ବର୍ଷୀୟାନ ଅଭିନେତା ଅଜିତ ଦାସଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଓଲିଉଡ୍ ପାଇଁ ପୁଣି ଏକ ଦୁଃଖଦ ଖବର ଆଣିଛି।  ବର୍ଷୀୟାନ ଅଭିନେତା, ନିର୍ଦ୍ଦଶକ ତଥା ନାଟ୍ୟକାର ଅଜିତ ଦାସଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଜିତ ଦାସଙ୍କ ଧର୍ମପତ୍ନୀ ମାୟା ଦାସ ଏହି ସୂଚନା ଦେଇଛନ୍ତି। ୧୯୪୯ ମସିହା ଜାନୁଆରି ୨୦ ତାରିଖ ଦିନ ସେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ […]

ajit-Das1

Manoranjan Sial
  • Published: Sunday, 13 September 2020
  • , Updated: 13 September 2020, 06:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଓଲିଉଡ୍ ପାଇଁ ପୁଣି ଏକ ଦୁଃଖଦ ଖବର ଆଣିଛି।  ବର୍ଷୀୟାନ ଅଭିନେତା, ନିର୍ଦ୍ଦଶକ ତଥା ନାଟ୍ୟକାର ଅଜିତ ଦାସଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଜିତ ଦାସଙ୍କ ଧର୍ମପତ୍ନୀ ମାୟା ଦାସ ଏହି ସୂଚନା ଦେଇଛନ୍ତି।

୧୯୪୯ ମସିହା ଜାନୁଆରି ୨୦ ତାରିଖ ଦିନ ସେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ଜନ୍ମ ଗ୍ରହଣ କରିଥିଲେ। ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ରୁ ଅଭିନୟରେ ଡିପ୍ଲୋମା ହାସଲ କରିବା ପରେ ୧୯୭୬ ମସିହାରେ ପ୍ରଥମେ ‘ସିନ୍ଦୂର’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ସେ ‘ଅଭିମାନ’, ‘ଗୌରୀ’, ବଳିଦାନ’, ‘ଗୋଲାମଗିରି’, ‘ଏ ନୁହେଁ କାହାଣୀ’, ‘ଫୁଲଚନ୍ଦନ’, ‘ହାକିମବାବୁ’, ‘ସହରୀବାଘ’, ‘ମମତାର ଡୋରି’, ‘ଏଇ ତ ଦୁନିଆ’, ‘ତୁଣ୍ଡବାଇଦ’, ‘ମୁଁ ତୁମେ ଓ ସେ’, ‘ପ୍ରେମଋତୁ ଆସିଲାରେ’, ‘ଆମ ଭିତରେ କିଛି ଅଛି’ ଏବଂ ‘ଅଭିମନ୍ୟୁ’ ଭଳି ପ୍ରାୟ ୭୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌’ ବ୍ୟାନରରେ ପ୍ରସ୍ତୁତ ତାଙ୍କ ଅଭିନୀତ ‘ହାକିମବାବୁ’ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ସେହି ଚଳଚ୍ଚିତ୍ର ଲାଗି ସେ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ନି‌ଜେ ମଧ୍ୟ ‘ଅଜିତ’ ନାମରେ ଏକ ନାଟ୍ୟ ସଂସ୍ଥା ସ୍ଥାପନ କରି ବହୁ ନୂତନ କଳାକାର ସୃ‌ଷ୍ଟି କରିଥିଲେ।

https://twitter.com/BiswabhusanHC/status/1305089725590429696?s=20

କିଛିଦିନ ତଳେ ସ୍ୱର୍ଗତଃ ଅଜିତ ଦାସଙ୍କ ବନ୍ଧୁ ତଥା ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଥିଲା। ଏହାର କିଛି ଦିନ ପରେ ହିଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ।

https://twitter.com/dpradhanbjp/status/1305091460245516288?s=20

ବର୍ଷୀୟାନ ଅଭିନେତା ଅଜିତ ଦାସଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି, ଓଡ଼ିଆ ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା।

https://twitter.com/Panda_Odia/status/1305090281650319360?s=20

ବର୍ଷୀୟାନ ଅଭିନେତା ଅଜିତ ଦାସଙ୍କ ବିୟୋଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ବ୍ୟକ୍ତ କରିଛନ୍ତି। ଟ୍ୱିଟ୍‌ କରି ସେ ଲେଖିଛନ୍ତି, ଅଜିତଙ୍କ ବିୟୋଗ ଓଡ଼ିଆ ସିନେ ଜଗତ ଲାଗି ଅପୂରଣୀୟ କ୍ଷତି।

Related story