ସମର୍ପିତ ହେଲା ଅଧରପଣା, ରାତି ପାହିଲେ ନୀଳକନ୍ଦରକୁ ଫେରିବେ ଶ୍ରୀଜୀଉ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଆଷାଢ଼ ଶୁକ୍ଲ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କର ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଛି। ରଥ ଉପରେ ତିନି ଦିଅଁଙ୍କୁ ଅଧରପଣା ଭୋଗ ହୋଇଛି। ରାଘବଦାସ ମଠ, ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏଁ କରି ତିନି ରଥ ଉପରେ ଅଧରପଣା ବ୍ୟବସ୍ଥା କରାଯାଇଥିଲା। ଠାକୁରଙ୍କ ଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବ ଭଳି ମାଟି ହାଣ୍ଡିରେ ପଣା ଢଳାଯାଇ ଭୋଗ କରାଯାଇଥିଲା। ସାଚି, ଛେନା, କଦଳୀ, କ୍ଷୀର, ସର, […]

jay

  • Published: Monday, 11 July 2022
  • , Updated: 11 July 2022, 10:55 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଆଷାଢ଼ ଶୁକ୍ଲ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କର ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଛି। ରଥ ଉପରେ ତିନି ଦିଅଁଙ୍କୁ ଅଧରପଣା ଭୋଗ ହୋଇଛି। ରାଘବଦାସ ମଠ, ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏଁ କରି ତିନି ରଥ ଉପରେ ଅଧରପଣା ବ୍ୟବସ୍ଥା କରାଯାଇଥିଲା। ଠାକୁରଙ୍କ ଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବ ଭଳି ମାଟି ହାଣ୍ଡିରେ ପଣା ଢଳାଯାଇ ଭୋଗ କରାଯାଇଥିଲା। ସାଚି, ଛେନା, କଦଳୀ, କ୍ଷୀର, ସର, ଗୋଲମରିଚ , କର୍ପୁର, ଜାଇଫଳ, କଦଳୀ ଇତ୍ୟାଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥିଲା। ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକ ମାନେ ପଣା ପାଇଁ ପାଣି ଯୋଗାଇ ଦେଇଥିଲେ। ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିଥିଲେ। ମଧ୍ୟାହ୍ନ ଧୂପ ସମାପନ ପରେ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପଣା ପୂଜା କରିଥିଲେ। ଭୋଗ ପରେ ରଥ ଉପରେ ପଣାହାଣ୍ଡି ଭଙ୍ଗାଯାଇଥିଲା।

ବିଶ୍ୱାସ ରହିଛି ରଥଯାତ୍ରା ସମୟରେ ଶ୍ରୀଜୀଉମାନଙ୍କ ରଥ ସହିତ ବହୁ ଦେବାଦେବୀ, ଚଣ୍ଡି, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି। ତେବେ ସେମାନଙ୍କ ସନ୍ତୁଷ୍ଟି ନିମନ୍ତେ ଏହି ପଣା ମହାପ୍ରଭୁଙ୍କୁ ସମର୍ପଣ ପରେ ରଥରେ ରହିଥିବା ସମସ୍ତ ଅଶରୀରିଙ୍କୁ ଅର୍ପଣ ନିମନ୍ତେ ଭଙ୍ଗାଯାଇଥାଏ।

ସେହିପରି ଆଜି ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାଧୂପ ପରେ ଗରୁଡ଼ସ୍ତମ୍ଭ ପାଖରେ ପର୍ବଯାତ୍ରା ଯୋଗାଣିଆ ଦେଇଥିବା ମହାସ୍ନାନ ସାମଗ୍ରୀ ସୁଧସୁଆର ପୂଜା ଠା’ କରିବା ପରେ ଜଣେ ପୂଜାପଣ୍ଡା ମହାସ୍ନାନ କରାଇଥିଲେ। ତାହା ପରେ ଶୀତଳ ଭୋଗ କରି ଆଳତି ଓ ବନ୍ଦାପନା କରାଯାଇଥିଲା। ଏଥିପୂର୍ବରୁ ହରିଙ୍କ ଶୟନ ପଲଙ୍କ ଅର୍ଥାତ୍ ପୂର୍ବରୁ ଶୋଇଥିବା ପ୍ରଭୁଙ୍କ ପଲଙ୍କ ତଳେ ଶୋଇବା ପାଇଁ ଗରୁଡ଼ଙ୍କୁ ପ୍ରାର୍ଥନା କରାଯାଇ ଶୟନ ଯାତ୍ରା ଶେଷ କରାଯାଇଛି।

ଆସନ୍ତାକାଲି ନୀଳାଦ୍ରି ବିଜେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ନୀଳକନ୍ଦରକୁ ବିଜେ କରିବେ।

Related story