ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପ୍ରେମ ଏକ ଶାଶ୍ୱତ ଧର୍ମ । ଯେଉଁଥିରେ ନା ଥାଏ କୌଣସି ଭେଦାଭେବ ଓ ଉଚ୍ଚନୀଚ୍ଚର ତାରତମ୍ୟ । ହୃଦୟରୁ ହୃଦୟକୁ କଳ କଲ୍ଲୋଳିନୀ ନଈଟିଏ ପରି ଏହା ବହୁଥାଏ । ଅନେକ ନଜିର ରହିଛି ଏଇ ପ୍ରେମର। ସବୁ ପ୍ରତିବନ୍ଧକ ସତ୍ତ୍ୱେ ପ୍ରେମ ଜିତିଛି ବାଜି । ଏମିତି ଦୁଇ ପ୍ରେମୀ ଯୁଗଳ ହେଉଛନ୍ତି କେ. ଏସ୍. ରସୁଲ ଖାନ୍ ,ଅନ୍ୟଜଣେ ସୁନୀତା କୁମୁରା । ଧର୍ମ ଅଲଗା, ଜାତି ବି ଅଲଗା । ଜଣେ ହିନ୍ଦୁ, ଅନ୍ୟ ଜଣେ ମୁସଲମାନ । ଚଳଣି ଭିନ୍ନ ,ପରମ୍ପରା ବି ଭିନ୍ନ । ହେଲେ ଦୁହେଁ ଗୋଟିଏ ବୃକ୍ଷର ଦୁଇଟି ଶାଖା । ଜଣେ ଅନ୍ୟ ଜଣକ ବିନା କ୍ଷଣଟିଏ ବଞ୍ଚିବା ମୁସ୍କିଲ
ବଲାଙ୍ଗିର ସହରରେ ରହୁଥିବା ଏହି ଦୁଇ ପ୍ରେମୀ ଯୁଗଳଙ୍କର ଜୀବନକୁ ସାର୍ଥକ କରିଛି ତାଙ୍କର ପରସ୍ପର ପ୍ରତି ଥିବା ଶ୍ରଦ୍ଧା , ପ୍ରୀତି ସ୍ନେହ । ପ୍ରେମ ପାଇଁ ଏମାନେ ବନ୍ଧା ପଡ଼ିଛନ୍ତି ଗୋଟିଏ ସୂତାରେ। ସଜ ଗୋଲାପ ପାଖୁଡ଼ା ପରି ଏବେ ବି ସତେଜ ଏମାନଙ୍କ ଅମର ପ୍ରେମ । ସବୁ ବାଧା-ବନ୍ଧନର ବିଶାଳ ପ୍ରାଚୀରକୁ ଭାଙ୍ଗି ୨୦୧୭ରୁ ଏ ଦୁଇ ପ୍ରେମପକ୍ଷୀ ସାଜିଛନ୍ତି ଜନ୍ମ ଜନ୍ମର ସାଥି । ଏବେ ଏମାନେ ଏ ଯୁଗର ରୋମିଓ-ଜୁଲିଏଟ୍।
ରସୁଲ ଓ ସୁନୀତାଙ୍କ ପ୍ରେମର ମୂଳଦୁଆ ପଡ଼ିଥିଲା ଏମିତି । ୨୦୦୪ରେ ବସ୍ରେ ଗଲାବେଳେ, ହୋଇଥିଲା ଦେଖା ସାକ୍ଷାତ। ଆଖିରେ ମିଶିଥିଲା ଆଖି । ଆରମ୍ଭ ହୋଇଥିଲା ନିରବ ପ୍ରେମ । ଚିଠି ଦିଆନିଆରୁ ପ୍ରୀତି ବଢ଼ିଲା, ହୃଦୟ ସହ ହୃଦୟ ମିଶିଲା ।
ହେଲେ ଦୁହେଁ ଦୁହିଁଙ୍କୁ ଜାଣିବା ପରେ, ସେମାନଙ୍କ ପ୍ରେମ ଯେ ପୂର୍ଣ୍ଣତାର ରୂପ ନେବା ଅସମ୍ଭବ। ତାହା ମାନି ନେଇଥିଲେ ଉଭୟ । କାରଣ ସେମାନେ ଥିଲେ ଭିନ୍ନ ଧର୍ମର । କିନ୍ତୁ ସେତେବେଳକୁ ସରିଥିଲା ମନ ଦିଆନିଆ । ତେଣୁ ଆଉ ପଛକୁ ଫେରି ନଥିଲେ ସେମାନେ । ଆରମ୍ଭ ହୋଇଥିଲା ସଂଘର୍ଷ। ବର୍ଷ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ। ।
ଏହାଭିତରେ ରସୁଲ ଓ ସୁନୀତାଙ୍କ ବିବାହକୁ ୩ ବର୍ଷ ପୁରିଛି। କୋଳକୁ ଆସିଛି ପ୍ରେମର ପ୍ରଥମ ସନ୍ତକ । ଧର୍ମ ଅଲଗା ହେଲେ ବି ଏମାନଙ୍କ ସମ୍ପର୍କ କି ଚଳଣୀରେ ଏହା କେବେ ବି ବାଧା ସୃଷ୍ଟି କରିନି ଉଭୟ ଉଭୟଙ୍କ ଧର୍ମ ଓ ପରମ୍ପରାକୁ ସମ୍ମାନ ଦେବାରେ କେବେ କାର୍ପଣ୍ୟତା କରି ନାହାନ୍ତି। ଯାହାର ନିଚ୍ଛକ ପ୍ରମାଣ ପୁଅ ବେକରେ ପଡ଼ିଥିବା ତାବିଜ୍ ଓ ହନୁମାନ ଲକେଟ୍। ଆଉ ଏବେ ସେହି ସାର୍ଥକ ପ୍ରେମ ସୁନ୍ଦର ସଂସାର ପାଲଟି ଯାଇଛି ରସୁଲ ଓ ସୁନୀତାଙ୍କର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।