ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରେ ସୃଷ୍ଟ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଅମ୍ଫାନ୍’ ସ୍ଥଳ ଭାଗ ଆଡ଼କୁ ମୁହାଁଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଏକ୍ସଟ୍ରିମ୍ଲି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆାଯାଇଛି ।
‘ଅମ୍ଫାନ୍’ ପାରଦୀପଠାରୁ ୮୨୦ କିଲୋମିଟର୍ ଦୂରରେ ରହିଛି। ସେହିପରି ଦୀଘାଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମକୁ ୯୮୦ କିଲୋମିଟର୍ ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା ଏବେ ଉତ୍ତର-ଉତ୍ତରପୂର୍ବ ଦିଗ ଆଡ଼କୁ ଘଣ୍ଟା ପ୍ରତି ୧୩ କିଲୋମିଟର୍ ବେଗରେ ଗତି କରୁଛି ।
୨୦ ତାରିଖରେ ‘ଅମ୍ଫାନ’ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଓଡ଼ିଶା ଉପରେ ମଧ୍ୟ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ର ପ୍ରଭାବ ପଡ଼ିବ । ବିଶେଷତଃ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପ୍ରଭାବ ଅନୁଭୂତ ହେବ । ଏହା ପ୍ରଭାବରେ ରାଜ୍ୟରେ ଆଜି ସନ୍ଧ୍ୟାରୁ ବର୍ଷା, ପବନ ଆରମ୍ଭ ହୋଇ ୨୦ ତାରିଖ ଅପରାହ୍ନ ଯାଏଁ ବଢ଼ି ଚାଲିବ ।
ଉତ୍ତର ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ୧୯ ତାରିଖରେ ଘଣ୍ଟାପ୍ରତି ୭୫ରୁ ୮୫, ଏମିତିକି ୯୫ କିଲୋମିଟର ମଧ୍ୟ ଛୁଇଁ ପାରେ। ତେବେ ୨୦ ତାରିଖ ଅପରାହ୍ନରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ଓ ବେଳେ ବେଳେ ୧୩୫ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।