ଦୋଷ ନକରି ଅଢ଼େଇ ମାସ ଜେଲ୍‌ରେ ରହିଲେ ବାପ-ପୁଅ

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ଦୋଷ ନକରି ଦଣ୍ଡ ପାଇଲେ ନିରୀହ ବାପ-ପୁଅ। ପୁଲିସ୍‌ର ଭୁଲ୍‌ ତଦନ୍ତ ପାଇଁ ଅକାରଣରେ ଅଢ଼େଇ ମାସ ଜେଲ୍‌ରେ ସଢ଼ିଲେ ଏହି ଦୁଇ ନିର୍ଦ୍ଦୋଷ। ଆଜି ସେମାନଙ୍କୁ ମୁକ୍ତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା। ପୁଲିସ୍ ମୃତ ବୋଲି ଦର୍ଶାଇଥିବା ମହିଳା ଜଣକ ଘରକୁ ଫେରିଆସିବାରୁ ପୂରା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୭ ତାରିଖରେ ପାହାଡ଼ପୁର ଗାଁ […]

jail

jail

Jyoshna Pradhan
  • Published: Sunday, 28 July 2019
  • Updated: 28 July 2019, 12:53 PM IST

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ଦୋଷ ନକରି ଦଣ୍ଡ ପାଇଲେ ନିରୀହ ବାପ-ପୁଅ। ପୁଲିସ୍‌ର ଭୁଲ୍‌ ତଦନ୍ତ ପାଇଁ ଅକାରଣରେ ଅଢ଼େଇ ମାସ ଜେଲ୍‌ରେ ସଢ଼ିଲେ ଏହି ଦୁଇ ନିର୍ଦ୍ଦୋଷ। ଆଜି ସେମାନଙ୍କୁ ମୁକ୍ତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା। ପୁଲିସ୍ ମୃତ ବୋଲି ଦର୍ଶାଇଥିବା ମହିଳା ଜଣକ ଘରକୁ ଫେରିଆସିବାରୁ ପୂରା ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୭ ତାରିଖରେ ପାହାଡ଼ପୁର ଗାଁ ନିକଟ ଜଙ୍ଗଲରୁ ପୁଲିସ୍‌ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା। ଏହି ମୃତଦେହ ପୁରୁଣାପାଣି ଗାଁର ସଞ୍ଜୟ ନାୟକଙ୍କ ସ୍ତ୍ରୀ ରାଇମଣି (୨୦) ବୋଲି ପୁଲିସ୍ କହିଥିଲା। ପରବର୍ତ୍ତୀ ସମୟରେ ପୁଲିସ୍ ରାଇମଣିଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀ ସଞ୍ଜୟ ଓ ଶ୍ୱଶୁର ମଙ୍ଗଳ ନାଏକଙ୍କୁ ଗିରଫ କରିଥିଲା। ମେ’ ୮ ତାରିଖରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେବଠାରୁ ସେମାନେ ଜେଲ୍‌ରେ ଥିଲେ। ତେବେ ଚଳିତ ମାସ ୧୮ ତାରିଖରେ ରାଇମଣି ଘରକୁ ଫେରିବା ପରେ ଗାଁ ଲୋକେ ତାଜୁବ୍ ହୋଇ ଯାଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ପୁଲିସ୍ ରାଇମଣିକୁ ନେଇ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ସଞ୍ଜୟ ଓ ତାଙ୍କ ବାପାଙ୍କୁ ଜେଲ୍‌ରୁ ଖଲାସ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବାପପୁଅ ଆଜି ଜେଲ୍‌ରୁ ବାହାରିଛନ୍ତି।

ଏନେଇ ସଞ୍ଜୟ ନାୟକ କହିଛନ୍ତି,“ ବାହାଘରର ମାସେ ପରେ ରାଇମଣି ତା’ ବାପ ଘରକୁ ଚାଲି ଯାଇଥିଲା। ଏହାପରେ ମୁଁ ତାଙ୍କ ଘରକୁ ଯାଇଥିଲି। ହେଲେ ସେତେବେଳେ ସେ ଘରେ ନଥିଲା। ଏହାର କିଛି ଦିନ ପରେ ଏକ ମୃତଦେହ ମିଳିଥିଲା। ତେବେ ରାଇମଣିଙ୍କୁ ମୁଁ ମାରିଦେଇଛି କହି ତାଙ୍କ ବାପ ଘର ଲୋକେ ଥାନାରେ କେସ୍‌ କଲେ। ବାଦାମପାହାଡ଼ ପୁଲିସ୍‌ ଆମ ବାପ-ପୁଅକୁ ଉଠାଇ ନେଇଥିଲା। ଏହାସହ ପୁଲିସ୍ ଆମକୁ ମାଡ଼ ମାରିଥିଲା। ଆମେ ଭୟରେ ହତ୍ୟା କରିଥିବା ନେଇ ରାଜି ହୋଇଯାଇଥିଲୁ।”

ସୂଚନାଯୋଗ୍ୟ, ରାଇମଣି ଘର ଛାଡ଼ି କଟକ ପଳାଇ ଯାଇଥିଲେ ଓ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ପାହାଡ଼ପୁର ଜଙ୍ଗଲରୁ ମିଳିଥିବା ମୃତଦେହ କାହାର, ତାହା ଜଣାପଡ଼ିନାହିଁ। ଏନେଇ ବାଦାମପାହାଡ଼ ଥାନା ଅଧିକାରୀ କୌଣସି ମତାମତ ଦେଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos