ଚୌଦ୍ଵାର (ପ୍ରକାଶ କୁମାର ନାୟକ): ମୃତ ଭଉଣୀଙ୍କ ମୋବାଇଲ୍ରେ ଥିଲା ୩୮ଟି ମିସ୍କଲ୍। ଆଉ ସେହି ନମ୍ୱରରେ କଲ୍ କରିବା ପରେ ଭାଇ ଯାହା ଶୁଣିବାକୁ ପାଇଲେ, ତାହା ତାଙ୍କ ଛାତିକୁ ଥରାଇ ଦେଇଥିଲା। କ’ଣ ଏତେ ଭୟଙ୍କର ହୋଇପାରେ ଜଣେ ଯୁବକ? ପ୍ରେମକୁ ସ୍ୱୀକୃତି ନମିଳିଲା ବୋଲି କ’ଣ ଜଣେ ତା’ ପ୍ରେମିକାକୁ ଏମିତି ବୀଭତ୍ସ ଭାବେ ହତ୍ୟା କରିପାରେ? ବୋଧହୁଏ ସେ କାହାର ପ୍ରେମିକ ହୋଇନପାରେ। ସେ ଜଣେ ନର ରାକ୍ଷସ ହୋଇପାରେ ବୋଲି ଆଲୋଚନା ହେଉଛି।
ଚୌଦ୍ଵାର ପୌରପାଳିକା ୮ ନମ୍ୱର ୱାର୍ଡର ମଧୁସ୍ମିତା ଓଝା। ବାପାଙ୍କ ମୃତ୍ୟୁ ପରେ ସେ ୧୨ ନମ୍ବର ୱାର୍ଡ ଓଟିଏମ୍ କଲୋନୀରେ ଥିବା ମାମୁ ଘରକୁ ପଳାଇ ଯାଇଥିଲେ। ସେଠାରେ ରହି ସ୍ଥାନୀୟ କଲେଜରେ + ୩ ବିଜ୍ଞାନର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଭଲ ପଢ଼ୁଥିବାରୁ ମାମୁ ଘର ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଥିଲା। ସେ ଛୋଟ ଛୋଟ ପିଲାଙ୍କ ମଧ୍ୟ ଟ୍ୟୁସନ୍ କରୁଥିଲେ। ସେଥିରୁ ଯାହା ମିଳୁଥିଲା, ପଢ଼ାରେ ଖର୍ଚ୍ଚ କରୁଥିଲେ।
ବୁଧବାର ପରୀକ୍ଷା ଥିବାରୁ ମଙ୍ଗଳବାର ମଧୁସ୍ମିତ ଘର ଭିତରେ ପାଠ ପଢ଼ୁଥିଲା। ମଧ୍ୟାହ୍ନରେ ମାମୁ ଘର ଲୋକ ଖାଇବା ପାଇଁ ତାଙ୍କୁ ଡାକି ଥିଲେ। ବାରମ୍ୱାର ଡାକିଥିଲେ ମଧ୍ୟ ମଧୁସ୍ମିତା କବାଟ ଖୋଲିନଥିଲେ। ଶେଷରେ ପରିବାର ଲୋକେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଆଉ ସେତେବେଳେ ଘର ଭିତରେ ଛାତ ତଳେ ଯାଇଥିବା ଏକ ଲୁହା ପାଇପ୍ରେ ମଧୁସ୍ମିତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ୍କୁ ପଠାଇ ଦେଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ମାମଲା ରୁଜୁ କରିଥିଲା।
ମଙ୍ଗଳବାର ରାତିରେ ମଧୁସ୍ମିତାଙ୍କ ମୋବାଇଲ୍ ଫୋନ୍ ଖେଳାଇଥିଲେ ତାଙ୍କ ଭାଇ ବିଶ୍ୱଜିତ। ଆଉ ଦେଖିବାକୁ ପାଇଲେ ମଧୁସ୍ମିତାଙ୍କ ମୋବାଇଲକୁ ୩୮ଟି ମିସ୍ଡକଲ୍ ଆସିଛି। ଏହା ପରେ ବିଶ୍ୱଜିତଙ୍କ ମନରେ ସନ୍ଦେହ ହୋଇଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ କିଏ? ସେ କାହିଁକି ବାରମ୍ୱାର ଫୋନ୍ କରିଥିଲା? ଏପରି ଭାବି ବିଶ୍ୱଜିତ ସେହି ମିସ୍ କଲ ଆସିଥିବା ନମ୍ୱରକୁ ଡାଏଲ୍ କହିଥିଲେ। ଆଉ ଫୋନ୍ ରିସିଭ୍ କରିଥିବା ଯୁବକ ଜଣକ ଯାହା କହିଥିଲେ, ସେକଥା ଶୁଣିବା ପରେ ବିଶ୍ୱଜିତଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା।
ଫୋନ୍ ରିସିଭ୍ କରିଥିବା ଯୁବକ ଜଣକ କହିଥିଲେ, ମୁଁ ମଧୁସ୍ମିତାକୁ ଭଲ ପାଉଥିଲି। ହେଲେ ସେ ମୋ ଭଲ ପାଇବାକୁ ଗ୍ରହଣ କଲାନାହିଁ। ସେଥିପାଇଁ ତାକୁ ମାରିଦେଲି। ମୋର ଭୁଲ୍ ହୋଇଛି। ମୋତେ କ୍ଷମା କରିଦିଅ। ଆସ କମ୍ପ୍ରୋମାଇଜ୍ କରିବା ବୋଲି ଫୋନ୍ ରିସିଭ କରିଥିବା ଯୁବକ ଜଣକ କହିଥିବା ବିଶ୍ୱଜିତ ଅଭିଯୋଗ କରିଛନ୍ତି।
ବିଶ୍ୱଜିତ ଏନେଇ ତାଙ୍କ ମାମୁଙ୍କୁ କହିଥିଲେ। ଏହା ପରେ ଉଭୟ ଚୌଦ୍ଵାର ଥାନାକୁ ଯାଇଥିଲେ। ଫୋନ୍ ରିସିଭ କରିଥିବା ଯୁବକ ଯାହା ଯାହା କହିଥିଲେ, ସେନେଇ ବଖାଣିଥିଲେ। ହେଲେ ପୁଲିସ୍ କିଛି କଥା ଶୁଣିନଥିବା ମୃତ ମଧୁସ୍ମିତାଙ୍କ ମାମୁ ଦୀପକ ମହାରଣା ଅଭିଯୋଗ କରିଛନ୍ତି। ପୁଲିସ୍ ହତ୍ୟାକାରୀକୁ ଘଣ୍ଟ ଘୋଡ଼ାଉଥିବା ମଧୁସ୍ମିତାର ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗରୁ ପ୍ରକାଶ, ଅଭିଯୁକ୍ତ ଯୁବକ ମଧୁସ୍ମିତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଝୁଲାଇ ଦେଇ ବାଡ଼ି କବାଟ ଖୋଲି ପାଚେରୀ ଡେଇଁ ପଳାଇଥିଲା। ତେବେ ଏନେଇ ପୁଲିସ୍ର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।