା ବନପାଳ ପ୍ରଶାନ୍ତ ସିଂ ସାମନ୍ତ ସୂଚନା ଦେଇଛନ୍ତି। ତା ବୟସ ପ୍ରାୟ ୨ ବର୍ଷ ହେବ।
ଏପଟେ ହାତୀ ଛୁଆ ଦେଖିବାକୁ ଶହ ଶହ ଲୋକ ତା ପଛେ ପଛେ ଧାଉଁଛନ୍ତି। ତେଣୁ ଦୌଡ଼ିଦୌଡ଼ି ସେ ଥକି ଯାଉଛି। ତାକୁ ହଇରାଣ ହରକତ ନ କରିବାକୁ ବନ କର୍ମଚାରୀମାନେ ମାଇକ ଯୋଗେ ପ୍ରଚାର କରୁଛନ୍ତି।
ହାତୀଛୁଆ ଉପରେ ସ୍ୱତନ୍ତ୍ର ଭାବେ ୨୪ଘଣ୍ଟା ନଜର ରଖିବାକୁ ବନ ବିଭାଗ ପଦକ୍ଷେପ ନେଇଛି। ତେବେ ଏହି ଛୁଆକୁ ତା’ ମା ପାଖରେ ପହଞ୍ଚାଇବାକୁ ବନ ବିଭାଗ କ’ଣ କରୁଛି ତାହା ଦେଖିବାର କଥା।