ରାଜଧାନୀରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ହତ୍ୟା କଲେ ଆଉ ଜଣେ ଯୁବତୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ହତ୍ୟାକାଣ୍ଡ। ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ଆଉ ଜଣେ ଯୁବତୀ। ସହରର ଗୌରୀ ନଗର ଲେନ୍-୫ରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତ ଯୁବତୀଙ୍କ ନାଁ ଅଳକା ନନ୍ଦ ଦାଶ। ସେହିପରି ତାଙ୍କୁ ଯେଉଁ ଯୁବତୀ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି ତାଙ୍କ ନାଁ ଅନିଶା ମିତ୍ର।

ଅଳକାଙ୍କ ତଣ୍ଟି କାଟି ଅନିଶା ହତ୍ୟା କରିଛନ୍ତି। ଏ କଥା ସେ ପୁଲିସ୍ ନିକଟରେ ସ୍ୱୀକାର କରିଛନ୍ତି। ଲିଙ୍ଗରାଜ ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି। ରାଗି ଯାଇ ସେ ଏମିତି କରିଥିବା ଜଣାପଡ଼ିଛି। ତେବେ କେଉଁ କାରଣ ଯୋଗୁ ରାଗି ଯାଇଥିଲେ, ତାହା ଜଣାପଡ଼ିନି।

ଅଳକା ଓ ଅନିଶା ପ୍ରାୟ ୧୦ ବର୍ଷ ହେବ ଏକାଠି ରହିଆସୁଥିଲେ। ଗତକାଲି ରାତିରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତି ପ୍ରାୟ ୨ଟା ୪୫ ବେଳକୁ ପାଟି ଶୁଣି ଘର ମାଲିକ ସେଠାକୁ ଯାଇଥିଲେ। ତେବେ କେହି କବାଟ ନ ଖୋଲିବାର ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଆସିବା ପରେ ଦେଖିଲା ବେଳକୁ ଅଳକା ମରି ପଡ଼ିଥିଲେ। ତାଙ୍କ ତଣ୍ଟି କାଟି ଦିଆଯାଇଥିଲା। ସେଇଠି ଅନିଶା ସ୍ୱୀକାର କରିଥିଲେ ଯେ ସେ ତାଙ୍କୁ ମାରି ଦେଇଛନ୍ତି।

ଯାହା ଜଣାପଡ଼ିଛି, ଦୁଇ ଦିନ ତଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଘର ମାଲିକ ବି ହସ୍ତକ୍ଷେପ କରିଥିଲେ ଓ ତା’ପରେ ସବୁ ଠିକ୍‌ଠାକ୍ ହୋଇଯାଇଥିଲା। କିନ୍ତୁ ଗତକାଲି ରାତିରେ ବି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ ଏ ଘଟଣା ଘଟିଥିଲା।

ଅଳକାଙ୍କ ସଂପର୍କୀୟଙ୍କଠାରୁ ସୂଚନା ମିଳିଛି ଯେ ତାଙ୍କର ନିର୍ବନ୍ଧ ହେବାର ଥିଲା। ଏହାକୁ ନେଇ ବି କିଛି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।