ଭୁବନେଶ୍ୱର : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ବିଶ୍ୱାସ ରହିଛି ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ଜଳଲାଗି କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। ଏହି ବିଶ୍ୱାସକୁ ଆଧାର କରି ଆଜି ରାଜ୍ୟର ବିଭିନ୍ନ ଶିବାଳୟରେ ଜଳ ଲାଗି କରିଛନ୍ତି କାଉଡ଼ିଆ। ଜଳାଶୟଗୁଡ଼ିକରୁ ଜଳ ଉଠାଇ କିଏ ରାତି ତମାମ୍ ଚାଲି ଚାଲି ଆସି ତ ଆଉ କିଏ ଆଜି ସକାଳୁ ଯାଇ ମହାଦେବଙ୍କୁ ଜଳଲାଗି କରିଛନ୍ତି। ଭୁବନେଶ୍ୱରର ଲିଙ୍ଗରାଜଙ୍କ ପୀଠ ସମେତ ରାଜ୍ୟ ସମସ୍ତ ଶିବାଳୟରେ ପାଣି ଢାଳୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ସକାଳୁ କାଉଡ଼ିଆ ଭକ୍ତଙ୍କ ଭିଡ ଲାଗି ରହିଥିଲା। ଭକ୍ତଙ୍କ ଗହଳିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଆରଡ଼ି ଧାମ। ରାତି ୨ଟାରେ ମନ୍ଦିର ପହଡ଼ ଖୋଲିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର କାଉଡ଼ିଆ ଜଳଲାଗି କରିଥିଲେ।
କଟକ ଜିଲ୍ଲା ଆଠଗଡ଼ର ଧବଳେଶ୍ୱର ମନ୍ଦିରରେ ମଧ୍ୟ କାଉଡ଼ିଆ ଭକ୍ତଙ୍କ ଭିଡ ଜମିଛି। ଭୋର ୩ଟାରୁ ବାବା ଧବଳେଶ୍ୱରଙ୍କ ସମସ୍ତ ନୀତି ସମାପନ ହେବା ପରେ ଭକ୍ତଙ୍କ ଜଳଲାଗି ପାଇଁ ପହଡ଼ ଖୋଲା ଯାଇଥିଲା। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଝୁଲାପୋଲ, ଡଙ୍ଗାଘାଟ, ମନ୍ଦିର ବେଢା ଭଳି ପ୍ରମୁଖ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ନିକଟସ୍ଥ ଗନ୍ଧ ମାର୍ଦନ ପାହାଡପାଦ ଦେଶରେ ଥିବା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର। ଏହି ଶୈବପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ବୋଲ ବମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ବୋଲବମ୍ ଭକ୍ତ ମାନେ ପ୍ରଥମେ ଖସଡା ପାପନାସିନୀ ଝରଣାରେ ବୁଡମାରି ଝରଣାରୁ ପାଣି ଉଠାଇ ହରି ଓ ଶଙ୍କର ଏକାଠି ପୂଜାପାଉଥିବା ପୀଠରେ ମହାପ୍ରଭୁଙ୍କ ଲିଙ୍ଗରେ ପାଣି ଢ଼ାଳି ଥିଲେ।
ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶରଣକୁଳର ଲଡୁବାବା ମନ୍ଦିରରେ ଶ୍ରାବଣ ମାସ ଦ୍ୱିତୀୟ ସୋମବାର ପାଇଁ ଆଜି କାଉଡ଼ିଆଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ଲଡ଼ୁବାବାଙ୍କ ପୀଠରେ ଜଳାଭିଷେକ କରିଛନ୍ତି। ଶ୍ରଦ୍ଧାଳୁମାନେ କଣ୍ଟିଲୋର ମହନଦୀରୁ ପାଣି ଆଣି ଲଡୁବାବାଙ୍କ ମସ୍ତକରେ ଜଳାଭିଷେକ କରିଥାନ୍ତି। ପୋଲିସ ଓ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କିପରି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେ ନେଇ କଉଡ଼ିଆମାନଙ୍କ ପାଇଁ ମନ୍ଦିରରେ ପ୍ରବେଶ ପାଇଁ ୨ ଟି ଧାଡ଼ିର ବ୍ୟବସ୍ଥା କରାଯାଇଅଛି।
ପୁରୀ ଲୋକନାଥଙ୍କ ପୀଠରେ ବି ଦ୍ୱିତୀୟ ସୋମବାର ଅବସରେ ଭକ୍ତଙ୍କ ଗହଳି ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କାଉଡ଼ିଆମାନେ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି।
ସ