ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ପାଇଖାନା ଘର ଭିତରୁ ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଆଜି ଟାଙ୍ଗି ଥାନା ଜରିପଡ଼ା ଗାଁ କମାରସାହିରେ ଘଟିଛି ଏହି ଘଟଣା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଯୌତୁକ ଦାବି ଓ ସ୍ୱାମୀର ପରକ୍ରିୟା ପ୍ରୀତିକୁ ବିରୋଧ କରିବାରୁ ଏହି ନବବଧୂଙ୍କୁ ଜାଳି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ନବବଧୂ ଜଣକ ସସ୍ମିତା ବେହେରା।
ଅଭିଯୋଗ ପରେ ଘଟଣାସ୍ଥଳରେ ଟାଙ୍ଗି ଥାନା ପୁଲିସ, ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ଅର୍ଦ୍ଧଦଗ୍ଧ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପୁଲିସ ପଠାଇଛି। ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସାଇଣ୍ଟିଫିକ୍ ଟିମ୍ର ରିପୋର୍ଟ ଓ ବ୍ୟବେଚ୍ଛଦ ରିପୋର୍ଟ ମିଳିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ପୁଲିସ ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି।
ଅଭିଯୋଗ ମୁତାବକ, କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତର କୁମାରସାହିର ଗଗନ ବେହେରା ୪ବର୍ଷ ତଳେ ଯାଜପୁର ଜିଲ୍ଲା ସୁକିନ୍ଦା ଦାମୋଦରପୁର ଗାଁର ସ୍ୱର୍ଗତ ଗଙ୍ଗାଧର ରଣାଙ୍କ ଝିଅ ସସ୍ମିତା ବେହେରାଙ୍କୁ ବିବାହ କରିଥିଲେ । ସସ୍ମିତାଙ୍କର ୮ମାସର ଗୋଟେ ପୁଅଟିଏ ଅଛି । ଆଜି ସକାଳେ ଝିଅ ସସ୍ମିତା ପୋଡ଼ି ହୋଇଯାଇଥିବା ଖବର ପାଇ ଝିଅର ପରିବାର ଲୋକେ ପହଞ୍ଚିଥିଲେ।
ଗଗନ ତାଙ୍କ ଭାଉଜଙ୍କ ଭିତରେ ପରକ୍ରିୟା ପ୍ରୀତି ଥିଲା। ଯାହାକୁ ଝିଅ ବିରୋଧ କରିଥିଲା। କିଛିଦିନ ତଳେ ଯୌତୁକ ଟଙ୍କା ନିମନ୍ତେ ଦାବି ହେବାରୁ ଦୁଇପକ୍ଷ ବସି ଆପୋଷ ବୁଝାମଣା କରିଥିଲେ। ହେଲେ ଶେଷରେ ଏସବୁ କଥାକୁ ନେଇ ଝିଅକୁ ଜାଳି ହତ୍ୟା କରାଯାଇଛି। ପୁଲିସ ଏହାର ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରୁ ବୋଲି ମୃତ ସସ୍ମିତାଙ୍କ ମା’ ବିମଳା ରଣା ଓ ସମ୍ପର୍କୀୟ ସୁରେନ୍ କୁମାର ବରାଳ ଏତଲା ଦେଇଛନ୍ତି।
ତେବେ ହତ୍ୟା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମୃତ ସସ୍ମିତାଙ୍କ ଶ୍ୱଶୁର ପୁରସ୍ତମ ବେହେରା ଓ ପିଉସୀ ଶାଶୁ କାଞ୍ଚନ ରଣା। ଏହା ଆତ୍ମହତ୍ୟା ବୋଲି ସେମାନେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।