ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଶିଶୁ ଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳଙ୍କ ଅଭିନବ ପ୍ରତିବାଦ ଓ ଆତ୍ମହତ୍ୟା ଧମକ। ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ରାଉରକେଲାରେ ବିଭିନ୍ନ ପ୍ରକଳ୍ପ କରିବା ଦାବି ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ନ ପାଇବାରୁ ସେ ଅଭିନବ ପ୍ରତିବାଦ କରିଛନ୍ତି। ହୋର୍ଡିଂ ଉପରେ ସେ ଚଢ଼ିଥିବା ବେଳେ ହାତରେ ଡିଜେଲ ବୋତଲ ଧରିଛନ୍ତି। ତାଙ୍କ କାନରେ ଇୟର ଫୋନ୍ ଲାଗିଛି। ସେପଟେ ଅଗ୍ନିଶମ ବାହିନୀ ଓ ପୁଲିସ ଅଧିକାରୀମାନେ ପହଞ୍ଚି ତାଙ୍କୁ ବୁଝାସୁଝା କରୁଛନ୍ତି।
ରାଉରକେଲାରେ ବିଭିନ୍ନ ପ୍ରକଳ୍ପ କରିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହା ହୋଇପାରିନି। ହୋଇ ନ ପାରି ପଡ଼ି ରହିଥିବା ପ୍ରକଳ୍ପର ମଡେଲକୁ ବାହୁଙ୍ଗିରେ ଧରି ମୁକ୍ତିକାନ୍ତ ରାଉଲକେଲାରୁ ଚାଲିଚାଲି ଭୁବନେଶ୍ୱର ଆସିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବାକୁ ଚେଷ୍ଟା କରିଥିଲେ। ୭ ଦିନ ବିତିଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ ହୋଇ ନପାରିବାରୁ ସେ ଅଭିନବ ପ୍ରତିବାଦ କରିଥିବା ଜଣାପଡ଼ିଛି।
ମୁକ୍ତିକାନ୍ତ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କରୁଥିବା ବେଳେ ସେଠାରେ ପ୍ରବଳ ଭିଡ଼ ଜମିଛି। ହୋର୍ଡିଂ ତଳେ ଥିବା ମୁକ୍ତିକାନ୍ତଙ୍କ ବନ୍ଧୁଙ୍କ ଜରିଆରେ ପୁଲିସ ଓ ଅଗ୍ନିଶମ ବାହିନୀ ବାର୍ତ୍ତା କରୁଛନ୍ତି। କିପରି ମୁକ୍ତିକାନ୍ତଙ୍କୁ ସୁରକ୍ଷିତ ତଳକୁ ଅଣାଯିବ ସେ ନେଇ ଚେଷ୍ଟା ଜାରି ରହିଛି। ତେବେ ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବା ଜିଦ୍ରେ ଅଡ଼ି ବସିଛନ୍ତି।
ମୁକ୍ତିକାନ୍ତଙ୍କ ବାପା କହିଛନ୍ତି, ପୁଅ ତୁ ପଳାଇ ଆସ। ଆମ ଗରିବ ଲୋକଙ୍କ କଥା କେହି ଶୁଣିବେନି। ଜୀବନ ରକ୍ଷା କରି ପଳାଇ ଆସ। ସେମାନେ ବଡ଼ବଡ଼ିଆଙ୍କ କଥା ଶୁଣିବେ। ସେହିପରି ମୁକ୍ତିକାନ୍ତଙ୍କ ମାଆ ମଧ୍ୟ ପୁଅକୁ ପଳାଇ ଆସିବା ପାଇଁ ନିବେଦନ କରିଛନ୍ତି।
୨୦୧୮ ମସିହା ଅଗଷ୍ଟ ୧୯ ତାରିଖରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ମୁକ୍ତିକାନ୍ତ ବିଶ୍ୱାଳ। ୨୦୧୩ରେ ଦେଇଥିବା ପ୍ରତିଶ୍ରୁତି ପାଳନ ନହେବାରୁ ୨୦୧୮ରେ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେତେବେଳେ ବିଜେଡିର ଅଫିସିଆଲ୍ ସୋଶାଲ ମିଡିଆ ଆକାଉଣ୍ଟରେ ଭେଟିବା ସମୟର ଫଟୋକୁ ସେୟାର କରାଯାଇଥିଲା। ଆରଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବା, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଓ କୋଏଲ ନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ସେତେବେଳେ ଦାବି କରି ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଇଥିଲେ ବୋଲି ବିଜେଡି ସୋଶାଲ ମିଡିଆ ଆକାଉଣ୍ଟରେ ଉଲ୍ଲେଖ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।